ପୃଷ୍ଠା:Odisha Itihasa.pdf/୨୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଂଶବିଶେଷ । ପ୍ରତ୍ୟେକ ଅଂଶର ପୁଣି ବିଶେଷ ମହତ୍ତ୍ୱମାନ ରହିଛି । ଆନ୍ଦୋଳନର ସାମଗ୍ରିକ ରୂପକୁ ଜାଣିବାକୁ ହେଲେ ଖଣ୍ତଗୁଡ଼ିକର ବୈଶିଷ୍ଟ୍ୟକୁ ବୁଝିବା ଆବଶ୍ୟକ । ପୁଣି, ଗୋଟାଏ ଖଣ୍ତକୁ ବୁଝିବା ନାଁରେ ଅନ୍ୟ ଖଣ୍ତଗୁଡ଼ିକୁ ଗୌଣ ପ୍ରତିପାଦନ କରାଯାଇ ନପାରେ । ଇତିହାସର ସେହିଭଳି ଖଣ୍ତିତ ଅଧ୍ୟୟନ ନା ଇତିହାସ ସମ୍ମତ, ନା ଆମୋଦଦାୟୀ ! ବରଂ ପ୍ରକାରାନ୍ତରେ ତାହା ଆମର ଦୂରଦୃଷ୍ଟିଶୂନ୍ୟତାକୁ ପରିସ୍ଫୁଟ କରେ ।
ଭାରତ ହେଲା ଏକ ବହୁ ଅଞ୍ଚଳବିଶିଷ୍ଟ କ୍ଷେତ୍ରର ସାମୂହିକ ନାମ । ତହିଁରେ ଅନେକ ଆଞ୍ଚଳିକ ଭାଷା, ଅନେକ ସଂସ୍କୃତି, ଅନେକ ଧର୍ମ ଏବଂ ଅନେକ ବର୍ଣ୍ଣ । ଜାତୀୟତାର ଚେର ଏହି ବିସ୍ତୃତ କ୍ଷେତ୍ରର କୋଣ ଅନୁକୋଣକୁ ପରିବ୍ୟାପ୍ତ । ଅନ୍ୟଥା ଆନ୍ଦୋଳନ ଗଣାଭିମୁଖୀ ହୋଇ ପାରିନଥାନ୍ତା । ଅର୍ଥାତ୍‍ ଜାତୀୟତାର ବିଚାରଧାରାକୁ ଲୋକଙ୍କ ଉପରେ ଲଦି ଦିଆଯାଇ ନାହିଁ । ସାଂପ୍ରତିକ ସ୍ଥିତିରେ ଲୋକ ଜାତୀୟତାକୁ ଆଦର୍ଶ ସମାଜ ଗଢ଼ିବା ଲାଗି ମାଧ୍ୟମ ମନେ କରୁଥିଲେ । ଏହା ଜାତୀୟତା ଆନ୍ଦୋଳନକୁ ବିସ୍ତାରିତ ହେବାଲାଗି ସହଯୋଗ କଲା ।

ଭାରତରେ ଜାତୀୟତା ଆନ୍ଦୋଳନ ବିବିଧତାପୂର୍ଣ୍ଣ । ଲୋକ ନିଜ ନିଜ ସ୍ତରରେ ତାକୁ ନେଇ ପରିକଳ୍ପନାମାନ କରିଛନ୍ତି । ଜାତୀୟତାର ମୁଖ୍ୟ ସ୍ୱର ବ୍ରିଟିଶ ଉପନିବେଶବାଦୀ ବିରୋଧୀ ହେଲା ପରେ ବି, ଆଞ୍ଚଳିକ ସ୍ତରରେ ତା'ର ବୈଶିଷ୍ଟ୍ୟ ଭିନ୍ନ ଭିନ୍ନ । ପ୍ରାନ୍ତୀୟ ସ୍ତରରେ ଆନ୍ଦୋଳନ ବା ଜାତୀୟତାର ବିଚାରଧାରାକୁ ଆଉ କାହାରି ନକଲ ବୋଲି କୁହାଯାଇ ନ ପାରେ । ଆଞ୍ଚଳିକ ସ୍ତରର ନେତୃବୃନ୍ଦ ରାଷ୍ଟ୍ର ଗଠନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୃଜନଶୀଳ ଢଙ୍ଗରେ ଆନ୍ଦୋଳନକୁ ବିସ୍ତାରିତ କରିବାପାଇଁ ପ୍ରୟାସ କରିଛନ୍ତି । ଆଞ୍ଚଳିକ ବୈଶିଷ୍ଟ୍ୟ ଜାତୀୟତାକୁ ରଂଗରୂପ ଦେଇଛି, ଶକ୍ତି ଦେଇଛି ତଥା ଋଦ୍ଧିମନ୍ତ କରାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଓ ବିସ୍ତାରକୁ ଦେଖାଯାଇପାରେ । ଏହା ଆଞ୍ଚଳିକ ବିବିଧତା ଓ ଜାତୀୟ ଏକତା ମଧ୍ୟରେ ରହିଥିବା ପାରସ୍ପରିକ ପରିପୂରକତାକୁ ଅନୁଭବ କରିବାରେ ସହାୟକ ହେବ ।

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେତେବେଳେ ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ କ୍ଷେତ୍ରରେ ଆଦିବାସୀ ପ୍ରଜା ଓ ରୟତମାନେ ଇଂରେଜ ଶାସନ ବିରୋଧରେ ଏବଂ ସେହି ଶାସନର ଢାଲ ରୂପେ କାର୍ଯ୍ୟ କରୁଥିବା ରାଜା-ଜମିଦାରମାନଙ୍କ ବିରୋଧରେ ବିଦ୍ରୋହ କଲେ, ସେହି ସମୟରେ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀ ମଧ୍ୟ ଔପନିବେଶିକ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କଲେ । ଏହି ପ୍ରତିକ୍ରିୟାରୁ ଜାତୀୟତାର ଉନ୍ମେଷ ଘଟିଲା । ବିଦ୍ରୋହ ଓ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ମଧ୍ୟରେ ସମନ୍ୱୟ ନ ଥିଲା, କାରଣ ବୁଦ୍ଧିଜୀବୀର ପ୍ରତିକ୍ରିୟା ପାରମ୍ପରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ନକରି ଏକ ନୂଆ ରାଜନୀତିକ ସଂଗ୍ରାମର ଅୟମାରମ୍ଭ କରୁଥିଲା । ଏହି ସଂଗ୍ରାମରେ ପାଶ୍ଚାତ୍ୟ ଚେତନାର ପ୍ରଭାବ ରହିଥିଲା । ଉପନିବେଶବାଦ ଭଳି ଏକ ନୂଆ ସମସ୍ୟାର ସମ୍ମୁଖୀନ ହେବାଲାଗି ଏହାର ଆବଶ୍ୟକତା ଥିଲା । ପାରମ୍ପରିକ ମାଧ୍ୟମଗୁଡ଼ିକ ଉପନିବେଶବାଦ ବିରୁଦ୍ଧରେ ଲଢ଼ିବାଲାଗି ଯଥେଷ୍ଟ ନୁହନ୍ତି ବୋଲି ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ଅନୁଭବରୁ ବୁଝି ପାରିଥିଲେ ।୨୧୨ . ଓଡ଼ିଶା ଇତିହାସ