ପୃଷ୍ଠା:Odisha Itihasa.pdf/୨୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିଥିଲେ । ସେହି ସମୟରେ ପାଟଣା (ବଲାଙ୍ଗୀର)ରେ ପ୍ରଜା ରାଜସ୍ୱ ଅସୁଲ ବେଳେ ଅବଲମ୍ବନ କରାଯାଉଥିବା କଠୋର ନୀତି ବିରୁଦ୍ଧରେ ବିଦ୍ରୋହ କଲେ । ରାଜା ସୁରପ୍ରତାପ ଦେଓ ଏବଂ ତାଙ୍କ ଭାଇ ଲାଲା ବିଶ୍ୱନାଥ ସିଂହଙ୍କୁ ସେମାନେ ନୂତନ ରାଜସ୍ୱ ନୀତିପାଇଁ ଦାୟୀ କରୁଥିଲେ । ରାଜ୍ୟରେ ଅଣ-ଆଦିବାସୀମାନଙ୍କୁ ଜମି ଦେଇ ରାଜା ରାଜସ୍ୱ ଅସୁଲ ଦାୟିତ୍ୱ ଦେଉଥିବାରୁ ଆଦିବାସୀମାନେ ତା'ର ବିରୋଧ କରୁଥିଲେ, କାରଣ ତା'ଦ୍ୱାରା ସ୍ଥାନୀୟ ଆଦିବାସୀର ସମ୍ମାନ ନଷ୍ଟ ହେଉଥିଲା ତଥା ତା'ଭାଗର ଜମି ହସ୍ତାନ୍ତର ହେଉଥିଲା । କଳାହାଣ୍ତି ରାଜାଙ୍କ ସହାୟତାରେ ପାଟଣା ରାଜା ଅନେକ ବିଦ୍ରୋହୀଙ୍କୁ ବନ୍ଦି ଓ ହତ୍ୟା କଲେ । ଶେଷରେ ଇଂରେଜ ସରକାର ବିଶ୍ୱନାଥ ସିଂହଙ୍କୁ ପାଟଣାରୁ ବହିଷ୍କୃତ କରି ସମ୍ବଲପୁରରେ ଥଇଥାନ କଲେ । ୧୮୭୮ରେ କଳାହାଣ୍ତି ରାଜ୍ୟର ରାମପୁର-ମଦନପୁରରେ ଆଦିବାସୀ ବିଦ୍ରୋହ ଆରମ୍ଭ ହୋଇଥିଲା । କର ଭାର ଏତେ ମାତ୍ରାରେ ସେଠି ବୃଦ୍ଧି ପାଇଥିଲା ଯେ, ଆଦିବାସୀ ପ୍ରଜା ଗାଁ ଛାଡ଼ି ଘନ ଜଙ୍ଗଲକୁ ବାଧ୍ୟ ହୋଇ ପଳାୟନ କରୁଥିଲେ । ସେମାନଙ୍କ ସମତଳ ଅଞ୍ଚଳରେ ଥିବା ଜମି ଓ ଘରବାଡ଼ି ଅଣ-ଆଦିବାସୀ ସାହୁକାର ହାତକୁ ଚାଲି ଯାଉଥିଲା । କାରଣ ଋଣ କରି ସେମାନେ କର ଦେବାକୁ ବାଧ୍ୟ ହେଉଥିଲେ । ଜଙ୍ଗଲ ଉପରୁ ମଧ୍ୟ ସେମାନଙ୍କର ଅଧିକାର ଶେଷ କରିଦିଆଗଲା । ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବା ତଥା ଗଛ କାଟିବା ଅପରାଧରେ ରାଜା ଆଦିବାସୀମାନଙ୍କ ପ୍ରତି ଦଣ୍ତ ବିଧାନ କରୁଥିଲେ, ଯାହାକୁ ଆଦିବାସୀମାନେ କଦାଚିତ ସ୍ୱୀକାର କରି ପାରୁ ନଥିଲେ । ଉତ୍ତ୍ୟକ୍ତ ଆଦିବାସୀ ଅଣ-ଆଦିବାସୀ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ କରୁଥିଲେ; ଲୁଟତରାଜ କରି ଗ୍ରାମଗୁଡ଼ିକୁ ପୋଡ଼ି ଦେଉଥିଲେ । ୧୮୮୧ରେ କଳାହାଣ୍ତି ରାଜା ଉଦିତପ୍ରତାପ ଦେଓଙ୍କର ମୃତ୍ୟୁ ହେଲା । ତାଙ୍କ ପୋଷ୍ୟପୁତ୍ରଙ୍କୁ ସ୍ଥାନୀୟ ଆଦିବାସୀ (କନ୍ଧ)ମାନେ ନୂତନ ରାଜା ଭାବରେ ସ୍ୱୀକାର କଲେ ନାହିଁ । ଉଦିତପ୍ରତାପ ଓ ସରକାରଙ୍କ ମଧ୍ୟରେ ଘନିଷ୍ଠ ବୁଝାମଣା ଥିଲା । ସେହି ଆଧାରରେ ରାଜାଙ୍କ ଦ୍ୱାରା ନିଯୁକ୍ତ ଉତ୍ତରାଧିକାରୀଙ୍କୁ କନ୍ଧମାନେ ସ୍ୱୀକାର କଲେ ନାହିଁ । ସେମାନେ ନୂତନ ରାଜାଙ୍କ ଅଭିଷେକ ପର୍ବରେ ମଧ୍ୟ ଯୋଗ ଦେଲେ ନାହିଁ । ୧୮୮୨ରେ ସେମାନେ ଓଡ଼ିଆ ଜମିଦାରମାନଙ୍କ ଘର ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ କଲେ । ଶତାଧିକ ଅଣ-ଆଦିବାସୀ (ଓଡ଼ିଆ) ଗାଁକୁ ପୋଡ଼ି ଦିଆଗଲା । ୧୮୯୪ରେ ସାମରିକ କାର୍ଯ୍ୟାନୁଷ୍ଠାନଦ୍ୱାରା ସରକାର କନ୍ଧ ମେଳିକୁ ଦମନ କଲେ । ରାଜ୍ୟର ଶାସନ ଭାର ରାଜା ସାବାଳକ ହେବା ପର୍ଯ୍ୟନ୍ତ ସରକାର ଅଧୀନକୁ ସ୍ଥାନାନ୍ତରିତ ହେଲା । ଏହିଭଳି ଭାବେ ଦାବି ପୂରଣ ନହେବା ସତ୍ତ୍ୱେ ସାମରିକ ବଳ ପ୍ରୟୋଗଯୋଗୁଁ କଳାହାଣ୍ତି ବିଦ୍ରୋହ ଅବଦମିତ ହେଲା ।

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସଂଘଟିତ ସବୁଗୁଡ଼ିକ ଆଦିବାସୀ ଓ ପ୍ରଜା ବିଦ୍ରୋହ ଇତିହାସ ପୁସ୍ତକରେ ସାମିଲ ହୋଇ ପାରିନାହିଁ । ଯେଉଁ ବିଦ୍ରୋହରେ ଅଧିକ କ୍ଷୟକ୍ଷତି ହୋଇଛି ବା ଅଧିକ ସଂଖ୍ୟାରେ ଲୋକଙ୍କ ପ୍ରାଣ ଯାଇଛି, କେବଳ ସେଗୁଡ଼ିକ ଗବେଷକମାନଙ୍କ ଦୃଷ୍ଟିକୁ ଆସିଛି । ମାତ୍ର ପ୍ରାୟ ଗଡ଼ଜାତରେ ବିଦ୍ରୋହ ହୋଇଛି ଅଥବା ବିଦ୍ରୋହ ହେବା ଭଳି ପରିସ୍ଥିତି{{right|ଓଡ଼ିଶା ଇତିହାସ . ୨୦୭