ପୃଷ୍ଠା:Odisha Itihasa.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜ୍ୟରେ ଅମିଲ୍‍ ନାମରେ ଜଣେ ନ୍ୟାୟ ଅଧିକାରୀ ମଧ୍ୟ ରହିଥିଲେ । କେତୋଟି ପରଗଣାକୁ ନେଇ ଗଠିତ ମଣ୍ଡଳ ସ୍ତରରେ ଅମିଲମାନେ ନିଯୁକ୍ତ ଥିଲେ । ନ୍ୟାୟିକ ଅଧିକାର ବ୍ୟତୀତ ବଂଶାନୁକ୍ରମିକ ଭାବେ ଖଜଣା ଆଦାୟ କରୁଥିବା ଚୌଧୁରୀ, କାନୁନ୍‌ଗୋ ଏବଂ ତାଲୁକ୍‍ଦାରଙ୍କ ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ରହୁଥିଲା । ଇଂରେଜ ଐତିହାସିକମାନେ ମରାଠା ପ୍ରଶାସନକୁ ଖୁବ୍‍ ଅରାଜକତାପୂର୍ଣ୍ଣ, ଅତ୍ୟାଚାରୀ, ଶୋଷଣକାରୀ ଏବଂ ଅମାନବୀୟ ବୋଲି ବର୍ଣ୍ଣନା କରିଛନ୍ତି । ଏହା କେତେକାଂଶରେ ସତ ହୋଇଥିଲେ ମଧ୍ୟ ସମସାମୟିକ ଅନ୍ୟ ଶାସନଗୁଡ଼ିକଠାରୁ ଖୁବ୍‍ ପୃଥକ୍‍ ବୋଲି କୁହାଯାଇ ନପାରେ । ବିଶେଷକରି ମରାଠାଶାସନକୁ ପରବର୍ତ୍ତୀ ଇଂରେଜ ଶାସନ ତୁଳନାରେ ମଧ୍ୟ ଖୁବ୍‍ ଅଧିକ ନିରଙ୍କୁଶ, ଅରାଜକତାପୂର୍ଣ୍ଣ କିମ୍ବା ଅଧିକ ଶୋଷଣକାରୀ ବୋଲି ପରିଭାଷିତ କରାଯାଇପାରିବ ନାହିଁ । ଭୂ-ରାଜସ୍ୱ ଅସୁଲପାଇଁ କଠୋର ନିୟମ ପ୍ରବର୍ତ୍ତନ କରିବାରେ ଇଂରେଜମାନେ କାହାରିଠାରୁ କମ୍‍ ନଥିଲେ । ପାର୍ଥକ୍ୟ ଏତିକି ଯେ, ମରାଠା ଅଧିକାରୀମାନେ ତା'ପାଇଁ ନିଜ ଅଧୀନରେ ନିଯୁକ୍ତ ଅସୁଲକାରୀ ଉପରେ ଶାରୀରିକ ଦଣ୍ଡ ଦେବାକୁ ହେଳା କରୁ ନଥିଲେ ଏବଂ ଇଂରେଜମାନେ ଶାରୀରିକ ଦଣ୍ଡ ନଦେଇ କୋର୍ଟ କଚେରିରେ ତାକୁ ପେଷି ଦେଉଥିଲେ ବା ତା'ର ଜମି ବାଜ୍ୟାପ୍ତ କରୁଥିଲେ । ମରାଠା ଏବଂ ତାଙ୍କ ପୂର୍ବରୁ ମୋଗଲ ପ୍ରଶାସନରେ ଜମି ଅଧିକାରରୁ ଚାଷୀ ବା ତା' ଉପରେ ରହିଥିବା ଜମିଦାରଙ୍କୁ ବଞ୍ଚିତ କରିବାର ପରମ୍ପରା ନଥିଲା । କାରଣ ସେ କ୍ଷେତ୍ରରେ ଚାଷ ଜମି ଅନୁପଯୋଗୀ ହେବାର ଆଶଙ୍କା ଥିଲା । ମାତ୍ର ଇଂରେଜ ରାଜତ୍ୱରେ ବାଜ୍ୟାପ୍ତ ଜମି ପଣ୍ୟ ବସ୍ତୁ ଭଳି ନୂଆ ମାଲିକ ହାତକୁ ଚାଲିଯାଉଥିଲା ।

କର ଅସୁଲପାଇଁ କୃଷି ଉତ୍ପାଦନ ବୃଦ୍ଧି ହେବା ଏକ ଆବଶ୍ୟକତା ଥିଲା । ବନ୍ୟା ନିୟନ୍ତ୍ରଣକୁ ଏକ ଦାୟିତ୍ୱ ଭାବରେ ମରାଠା ସରକାର ଗ୍ରହଣ କରିଥିଲେ । ସେଥିଯୋଗୁଁ ନଦୀ ତଟ ବନ୍ଧଗୁଡ଼ିକୁ ସୁଦୃଢ଼ କରିବାପାଇଁ ରାଜକୋଷରୁ ଅର୍ଥ ସାହାଯ୍ୟ ଦେଉଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ ଋଣ ରିହାତି ମଧ୍ୟ ଦେଉଥିଲେ । ଚାଷୀମାନଙ୍କୁ ଜମିଦାର ଶସ୍ୟ ଋଣ ମଧ୍ୟ ଦେଉଥିଲେ, ଯଦିଓ ଏଥିପାଇଁ ଚାଷୀଙ୍କୁ ସୁଧ ଦେବାକୁ ପଡ଼ୁଥିଲା । ଦୁର୍ଭିିକ୍ଷ ବ୍ୟତୀତ ଅନ୍ୟ ସମୟରେ କୃଷିଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ଥିଲା ।

ଅଷ୍ଟାଦଶ ଶତାବ୍ଦୀ ବେଳକୁ ଓଡ଼ିଶାର ନଦୀଗୁଡ଼ିକ ଉପରେ ସ୍ଥାୟୀ ପୋଲ ନଥିଲା । ଫଳରେ ଗମନାଗମନ କ୍ଷେତ୍ରରେ ବିଶେଷ ଅସୁବିଧା ହେଉଥିଲା । ପ୍ରଧାନ ରାସ୍ତା ମଧ୍ୟରେ ଥିଲା ଜଗନ୍ନାଥ ସଡ଼କ, ଯାହା ବିଭିନ୍ନ ସ୍ଥାନରୁ ପୁରୀକୁ ସଂଯୋଗ କରୁଥିଲା । ଗୋଟିଏ ଜଗନ୍ନାଥ ସଡ଼କ ବଙ୍ଗଳାରୁ ମେଦିନୀପୁର, ଜଳେଶ୍ୱର, ବାଲେଶ୍ୱର, ଭଦ୍ରକ ଓ କଟକ ଦେଇ ପୁରୀ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟ ଏକ ଜଗନ୍ନାଥ ସଡ଼କ ନାଗପୁରରୁ ସୋନପୁର, ବୌଦ୍ଧ, କଣ୍ଟିଲୋ, ବାଙ୍କୀ ଓ କଟକ ଦେଇ ପୁରୀକୁ ସଂଯୋଗ କରୁଥିଲା । କଟକରୁ ମାଡ଼୍ରାସକୁ ମଧ୍ୟ ରାସ୍ତା ରହିଥିଲା । ସ୍ଥଳ ପଥରେ ପଥିକମାନଙ୍କ ଆଶ୍ରୟପାଇଁ ବୃକ୍ଷରୋପଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜମିଦାରମାନେ ଏହା କରିଥିଲେ । ଯାତ୍ରୀ ବିଶ୍ରାମାଗାର ମଧ୍ୟ ରାସ୍ତାକଡ଼ରେ ରହିଥିଲା ।{{right|ଓଡ଼ିଶା ଇତିହାସ . ୧୪୧