ପୃଷ୍ଠା:Odisha Itihasa.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶ୍ରାମାଗାର ପାଖରେ ଯାତ୍ରୀଙ୍କୁ ରସଦ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ ସବୁ ବ୍ୟବସ୍ଥା ମରାଠାମାନଙ୍କ ପୂର୍ବରୁ ଚଳି ଆସୁଥିଲା । ମରାଠା ସମୟରେ କେବଳ ତାର ପ୍ରଚଳନ ଅବ୍ୟାହତ ରହିଥିଲା । ତା' ସହିତ ସମୟକ୍ରମେ ତହିଁରେ ସାମାନ୍ୟ ଉନ୍ନତି ମଧ୍ୟ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କଥା ହେଲା ଯେ, ଏହି ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାରେ କେନ୍ଦ୍ରୀୟ ଭୋଁସଲେ ସରକାର ସିଧାସଳଖ ସଂପୃକ୍ତ ନହେଲେ ସୁଦ୍ଧା, ସ୍ଥାନୀୟ ସ୍ତରରେ ତାଙ୍କ ଅଧିକାରୀମାନେ ଅନେକ ସମୟରେ ଅଲିଖିତ ଭାବେ ଦାୟିତ୍ୱ ନେଉଥିଲେ । ସ୍ଥାନୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏହାର ସଫଳତା ଅନେକାଂଶରେ ନିର୍ଭର କରୁଥିଲା । ଅର୍ଥାତ୍‍ ମରାଠାଶାସିତ ଓଡ଼ିଶାର ଗୋଟିଏ ଅଂଚଳରେ ଏହି ବ୍ୟବସ୍ଥାମାନ ସୂଚାରୁ ରୂପେ ପରିଚାଳିତ ହେବା ସମୟରେ ଅନ୍ୟ କେଉଁ ଅଞ୍ଚଳରେ ସ୍ଥାନୀୟ ଜମିଦାର ଓ ଗଡ଼ଜାତ ରାଜା କିମ୍ବା ଅଧିକାରୀଙ୍କ ଅନାଗ୍ରହ ଓ ଅପାରଗତା ହେତୁ ତାହା ବିପର୍ଯ୍ୟସ୍ତ ହେବା ଅସମ୍ଭବ ନଥିଲା । ଭୋଁସଲେ ରାଜା ଅନ୍ୟ ସମସାମୟିକ ରାଜାମାନଙ୍କ ଭଳି ଅଧିକ ସମୟ ଯୁଦ୍ଧରେ ଜଡ଼ିତ ରହୁଥିଲେ । ତେଣୁ ଜନକଲ୍ୟାଣକାରୀ କାର୍ଯ୍ୟଗୁଡ଼ିକ ଉପରେ ସେ ଯଥେଷ୍ଟ ଧ୍ୟାନ ଦେଇପାରୁଥିଲେ । ଆଶାନୁରୂପ କର ଅସୁଲ ନହେଲେ ହୁଏତ ସେ ଅଧିକାରୀମାନଙ୍କୁ କଠୋର ହେବାକୁ ନିର୍ଦ୍ଦେଶ ଦେଉଥିଲେ ଅଥବା କୃଷି ଓ ବାଣିଜ୍ୟର ଉନ୍ନତି ପ୍ରତି ଧ୍ୟାନ ଦେବାକୁ ବାଧ୍ୟ ହେଉଥିଲେ । ସ୍ଥଳପଥ ବ୍ୟତୀତ ମରହଟ୍ଟାକାଳୀନ ଓଡ଼ିଶାରେ ଅନେକ ଜଳପଥ ରହିଥିଲା । ଜଳପଥ ଦେଇ ନିୟମିତ ବାଣିଜ୍ୟିକ ସାମଗ୍ରୀ ପରିବହନ କରାଯାଉଥିଲା । ପୁରୀକୁ ଓଡ଼ିଶା ବାହାରୁ ତୀର୍ଥଯାତ୍ରୀ ମଧ୍ୟ ଅନେକ ସମୟରେ ଜଳପଥ ଦେଇ ଆସୁଥିଲେ । କଟକଠାରୁ ମହାନଦୀରେ ପଶ୍ଚିମ ଓଡ଼ିଶା ଓ ମଧ୍ୟ ଭାରତକୁ ଏକ ଜଳପଥ ରହିଥିଲା । ଏହି ପଥରେ ବର୍ଷା ଋତୁରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଲୁଣ, ଶୁଖୁଆ ଆଦି ସାମଗ୍ରୀ ଯାଉଥିଲା ଏବଂ କଟକ ଅଞ୍ଚଳକୁ ଚାଉଳ ଓ ବିଭିନ୍ନ ବନଜାତ ଦ୍ରବ୍ୟ ଆସୁଥିଲା । କଟକରୁ ପଟାମୁଣ୍ଡାଇ ଦେଇ ଧାମରା ପର୍ଯ୍ୟନ୍ତ ଏକ ନଦୀପଥ ମଧ୍ୟ ରହିଥିଲା । ସେହିଭଳି ବାଲେଶ୍ୱରରୁ ବଙ୍ଗକୁ ମଧ୍ୟ ଜଳପଥରେ ନାନା ଦ୍ରବ୍ୟ ପରିବହନ କରାଯାଉଥିଲା ।

ମରହଟ୍ଟାମାନଙ୍କ ସମୟରେ ପୂର୍ବ ତୁଳନାରେ ବାଣିଜ୍ୟ କାରବାର ବୃଦ୍ଧି ପାଇଥିଲା । ଏହି ବୃଦ୍ଧି ପଛରେ ଅନ୍ୟତମ କାରଣ ଥିଲା ତତ୍‍କାଳୀନ ଘାଟ ବ୍ୟବସ୍ଥା । ନଦୀ ଉପରେ ପୋଲ ନଥିବାରୁ ଯାତାୟାତ ଓ ମାଲ ପରିବହନପାଇଁ ନଦୀର ଉଭୟ ପାର୍ଶ୍ୱରେ ଘାଟମାନ ରହିଥିଲା । ଘାଟରୁ ଅବକାରୀ ଓ ଯାତ୍ରୀକର ଅସୁଲ କରିବା ସକାଶେ ରାହଦାର, ଗୁଜରବନ ଓ ମୁସ୍ତାଫିଜାନ ଆଦି କର୍ମଚାରୀମାନେ ନିଯୁକ୍ତ ଥିଲେ । ସରକାରୀ କର୍ମଚାରୀଙ୍କ ଯାତାୟାତ ଓ ସରକାରୀ ସାମଗ୍ରୀ ପରିବହନପାଇଁ ଶୁଳ୍କ ଛାଡ଼ ଥିଲା । ଘାଟରୁ ମରାଠାମାନେ ଯଥେଷ୍ଟ ରାଜସ୍ୱ ଆଦାୟ କରୁଥିଲେ । ତେଣୁ ଘାଟର ଉନ୍ନତିପାଇଁ ଯଥାସମ୍ଭବ ପଦକ୍ଷେପମାନ ନେଉଥିଲେ । କେତେକ ଘାଟରେ ଡଙ୍ଗାଗୁଡ଼ିକର ଆକାର ଏତେ ବଡ଼ ଥିଲା ଯେ, ତହିଁରେ ଏକାଧିକ ହାତୀ ମଧ୍ୟ ପାର ହେଉଥିଲେ । ଏତେ ବଡ ଡଙ୍ଗା ତିଆରିପାଇଁ ଆବଶ୍ୟକ ପୁଞ୍ଜି ଯେ ସାଧାରଣ ନାବିକ ଖଟାଇ ପାରିବ ନାହିଁ୧୪୨ . ଓଡ଼ିଶା ଇତିହାସ