ପୃଷ୍ଠା:Odisha Itihasa.pdf/୧୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜମିଦାର ବଳଭଦ୍ର ଦେଓଙ୍କର ପ୍ରାଣ ଗଲା । ଏହା ପରେ ପ୍ରତିଶୋଧ ନେବାପାଇଁ ୧୮୪୦ରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତ ଓ କକା ବଳରାମ ସାଏ ମିଶି ନାରାୟଣ ସିଂହଙ୍କ ସମର୍ଥକ ରାମପୁରର ଜମିଦାର ଦୁର୍ଜୟ ସିଂହଙ୍କୁ ହତ୍ୟା କଲେ । ପରିଣାମ ସ୍ୱରୂପ ସରକାର ସେମାନଙ୍କୁ ଗିରଫ କରି ହଜାରିବାଗ୍‍ ଜେଲ୍‍ରେ ବନ୍ଦୀ କରି ରଖିଲେ । ଜେଲ୍‍ରେ ହିଁ ବଳରାମ ସାଏଙ୍କର ମୃତ୍ୟୁ ହେଲା । ୧୮୪୯ରେ ନାରାୟଣ ସିଂହଙ୍କ ମୃତ୍ୟୁ ପରେ ରାଜସ୍ୱତ୍ୱ ଲୋପ ନୀତି ଅନୁସାରେ ସମ୍ବଲପୁରକୁ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ କରାଗଲା, କାରଣ ନାରାୟଣଙ୍କ ପୁତ୍ରସନ୍ତାନ ନ ଥିଲେ । ଏଣିକି ଜମିଦାର ଓ ଗୌନ୍ତିଆମାନେ ନିଷ୍କର ଜମି ଭୋଗ କରିବାରୁ ବଞ୍ଚିତ ହେଲେ । ନିଷ୍କର ଜମି ଉପରେ ଖଜଣା ଧାର୍ଯ୍ୟ ହେଲା; ଜମିଦାରମାନଙ୍କ ଦେୟ ବୃଦ୍ଧି କରାଗଲା । ୧୮୪୯ରେ ସମ୍ବଲପୁରର ବାର୍ଷିକ କର ଥିଲା ୮,୮୦୦ଟଙ୍କା । ୧୮୫୪ରେ ଏହା ବୃଦ୍ଧିପାଇ ହେଲା ୭୪,୦୦୦ଟଙ୍କା । ଜମିଦାର ଓ ଗୌନ୍ତିଆମାନଙ୍କ ବ୍ୟତୀତ ନିଷ୍କର ଭୂମି ଦଖଲରୁ ବଞ୍ଚିତ ହୋଇଥିବା ବ୍ରାହ୍ମଣମାନେ ଏଣିକି ସରକାରଙ୍କ ବିରୁଦ୍ଧରେ ଏକଜୁଟ ହେଲେ । ବିଦ୍ରୋହପାଇଁ ଆବଶ୍ୟକ ଥିଲା ଜଣେ ନେତାର । କାରଣ ସେତେବେଳକୁ ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‍ରେ ବନ୍ଦି ଥିଲେ ।

୧୮୫୭ର ଗଣସଂଗ୍ରାମ ସମୟରେ ବିଦ୍ରୋହୀ ସିପାହୀମାନେ ହଜାରିବାଗ ଜେଲକୁ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ କେବଳ ଜେଲରୁ ମୁକ୍ତ ହେଲେ ନାହିଁ, ଇଂରେଜ ସରକାର ବିରୁଦ୍ଧରେ ଆରମ୍ଭ ହୋଇଥିବା ବ୍ୟାପକ ସଂଗ୍ରାମ ସମ୍ବନ୍ଧରେ ମଧ୍ୟ ଅବଗତ ହେଲେ । ଏହା ତାଙ୍କୁ ଇଂରେଜ ସରକାରର ଭାରତରୁ ଉନ୍ମୂଳନ ସଂଭବ ବୋଲି ଆଶାବାଦୀ କଲା । ଦୀର୍ଘ ୧୭ ବର୍ଷ ଜେଲରେ ରହିଥିଲେ ମଧ୍ୟ ସରକାରଙ୍କ ପ୍ରତି ଭୟଭୀତ ହେବା ପରିବର୍ତ୍ତେ ନୂତନ ଉତ୍ସାହରେ ସଂଗ୍ରାମ କରିବା ଉଦ୍ଦେଶ୍ୟରେ ସେମାନେ ସମ୍ବଲପୁର ପ୍ରତ୍ୟାବର୍ତ୍ତନ କଲେ । ଅସନ୍ତୁଷ୍ଟ ଜନତା, ଆଦିବାସୀ, ଜମିଦାର ଓ ଗୌନ୍ତିଆମାନେ ତାଙ୍କୁ ସମ୍ବଲପୁରରେ ସ୍ୱାଗତ କରି ବିଦ୍ରୋହର ଆଶାକୁ ପୁନର୍ଜୀବିତ କଲେ ।

୧୮୫୭ ଅକ୍ଟୋବରରେ ସମ୍ବଲପୁର ଫେରି ସୁରେନ୍ଦ୍ର ସାଏ ପ୍ରଥମେ ସହକାରୀ କମିସନର କେପ୍‍ଟେନ୍‍ ଆର୍‍.ଟି.ଲେହଙ୍କୁ (Caption R.T.Leigh) ରାଜ ସିଂହାସନ ପ୍ରଦାନ କରିବାପାଇଁ ଦାବି ଜଣାଇଲେ । ସରକାର ସୁରେନ୍ଦ୍ର ସାଏଙ୍କ ଦାବି ପ୍ରତ୍ୟାଖ୍ୟାନ କରି କୌଶଳରେ ତାଙ୍କୁ ସମ୍ବଲପୁରରେ ନଜରବନ୍ଦୀ କରି ରଖିଲେ । ଅକ୍ଟୋବର ୩୧ରେ ସୁରେନ୍ଦ୍ର ନଜରବନ୍ଦୀ ଭାଙ୍ଗି ପ୍ରଥମେ ନିଜ ଗ୍ରାମ ଖିଣ୍ତା ଗଲେ ଏବଂ ଭାଇମାନଙ୍କ ସହଯୋଗରେ ବିଦ୍ରୋହ ଆରମ୍ଭ କଲେ । ବିଦ୍ରୋହରେ ଘେଁସ, କୋଲାବିରା, ପାହାଡ଼ଶ୍ରୀଚିତା, ମଚିଦା, ଲଇଡ଼ା, ଲୁଇସିଙ୍ଗା, ଲଖନପୁର, ଭେଡେନ ଆଦିର ଜମିଦାରମାନେ ସୁରେନ୍ଦ୍ରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଲେ । ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପୁତ୍ର କୁଞ୍ଜଲ ସିଂହ ଧରାପଡ଼ି ଫାଶୀଦଣ୍ତ ପାଇଲେ । ମାଧୋଙ୍କର ଅନ୍ୟ ଏକ ପୁତ୍ର ହଟେ ସିଂହ ବା ହାତୀ ସିଂଙ୍କୁ ଦୀପାନ୍ତର କରି ଆଣ୍ତାମାନ୍‍ ପଠାଇ ଦିଆଗଲା । ବିଦ୍ରୋହୀମାନେ ସମ୍ବଲପୁର ସହିତ ହଜାରିବାଗ, ରାଞ୍ଚି, କଟକ ଓ ନାଗପୁରର ଯୋଗାଯୋଗକୁ୧୯୨ . ଓଡ଼ିଶା ଇତିହାସ