ଏହା ଦ୍ୱାରା ଓଡ଼ିଶା ପ୍ରଦେଶ ପ୍ରତି ଯୁବକର କୌଣସି କର୍ତ୍ତବ୍ୟ ନାହିଁ ବୋଲି କହିବା ମୋର ଉଦ୍ଦେଶ୍ୟ ନୁହେ। ଅନେକ ଓଡ଼ିଆ ଯୁବକ ବାକ୍ୟଦ୍ୱାରା, ମନଦ୍ୱାରା, ସଭା ସମିତିରେ ସ୍ୱେଚ୍ଛାସେବକ ହେବାଦ୍ୱାରା କିମ୍ବା ଅତ୍ୟଧିକ ଦେଶ ଭକ୍ତି ଯାହାଙ୍କର ସେମାନେ ଚାକିରିଦ୍ୱାରା ମଧ୍ୟ ଏ ପ୍ରଦେଶର ସେବା କରିବେ । ସୁତରାଂ ପୃଥିବୀ ଆଉ ସବୁ ଦେଶର ଶାସନତନ୍ତ୍ର ପରି କ୍ଷୁଦ୍ର ଓଡ଼ିଶା ପ୍ରଦେଶର ଶାସନତନ୍ତ୍ର ମଧ୍ୟ ସୁଦୃଢ଼ ଓ ସବଳ ହେବାରେ ବାଧା ନାହିଁ; ପୁଣି ପୃଥିବୀର ଆଉ ସବୁ ଦେଶର ରାଜନୀତି ପରି ଏ ପ୍ରଦେଶର ରାଜନୀତି ମଧ୍ୟ ଦୁର୍ବଳ ଓ ହାସ୍ୟାସ୍ପଦ ହୋଇ ରହିବ। କାରଣ ଶାସନତନ୍ତ୍ର ଗୁଡ଼ିକର ମୌଳିକ ପରିଚାଳନା ରହିଛି । ଯୁବକର ହାତରେ ପୁଣି ରାଜନୀତି କ୍ଷେତ୍ରରେ ପ୍ରାୟ ଦେଖିବାକୁ ମିଳନ୍ତି ଯାବତୀୟ ଶ୍ଳଥଚର୍ମା; ଯେଉଁମାନେ କେବଳ ଉପଦେଶ ଦେବା ବ୍ୟତୀତ ଆଉ କିଛି କରି ପାରିବେ ନାହିଁ। ଏହି ପରିସ୍ଥିତିଟାକୁ ଯଦି ତଳ ଉପର ଓ ଉପର ତଳ କରି ଦିଆଯାନ୍ତା- ଅର୍ଥାତ୍ ସରକାରୀ ଚାକିରିରେ ପ୍ରବେଶ କରିବାର ବୟସ ଯଦି ୨୫ ପର୍ଯ୍ୟନ୍ତ ନ ରଖି ୪୫ ପରେ ରଖାଯାନ୍ତା-ତାହାହେଲେ ମନେ ହୁଏ, ସମଗ୍ର ପୃଥିବୀର ରାଜନୀତି କ୍ଷେତ୍ରରେ ଆଜି ଅନେକ ବେଶି ସୁବିଚାର, ଅନେକ ବେଶି କର୍ମଠତା ଏବଂ ବିଚକ୍ଷଣତା ଦେଖାଯାନ୍ତା। ଦେଶ ଦେଶ ଭିତରେ ଆଜି ଯେତେ ମନୋମାଳିନ୍ୟ, ବାଣିଜ୍ୟରେ ଯେତେ ଅସାମଞ୍ଜସ୍ୟ, କିମ୍ବା ବିନିମୟ ହାରରେ ଯେତେ ଅସନ୍ତୋଷ ଦେଖାଯାଏ, ସେଥି ମଧ୍ୟରୁ ଅଧେ ସମସ୍ୟା ହୁଏ ତ ସହଜରେ ସମାଧାନ ହୋଇ ପଡ଼ନ୍ତା । ଜେନେଭାର ଆନ୍ତର୍ଜାତିକ ସଭା ଲୋକ-ଚକ୍ଷୁରେ ଆଜି ହୁଏ ତ ପ୍ରତି ପଦରେ ଅପଦସ୍ଥ ହୁଅନ୍ତା ନାହିଁ । ଚାଳିଶ ପଞ୍ଚଚାଳିଶ ବର୍ଷ ବୟସ୍କ ପୁରୁଷମାନେ ମଧ୍ୟ ସହଜରେ ଶାସନତନ୍ତ୍ର ଚଳାଇ ପାରନ୍ତେ।
ପୃଷ୍ଠା:Netrutya O Netrutwa.pdf/୯୫
Jump to navigation
Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୦
ନେତୃତ୍ୱ ଓ ନେତୃତ୍ୱ
