ପୃଷ୍ଠା:Odisha Itihasa.pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୃଷ୍ଟି ହୋଇଥିଲା । ସବୁଗୁଡ଼ିକ ବିଦ୍ରୋହରେ ଏହି ସମୟରେ ରାଜା ପ୍ରଜାଙ୍କ ରୋଷର ଶିକାର ହୋଇଛନ୍ତି । ଅନେକତ୍ର ଅଣ-ସ୍ଥାନୀୟ ସାହୁକାର, ମହାଜନ ଓ ଅମଲାମାନେ ଆକ୍ରମଣର ଶିକାର ହୋଇଛନ୍ତି । ଇଂରେଜ ଶୋଷଣପାଇଁ ଏହି ଅଣ-ସ୍ଥାନୀୟ ବା ବାହାର ଲୋକ (ଦିକୁ) ସୁରକ୍ଷା ବଳୟ ସାଜିଥିବାରୁ ଆକ୍ରମଣ ସେମାନଙ୍କ ଉପରେ ହେଉଥିଲା । କନ୍ଧ ମେଳି, ଭୂୟାଁ ମେଳି ବା କୋହ୍ଲ ମେଳି ଆଦି ନାଁରେ ଏହି ବିଦ୍ରୋହ ନାମିତ ହୋଇଥିଲା । କାରଣ ତହିଁରେ ଉକ୍ତ ଆଦିବାସୀ ସଂପ୍ରଦାୟର ପ୍ରମୁଖ ଭୂମିକା ରହିଥିଲା । ମାତ୍ର ଅନ୍ୟ ଆଦିବାସୀ ଓ ଅଣ -ଆଦିବାସୀ ପ୍ରଜା ମଧ୍ୟ ବିଦ୍ରୋହରେ ସକ୍ରିୟ ରହୁଥିଲେ । ଦିକୁ ନାମରେ ସାଧାରଣତଃ ଶୋଷଣକାରୀ ବାହାର ଲୋକ ହିଁ ଆଦିବାସୀ ରୋଷର ଶିକାର ହେଉଥିଲେ । 'ଦିକୁ' ତେଣିକି ଶୋଷଣକାରୀର ସମାର୍ଥବୋଧକ ଶବ୍ଦ ହେଲା । ଗରିବ ଅଣ-ଆଦିବାସୀ ସାଧାରଣ ପ୍ରଜା ପ୍ରତି ବିଦ୍ରୋହୀ ଆଦିବାସୀଙ୍କର କୌଣସି ଅସୂୟା ଭାବ ରହୁ ନଥିଲା । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀର ଏହିସବୁ ଆଦିବାସୀ ମେଳି ଓ ମେଳିଆଙ୍କ ପ୍ରତି କୌଣସି ଦରଦ ଥିବାର ପ୍ରମାଣ ମିଳେ ନାହିଁ । ଔପନିବେଶିକ ଶାସନ ବିରୁଦ୍ଧରେ ଉଭୟ ବର୍ଗ (ଆଦିବାସୀ ଓ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ) ସଂଗ୍ରାମ କରୁଥିଲେ ସୁଦ୍ଧା ଉଭୟଙ୍କ ମଧ୍ୟରେ କୌଣସି ସମନ୍ୱୟ ଦେଖିବାକୁ ମିଳୁନଥିଲା । ବରଂ ଅନେକ କ୍ଷେତ୍ରରେ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀର ନେତୃବୃନ୍ଦ ଆଦିବାସୀ ବିଦ୍ରୋହର ଦମନରେ ପ୍ରତ୍ୟକ୍ଷ ସହାୟତା କରୁଥିଲେ । ଉଦାହରଣ ସ୍ୱରୂପ, ମଧୁସୂଦନ ଦାସ ଓ ଫକୀରମୋହନ ସେନାପତି ଏକାଧିକ ଥର ଅତ୍ୟାଚାରୀ ରାଜାଙ୍କ ପକ୍ଷଭୁକ୍ତ ହୋଇ ଆଦିବାସୀ ବିଦ୍ରୋହୀଙ୍କୁ ଦମନ କରିବାର ବାଟ ଖୋଜିଛନ୍ତି । ଏହା ବହୁ ମାତ୍ରାରେ ଦ୍ୱିଧାପୂର୍ଣ୍ଣ ହେଲେ ସୁଦ୍ଧା, ଊନବିଂଶ ଶତାବ୍ଦୀର ଯେ ଏକ କ୍ରୂର ବାସ୍ତବିକତା- ଏଥିରେ ସନ୍ଦେହ ନାହିଁ ।

...

୨୦୮ . ଓଡ଼ିଶା ଇତିହାସ