ପୃଷ୍ଠା:Odisha Itihasa.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟଯୁଗୀୟ ଓଡ଼ିଶା ଇତିହାସରେ ଭକ୍ତି ଆନ୍ଦୋଳନ ଏକ ଅନନ୍ୟ ଘଟଣା । ଜଗନ୍ନାଥ ଦାସଙ୍କ ବ୍ୟତୀତ ଅନ୍ୟ ପଞ୍ଚସଖାମାନେ ଶୂଦ୍ର ଥିଲେ । ସେମାନେ ଈଶ୍ୱରଙ୍କର ନୂଆ ସଂଜ୍ଞା ଦେଲେ । ପୁରୁଷ-ସ୍ତ୍ରୀ, ଜାତି-ଅଜାତି ସମସ୍ତେ ଈଶ୍ୱରଙ୍କ ସ୍ୱରୂପ ଏବଂ ଭକ୍ତିମାର୍ଗରେ ସମସ୍ତେ ଈଶ୍ୱରଙ୍କଠାରେ ସମାହିତ ହୋଇପାରିବେ ବୋଲି ସେମାନେ ପ୍ରଚାର କଲେ । ପଞ୍ଚସଖାମାନେ ସନ୍ଥଭାବରେ ବହୁସଂଖ୍ୟାରେ ଅନୁଗାମୀମାନଙ୍କୁ ଆକୃଷ୍ଟ କରିଥିଲେ । ଏହି ଅନୁଗାମୀମାନେ ଭକ୍ତିଧର୍ମର ବ୍ୟାପକ ପ୍ରଚାର କଲେ । ତେଣୁ ସାରଳା ଦାସ ଓ ପଞ୍ଚସଖାଙ୍କୁ ଭକ୍ତି ଆନ୍ଦୋଳନର ପ୍ରମୁଖ ଅଙ୍ଗ ରୂପେ ଗ୍ରହଣ କରାଯାଏ । ସେମାନଙ୍କ ବ୍ୟତୀତ ଏହି ସମୟରେ ଆହୁରି ଅନେକ କବି ଆନ୍ଦୋଳନକୁ ସରଳ ଓଡ଼ିଆରେ କାବ୍ୟ-କବିତା ରଚନା କରି ଋଦ୍ଧିମନ୍ତ କରିଥିଲେ । 'ରାମ ବିଭା'ର କବି ଅର୍ଜୁନଦାସ ସେହିପରି ଜଣେ କବି ।

ମଧ୍ୟଯୁଗରେ, ବିଶେଷକରି ଷୋଡଶ ଶତାବ୍ଦୀରେ ଭକ୍ତି ଆନ୍ଦୋଳନର ଯେଉଁ ପ୍ରବାହ ଓଡ଼ିଶାରେ ଦେଖାଦେଲା, ତାହାର ଏକ ପ୍ରମୁଖ ସୂତ୍ରଧର ଥିଲେ ଚୈତନ୍ୟ, ଯିଏ ଶ୍ରୀଚୈତନ୍ୟ ନାମରେ ଖ୍ୟାତ । ସେ କୌଣସି ନୂଆ ଧର୍ମ ପ୍ରତିଷ୍ଠା କରି ନଥିଲେ, ବରଂ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାରରେ ସମସ୍ତ ସମୟ ଅତିବାହିତ କରିଥିଲେ । ଚୈତନ୍ୟ କୃଷ୍ଣଙ୍କୁ ନିଜ ଆରାଧ୍ୟ ଦେବତା ରୂପେ ଗ୍ରହଣ କରିଥିଲେ । ବିଷ୍ଣୁ ଓ ଜଗନ୍ନାଥଙ୍କ ମଧ୍ୟରେ ବି ସେ କୃଷ୍ଣଙ୍କୁ ଖୋଜି ପାଉଥିଲେ । ଫଳରେ ତାଙ୍କ ଆନ୍ଦୋଳନରେ ଧାର୍ମିକ ସମନ୍ୱୟକୁ ମହତ୍ତ୍ୱ ମିଳିଥିଲା । ଆରାଧ୍ୟ ଦେବତା କୃଷ୍ଣଙ୍କର ବାଲ୍ୟଲୀଳା, ରାଧାକୃଷ୍ଣ ପ୍ରେମକୁ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରି ବିଭୋର ହେବା ହେଲା ତାଙ୍କ ଭକ୍ତି ଆନ୍ଦୋଳନର ବିଶେଷତ୍ୱ । ଚୈତନ୍ୟ କୃଷ୍ଣପ୍ରେମ ଆଧାରିତ ନୃତ୍ୟ-ଗୀତର ଯେଉଁ ଅପୂର୍ବ ପରମ୍ପରା ଷୋଡ଼ଶ ଶତାବ୍ଦୀରେ ଆରମ୍ଭ କଲେ, ତାକୁ କୀର୍ତ୍ତନ କୁହାଯାଏ । ତାହାର ସାମାଜିକ ମହତ୍ତ୍ୱ ଆଜି ମଧ୍ୟ ଊଣା ହୋଇନାହିଁ ।

ଚୈତନ୍ୟ ବଙ୍ଗ ପ୍ରଦେଶର ନଦିଆଠାରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ନଦିଆ ହେତୁବାଦୀ ବୈଦିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଏହାର ବିଶେଷ ପ୍ରଭାବ ଚୈତନ୍ୟଙ୍କ ଉପରେ ପଡିଥିଲା । ୨୨ବର୍ଷ ବୟସରେ ସେ ଯେତେବେଳେ ଗୟା ଦର୍ଶନରେ ଯାଇଥିଲେ, ସେଠାରେ ତାଙ୍କର ବୈଷ୍ଣବ ଧର୍ମ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ଏହା ପରେ ଆରାଧ୍ୟ ଦେବତା କୃଷ୍ଣଙ୍କର ନାମ ଅବିରତ ଉଚ୍ଚାରଣ କରି ସେ ନିଜର ଭକ୍ତିଭାବକୁ ପରିପୁଷ୍ଟ କଲେ । ତୀର୍ଥଯାତ୍ରାରେ ଗୟା ଆସିବା ପୂର୍ବରୁ ସେ ପ୍ରଥମା ପତ୍ନୀଙ୍କର ଦେହାନ୍ତ ପରେ ଅନିଚ୍ଛା ସତ୍ତ୍ୱେ ମାଆଙ୍କ କଥା ରକ୍ଷାକରି ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ । ମାତ୍ର ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ସେ ସଂସାରତ୍ୟାଗୀ ହେଲେ ଏବଂ କୃଷ୍ଣ ନାମ ଗାଇ ଗାଇ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲେ ।

୧୫୧୦-୧୧ରେ ଚୈତନ୍ୟ ପୁରୀ ଆସିଥିଲେ । କିଛିକାଳ ପୁରୀରେ ଅବସ୍ଥାନ କଲା ପରେ ତୀର୍ଥାଟନରେ ପ୍ରଥମେ ଦକ୍ଷିଣ ଭାରତ ଏବଂ ପରେ ବୃନ୍ଦାବନ ଗଲେ । ସେଠାରୁ ପୁଣି ଓଡ଼ିଶା ଫେରି ଆସି ଦୀର୍ଘ ୧୭ ବର୍ଷ କାଳ ପୁରୀରେ ଅତିବାହିତ କଲେ ଏବଂ ୧୫୩୩ରେ ପୁରୀଠାରେ ଦେହତ୍ୟାଗ କଲେ ।୧୪୪ . ଓଡ଼ିଶା ଇତିହାସ