ପୃଷ୍ଠା:Odisha Itihasa.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଧ୍ୟମରେ ମତବ୍ୟକ୍ତ କରି ଜାତୀୟତା କାର୍ଯ୍ୟକୁ ଆଗକୁ ନେବାକୁ ଉଦ୍ୟମ କରୁଥିଲେ । ଠିକ୍‍ ସେହି ସମୟରେ ୧୯୦୩ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଜାତୀୟ କଂଗ୍ରେସର ପ୍ରତିଯୋଗୀ ସଂଗଠନ ଭଳି ପ୍ରତୀୟମାନ ହେଉଥିବା ଏକ ଅନୁଷ୍ଠାନ 'ଉତ୍କଳ ସମ୍ମିଳନୀ' କଟକଠାରେ ସ୍ଥାପିତ ହେଲା । ଠିକ୍‍ ଏହି ସମୟରେ ମାଡ୍ରାସଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ଚାଲିଥିଲା ଏବଂ ସରକାର ପ୍ରତି କଂଗ୍ରେସ ନେତୃତ୍ୱ ପୂର୍ବାପେକ୍ଷା ଅଧିକ କଠୋର ମନୋଭାବ ପ୍ରକାଶ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ, 'ଉତ୍କଳ ସମ୍ମିଳନୀ' ସ୍ଥିର କଲା ଯେ, ଓଡ଼ିଶାର ଆଞ୍ଚଳିକ ସ୍ୱାର୍ଥକୁ ସମ୍ମିଳନୀ ପ୍ରମୁଖତା ଦେବ ଏବଂ 'ରାଜନୀତି' ଅର୍ଥାତ କଂଗ୍ରେସ ରାଜନୀତିରୁ ଦୂରରେ ରହିବ । ଅନ୍ୟ ଶବ୍ଦରେ କହିଲେ, ବିଂଶ ଶତାବ୍ଦୀର ଆରମ୍ଭରେ ଯେତେବେଳେ ରାଷ୍ଟ୍ର ସ୍ତରରେ ଜାତୀୟତା ଆନ୍ଦୋଳନ ଏକ ଠୋସ ସ୍ୱରୂପ ନେବା ଆରମ୍ଭ କଲା ଏବଂ ତା'ର ପ୍ରମାଣ ସ୍ୱରୂପ ସରକାର ପ୍ରତି ଜାତୀୟ କଂଗ୍ରେସର ବିରୋଧତା ବୃଦ୍ଧି ପାଇଲା, ଠିକ ସେତେବେଳେ 'ଉତ୍କଳ ସମ୍ମିଳନୀ' ନାଁରେ ଓଡ଼ିଶାର ବୁଦ୍ଧିଜୀବୀ ଏକ ସ୍ୱତନ୍ତ୍ର ସଂଗଠନ ଆରମ୍ଭ କଲେ ଏବଂ 'ରାଜନୀତି'ରୁ ଏହା ଦୂରରେ ରହିବ ବୋଲି ନିଷ୍ପତ୍ତି ନେଲେ, ଯାହାର ପ୍ରକୃତ ଅର୍ଥ ହେଲା ଜାତୀୟ କଂଗ୍ରେସଠାରୁ ଦୂରେଇ ଯାଇ ବ୍ରିଟିଶ ସରକାରର ନିକଟତର ହେବା । ମନେହେଲା, ଯେମିତି ବ୍ରିଟିଶ ଆନୁଗତ୍ୟ ଏବଂ କଂଗ୍ରେସ ରାଜନୀତି ମଧ୍ୟରେ ଉତ୍କଳୀୟ ବୁଦ୍ଧିଜୀବୀ ପ୍ରଥମଟିକୁ ବାଛିନେଇ ଦ୍ୱିତୀୟଟିକୁ ଦୂରେଇ ଦେଲେ । ପ୍ରଥମ 'ଉତ୍କଳ ସମ୍ମିଳନୀ'ରେ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳରୁ ପ୍ରାୟ ୩୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ସଭାପତିତ୍ୱ କରିଥିଲେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଏବଂ ସମ୍ମିଳନୀର ସଫଳତା କାମନା କରି ବାର୍ତ୍ତା ପଠାଇଥିଲେ ଓଡ଼ିଶା ଡିଭିଜନର ଚିଫ୍‍ କମିସନର କେ.ଜି. ଗୁପ୍ତା । ସରକାରୀ କର୍ମଚାରୀମାନଙ୍କୁ ସମ୍ମିଳନୀରେ ଯୋଗଦେବାକୁ କାଳେ ସରକାର ବାସନ୍ଦ କରିବେ, ସେହି ଆଶଙ୍କାରେ ପାରିତ ହେବାକୁ ଥିବା ପ୍ରସ୍ତାବଗୁଡ଼ିକୁ ମଧ୍ୟ ସରକାରଙ୍କୁ ଆଗରୁ ଦେଖାଇ ଦିଆଯାଇଥିଲା, ଯାହାର ଅର୍ଥ ହେବ ସରକାରଙ୍କ ଅନୁମତି ନେଇ ପ୍ରସ୍ତାବ ପାସ କରାଯାଇଥିଲା । ୧୮୮୫ରେ ଜାତୀୟ କଂଗ୍ରେସର ଗଠନ ବେଳେ ସରକାର ପ୍ରତି ନେତୃବୃନ୍ଦ ଯେଉଁ ଆନୁଗତ୍ୟ ଦେଖାଇଥିଲେ, ୧୯୦୩ରେ 'ଉତ୍କଳ ସମ୍ମିଳନୀ'ର ଗଠନ ବେଳେ ଉତ୍କଳୀୟ ନେତୃତ୍ୱ ସେହି ଭାବ ପ୍ରଦର୍ଶନ କଲେ । ଏହି ଆଧାରରେ ମନେ ହୋଇପାରେ ଯେ, ଓଡ଼ିଶା ଅନ୍ତତଃ ଜାତୀୟତା ପ୍ରଶ୍ନରେ ଦେଶର ଅନ୍ୟମାନଙ୍କଠାରୁ ଦୁଇ ଦଶନ୍ଧି ପ୍ରାୟ ପଛରେ ଗଲା ! ଏହି ଆଧାରରେ ଏକଥା ବି ମନେ ହୋଇପାରେ ଯେ ଜାତୀୟ କଂଗ୍ରେସର ବିରୋଧ କରିବାସକାଶେ ହୁଏତ ଉତ୍କଳ ସମ୍ମିଳନୀର ଗଠନ କରାଯାଇଥିଲା । ଅର୍ଥାତ ଜାତୀୟ ସ୍ୱାର୍ଥ ଏବଂ ପ୍ରାଦେଶିକ ସ୍ୱାର୍ଥ ମଧ୍ୟରେ ପରିପୂରକତା ସମ୍ଭବ ନୁହେଁ । ମାତ୍ର ପ୍ରକୃତରେ ଦେଖିଲେ ଏହା ସତ ନୁହେଁ । ଜାତୀୟ କଂଗ୍ରେସର ପ୍ରତଯୋଗୀ ବା ବିରୋଧୀ ସଂଗଠନ ଭାବରେ ଉତ୍କଳ ସମ୍ମଳନୀକୁ ଦେଖିହେବ ନାହିିଁ । ଯଦିଓ କେତୋଟି ପ୍ରସଙ୍ଗକୁ ନେଇ ଉଭୟ ବିଚାରଧାରା ମଧ୍ୟରେ ମତ ପାର୍ଥକ୍ୟ ରହିଥିଲା, ତଥାପି କଂଗ୍ରେସର ଏକ ସହଯୋଗୀ ଭାବରେ ଏବଂ ଜାତୀୟତା ସଂଗ୍ରାମର ଏକ ଅଭିନ୍ନ ଅଂଶ ରୂପେ ହିିଁ 'ଉତ୍କଳ ସମ୍ମଳନୀ'କୁ ଦେଖିହେବ । ପ୍ରକୃତରେ{{right|ଓଡ଼ିଶା ଇତିହାସ . ୨୩୧