ପୃଷ୍ଠା:Odisha Itihasa.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚୈତନ୍ୟ ଧାର୍ମିକ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ଥିଲେ । ଅଧିକାଂଶ ଶୂଦ୍ର ଜାତିର ଲୋକ ଓ କେତେକ ମୁସଲିମ ସଂପ୍ରଦାୟର ଲୋକ ମଧ୍ୟ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଗଜପତି ପ୍ରତାପରୁଦ୍ର ଦେବ ଏବଂ ତାଙ୍କର କେତେକ ଉଚ୍ଚପଦାଧିକାରୀ ମଧ୍ୟ ଚୈତନ୍ୟଙ୍କର ଶିଷ୍ୟ ହୋଇଥିଲେ । ଚୈତନ୍ୟଙ୍କର ସମକାଳୀନ ଥିଲେ ପଞ୍ଚସଖା କବିଗଣ । ସେମାନଙ୍କ ରଚନାରେ ଚୈତନ୍ୟଙ୍କର ପ୍ରଶଂସାରୁ ମନେହୁଏ, ସେମାନେ ମଧ୍ୟ ଚୈତନ୍ୟଙ୍କର ସହଯୋଗୀ ଥିଲେ । ଚୈତନ୍ୟଙ୍କ ପରେ ତାଙ୍କ ଶିଷ୍ୟମାନେ ଭାଷା ଆଧାରରେ ଦୁଇ ଗୋଷ୍ଠୀରେ (ବଙ୍ଗାଳୀ ଓ ଓଡ଼ିଆ) ବିଭକ୍ତ ହୋଇଯାଇଥିଲେ । ଯେଉଁ ସାମାଜିକ ଓ ଧାର୍ମିକ ସଦ୍‍ଭାବ ରକ୍ଷାପାଇଁ ଚୈତନ୍ୟ ବୈଷ୍ଣବ ଧର୍ମର ପ୍ରଚାର-ପ୍ରସାର କରିଥିଲେ, ସେହି ସଦ୍‍ଭାବ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ସୁଦ୍ଧା ରହିପାରିଲା ନାହିଁ । ଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମର ପତନର ଏହା କାରଣ ହେଲା ।

ଚୈତନ୍ୟଙ୍କ ପୁରୀ ଅବସ୍ଥାନ ପୂର୍ବରୁ ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରସାର ଆରମ୍ଭ ହୋଇ ସାରିଥିଲା । ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତା ରୂପେ ପ୍ରତିଷ୍ଠା ପାଇଥିଲେ । ଜାତି, ବର୍ଣ୍ଣ ନିର୍ବିଶେଷରେ ଲୋକେ ଜଗନ୍ନାଥଙ୍କର ଆରାଧନା କରୁଥିଲେ । ଜଗନ୍ନାଥଙ୍କ ନାମରେ ପ୍ରଥମେ ଗଙ୍ଗ ରାଜା ଏବଂ ତାଙ୍କ ପରେ ଗଜପତିମାନେ ଶାସନ କରୁଥିଲେ । ସାରଳା ଦାସ ଓ ପଞ୍ଚସଖାମାନେ ଜଗନ୍ନାଥଙ୍କୁ ନିଜ ନିଜ କୃତିର ରଚୟିତା ମନେକରି କାବ୍ୟ ସୃଷ୍ଟି କରୁଥିଲେ । ପ୍ରାରମ୍ଭିକ କାଳରେ ଜଗନ୍ନାଥ ଓ ଜଗନ୍ନାଥ ମନ୍ଦିର ଉପରେ ବ୍ରାହ୍ମଣ ବା ଅନ୍ୟ ଉଚ୍ଚ ଜାତିର କର୍ତ୍ତୃତ୍ୱ ନଥିଲା । ଆଦିବାସୀଙ୍କ ସମେତ ବିଭିନ୍ନ ଜାତିର ଲୋକେ ଜଗନ୍ନାଥଙ୍କ ସେବକର ଦାୟିତ୍ୱ ପାଇଥିଲେ । ସେହି ଦୃଷ୍ଟିରୁ ଜଗନ୍ନାଥଙ୍କୁ ନେଇ ଗଢ଼ି ଉଠିଥିବା ରୀତିନୀତି ଏକ ଅନନ୍ୟ ଧର୍ମ ରୂପରେ ମଧ୍ୟଯୁଗୀୟ ଓଡ଼ିଶାରେ ସ୍ୱୀକୃତି ପାଇଥିଲା । ମାତ୍ର କାଳକ୍ରମେ, ଭାରତର ଅନ୍ୟ ଧର୍ମଗୁଡ଼ିକ ପରି, ଏହା ଜାତି ବ୍ୟବସ୍ଥାର ଶିକାର ହେଲା ଏବଂ ଏଠାରେ ଉଚ୍ଚ ଜାତିର କର୍ତ୍ତୃତ୍ୱ ବୃଦ୍ଧି ପାଇଲା । ପଞ୍ଚସଖା ଓ ଭକ୍ତି ଆନ୍ଦୋଳନକୁ ସେହି ବର୍ଦ୍ଧିଷ୍ଣୁ କର୍ତ୍ତୃତ୍ୱ ବିରୁଦ୍ଧରେ ଏକ ସାମାଜିକ ବିପ୍ଳବ ରୂପେ ଦେଖିହେବ । ମାତ୍ର ସମୟକ୍ରମେ ଏବଂ ବିଶେଷକରି ଚୈତନ୍ୟଙ୍କ ଆଗମନ ପରେ ଜଗନ୍ନାଥ ଧର୍ମରେ କୃଷ୍ଣପ୍ରେମ ମଧ୍ୟ ଦୃଢ଼ଭାବେ ସମାହିତ ହେଲା । ଜଗନ୍ନାଥଙ୍କୁ କୃଷ୍ଣଙ୍କର ଏକ ସ୍ୱରୂପ ଭାବରେ ଗ୍ରହଣ କରାଗଲା । ଏହା ଜଗନ୍ନାଥ ଧର୍ମ ଓ ସଂସ୍କୃତିକୁ ବ୍ରାହ୍ମଣ୍ୟ ଧର୍ମରେ ସଂଲଗ୍ନ କରିଦେଲା । ପରିଣାମ ସ୍ୱରୂପ ବ୍ରାହ୍ମଣ୍ୟ ଧର୍ମର ଦୁଷ୍ପ୍ରଭାବରୁ ଜଗନ୍ନାଥ ସଂସ୍କୃତି ଊର୍ଦ୍ଧ୍ୱକୁ ଉଠିପାରିଲା ନାହିଁ ।


...

{{right|ଓଡ଼ିଶା ଇତିହାସ . ୧୧୫