ପୃଷ୍ଠା:Odisha Itihasa.pdf/୧୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ, ରାଜା-ଜମିଦାରମାନେ ଜନ ଅସନ୍ତୋଷର ନେତୃତ୍ୱ ନେଉଥିଲେ, ଦ୍ୱିତୀୟାର୍ଦ୍ଧରେ ସେମାନେ ତା'ର କାରଣ ହେଲେ; ଶତ୍ରୁ ରୂପେ ଗଣା ହେଲେ । ଅନେକ ସ୍ଥଳରେ ବିଦ୍ରୋହୀ ପକ୍ଷ ଇଂରେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟସ୍ଥି ଭାବରେ ମଧ୍ୟ ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ, ଇଂରେଜ ସରକାରଙ୍କୁ ବଳୟ ଭାବରେ ପାଇ ସ୍ଥାନୀୟ ରାଜା, ଜମିଦାରମାନେ ପୂର୍ବାପେକ୍ଷା ଅଧିକ ସ୍ୱେଚ୍ଛାଚାରୀ ଓ ଅତ୍ୟାଚାରୀ ହୋଇ ପଡ଼ିଲେ । ଇଂରେଜ ସରକାର ମଧ୍ୟ ରାଜା-ଜମିଦାରମାନଙ୍କୁ ବଳୟ ଭାବରେ ବ୍ୟବହାର କରି ଜନବିରୋଧୀ ଔପନିବେଶିକ ପରିବର୍ତ୍ତନ ଆଣିବା ସହଜ ଓ ସୁବିଧାଜନକ ମନେକଲେ । ଫଳରେ ବ୍ୟକ୍ତି ସ୍ୱାଧୀନତା, ଗଣତନ୍ତ୍ର, ସାମାଜିକ ସୁରକ୍ଷା ଆଦିର ଉତ୍ପତ୍ତିସ୍ଥଳ ବୋଲି ନିଜକୁ ଦାବି କରୁଥିବା ଇଂରେଜ ସରକାର; ସ୍ୱେଚ୍ଛାଚାରୀ, ଅତ୍ୟାଚାରୀ ଓ ଅମାନବୀୟ ରାଜା ଜମିଦାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଓ ସୁରକ୍ଷା ଦେବାକୁ ପଛାଉ ନଥିଲେ । ଦ୍ୱିତୀୟାର୍ଦ୍ଧର ଏହି ବିଦ୍ରୋହଗୁଡିକ ମୁଖ୍ୟତଃ ଗଡ଼ଜାତମାନଙ୍କରେ ଦେଖିବାକୁ ମିଳେ । କାରଣ, ମୋଗଲବନ୍ଦି ଅଞ୍ଚଳ ଅପେକ୍ଷା ସେଠରେ ପ୍ରଜା ଉତ୍ପୀଡ଼ନର ମାତ୍ରା ଅଧିକ ଅମାନବୀୟ ଓ ନୃଶଂସ ଥିଲା । ଶାନ୍ତିପୂର୍ଣ୍ଣ, ସାମ୍ବିଧାନିକ ବା ଗଣତାନ୍ତ୍ରିକ ଆନ୍ଦୋଳନପାଇଁ ଆଦୌ ଅବସର ନଥିଲା । ଅର୍ଥାତ୍‍ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମୋଗଲବନ୍ଦି ଅଞ୍ଚଳରେ ଯେତେବେଳେ ଗଣତାନ୍ତ୍ରିକ ଆନ୍ଦୋଳନ ରୂପରେ ଜାତୀୟତାର ଉନ୍ମେଷ ଦେଖାଗଲା (ଏହା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚିତ ହେବ), ସେତେବେଳେ ଗଡ଼ଜାତ ଅଞ୍ଚଳରେ ଏହା ପାରମ୍ପରିକ ବିଦ୍ରୋହର ରୂପ ନେଲା ।

ବାମନଘାଟି ବିଦ୍ରୋହ, ୧୮୬୬ ବାମନଘାଟି ଥିଲା ମୟୂରଭଞ୍ଜ ରାଜ୍ୟର ଏକ କୋହ୍ଲ ଆଦିବାସୀବହୁଳ ଅଞ୍ଚଳ । ଔପନିବେଶିକ ଶାସନ ବିରୁଦ୍ଧରେ ଏଠାରେ କୋହ୍ଲମାନେ ନାନା ରୂପରେ ପ୍ରତିକ୍ରିୟା ପ୍ରକାଶ କରୁଥିଲେ । ୧୮୨୧ରେ ସେମାନେ ସିଂହଭୂମରେ ଛାଉଣି ପକାଇ ରହିଥିବା ଇଂରେଜ ସୈନ୍ୟମାନଙ୍କୁ ଆକ୍ରମଣ କରିଥିଲେ । କଲିକତା ଓ ନାଗପୁରକୁ ସଂଯୋଗ କରୁଥିବା ରାଜପଥର କଡେ଼ କଡେ଼ କୋହ୍ଲ ବସତିମାନ ଅବସ୍ଥିତ ଥିଲା । ଏହାର ସୁଯୋଗ ନେଇ ସେମାନେ ସରକାରୀ ଡାକ ଓ ବ୍ୟବସାୟୀମାନଙ୍କୁ ଲୁଟତରାଜ କରୁଥିଲେ । ଅନେକ ସମୟରେ ସରକାରୀ ଧନସମ୍ପତ୍ତି ଓ କର୍ମଚାରୀ ବ୍ୟତୀତ ଅଣ-ଆଦିବାସୀ ବ୍ୟବସାୟୀ ଓ କୃଷକମାନେ ମଧ୍ୟ ଆଦିବାସୀ ଆକ୍ରମଣର ଶିକାର ହେଉଥିଲେ । ସ୍ଥାନୀୟ ଆଦିବାସୀ ଲୋକଙ୍କୁ ସେମାନେ 'ଦେଶଲୋକ' ଓ ବାହାର ଅଣ-ଆଦିବାସୀମାନଙ୍କୁ 'ହାଟୁଆ' ବା 'ଦିକୁ' ବୋଲି କହୁଥିଲେ । 'ଦେଶଲୋକ' ବ୍ୟତୀତ ଅନ୍ୟମାନଙ୍କୁ ସେମାନେ ନିଜ ବିପନ୍ନତାପାଇଁ ଦାୟୀ କରୁଥିଲେ । କୋହ୍ଲ ବ୍ୟତୀତ 'ଦେଶଲୋକ' ମଧ୍ୟରେ ଅନ୍ୟ ଆଦିବାସୀ, ଯଥା- ସାନ୍ତାଳ, ଖଡ଼ିଆ, ଲୋଧା, ଭୂମିଜ, ମୁଣ୍ତା, ବାଥୁଡ଼ି, ଧରୁଆ ଓ ହୋ ମଧ୍ୟ ସାମିଲ୍‍ ଥିଲେ । ବାମନଘାଟି ବିଦ୍ରୋହରେ କୋହ୍ଲମାନଙ୍କର ସଂଖ୍ୟା ବହୁଳତା ଥିଲା । ତା' ସହିତ ଅନ୍ୟ ଆଦିବାସୀମାନଙ୍କର ମଧ୍ୟ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ରହିଥିଲା ।୧୯୮ . ଓଡ଼ିଶା ଇତିହାସ