ପୃଷ୍ଠା:Odisha Itihasa.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱରାଜ୍ୟ ପ୍ରାପ୍ତି ସମ୍ଭାବନାର ଆଧାର ଥିଲା ସରକାରଙ୍କ ସହିତ ଅସହଯୋଗ । ଯେହେତୁ ଭାରତୀୟଙ୍କ ସହଯୋଗ ବଳରେ ବ୍ରିଟଶ ସରକାର ଭାରତରେ ପ୍ରତିଷ୍ଠିତ, ସେହି ସହଯୋଗକୁ ପ୍ରତ୍ୟାହାର କରାଗଲେ ବିଦେଶୀମାନେ ଆପେ ଆପେ ଦେଶ ଛାଡ଼ି ଚାଲିଯିବେ ବୋଲି ଅନୁମାନ କରାଯାଉଥିଲା । ଆନ୍ଦୋଳନକାରୀ ନିଜ ନିଜ ସ୍ତରରେ ସ୍ୱରାଜର ଅର୍ଥ କଲେ ଏବଂ ସେହି ଆଶାରେ ଆନ୍ଦୋଳନରେ ସହଭାଗୀ ହେଲେ । ଅସହଯୋଗପାଇଁ ମନ୍ତ୍ର ହେଲା ସରକାରୀ ପଦପଦବୀ, ବିଦେଶୀ ବସ୍ତ୍ର, କୋର୍ଟ କଚେରି, ଅଫିସ ଏବଂ ସରକାରୀ ସ୍କୁଲ ଓ କାଉନ୍‍ସିଲ୍‍ ବର୍ଜନ । ଏହାର ବିକଳ୍ପ ଭାବରେ କଂଗ୍ରେସ ଲୋକ ଗାଁ ଗାଁରେ ପଞ୍ଚାୟତ ବସାଇଲେ, ଜାତୀୟ ସ୍କୁଲ ପ୍ରତିଷ୍ଠା କଲେ ଏବଂ ସ୍ୱଦେଶୀକୁ ପ୍ରୋତ୍ସାହିତ କଲେ । ଫଳରେ, ବ୍ରିଟଶ ଉପନିବେଶବାଦ ଯେଉଁ କର୍ତ୍ତୃତ୍ୱ ଲୋକଙ୍କ ଉପରେ ମାନସିକ ସ୍ତରରେ ଜାହିର କରିଥିଲା, ତାହା ଅନେକାଂଶରେ ଊଣା ହେଲା । ପଞ୍ଚାୟତ, ସ୍କୁଲ ପରିଚାଳନା ତଥା ଖଦିର ପ୍ରସାର କରିବା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସ୍ୱ-ଶାସନ ପାଇଁ ଆତ୍ମବିଶ୍ୱାସ ଜାଗ୍ରତ ହେଲା । ସ୍ୱଦେଶୀର ପ୍ରସାର ଫଳରେ ବିଦେଶୀ ଲୁଗାର ଆମଦାନୀ କିଛି ଅଂଶରେ ଊଣା ପଡ଼ିଲା । ଯଦି ଅସହଯୋଗ ଆନ୍ଦୋଳନର ଦୁଇଗୋଟି ପ୍ରମୁଖ ଉପଲବ୍ଧିକୁ ଗଣାଯାଏ, ତେବେ ବୋଧହୁଏ ଗୋଟାଏ ହେବ ଲୋକଙ୍କ ଭିତରେ ମାନସିକ ସ୍ତରରେ ଉପନିବେଶବାଦୀ କର୍ତ୍ତୃତ୍ୱ ହ୍ରାସପାଇବା । ଅର୍ଥାତ୍‍ ବିଦେଶୀ ଶାସନ ଉପରେ ଭୟ ଓ ନିର୍ଭରଶୀଳତା ଊଣା ହେବା । ଦ୍ୱିତୀୟଟି ହେବ ସ୍ୱାବଲମ୍ବ ଏବଂ ସ୍ୱ-ଶାସନ ପାଇଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହେବା । ଏହି ଉପଲବ୍ଧିର ପରିମାଣ ପରବର୍ତ୍ତୀ ସମୟରେ କ୍ରମଶଃ ବୃଦ୍ଧି ପାଇଲା, ଯାହାର ପରିଣାମ ସ୍ୱରୂପ ସ୍ୱାଧୀନତାର ଦିନ ନିକଟତର ହେଲା । ଅନ୍ୟ ଶବ୍ଦରେ କହିଲେ, ଗଣଆନ୍ଦୋଳନର କାଳାଂଶ (୧୯୨୦-୪୭)କୁ ଯଦି ସ୍ୱାଧୀନତା ସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ବୋଲି କୁହାଯାଏ, ତେବେ ଅସହଯୋଗ ହେବ ସେହି ଅନ୍ତିମ ପର୍ଯ୍ୟାୟର ପ୍ରଥମ ପରିଚ୍ଛେଦ । ଏହି ସମୟରେ ଆନ୍ଦୋଳନ କେତେଗୋଟି ନିର୍ଦ୍ଦିଷ୍ଟ ବର୍ଗ ବା ସୀମିତ ଅଞ୍ଚଳରେ ଆବଦ୍ଧ ନ ରହି ବିଭିନ୍ନ ବର୍ଗ ଏବଂ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଲା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଜାତୀୟତାର ଯେଉଁ ଉନ୍ମ୍ବେଷ ଦେଖା ଦେଇଥିଲା, ତାର ଏକ ତାର୍କିକ ପରିଣତି ହେଲା ଅସହଯୋଗ ଆନ୍ଦୋଳନ । ଜାତୀୟତା ଆନ୍ଦୋଳନର ଆରମ୍ଭ ହୋଇଥିଲା ବୈଚାରିକ ସ୍ତରରେ, ଶେଷ ହେଲା ଏକ ନୂଆ କିସମର ଅହିଂସା ସମ୍ମୁଖ ସମରରେ । ଅସହଯୋଗ ହେଲା ସେହି ସମ୍ମୁଖ ସମରର ଆଦି ପର୍ବ । ମହାତ୍ମାଗାନ୍ଧୀ ୧୯୧୫ରେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରି ଆସିଥିଲେ । କଂଗ୍ରେସ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ହେବା ପରେ ଅସହଯୋଗ ଥିଲା ତାଙ୍କ ନେତୃତ୍ୱରେ ପରିଚାଳିତ ପ୍ରଥମ ମହାଜାତୀୟ ସଂଗ୍ରାମ ।

ଓଡ଼ିଶାର ଅସହଯୋଗ ଆନ୍ଦୋଳନ ହେଲା ସର୍ବଭାରତସ୍ତରୀୟ ଆନ୍ଦୋଳନର ଏକ ଅଭିନ୍ନ ଅଂଶ । ମାତ୍ର ଓଡ଼ିଶା ଅସହଯୋଗ (ଆନ୍ଦୋଳନ)ର ଏକ ନିଜସ୍ୱ ସ୍ୱାତନ୍ତ୍ର୍ୟ ବା ବୈଶିଷ୍ଟ୍ୟ ମଧ୍ୟ ରହିଥିଲା । ଏକ ଅଞ୍ଚଳ ଭାବରେ ଓଡ଼ିଶା ଭିନ୍ନ; ଅନ୍ୟ ଅଞ୍ଚଳଠାରୁ ତାର ଜାତୀୟତାବାଦୀ ନେତୃତ୍ୱ ଓ ସ୍ଥିତି ଅଲଗା । ତା'ଛଡ଼ା ଆନ୍ଦୋଳନକୁ ଗଣାଭିମୁଖୀ କରିବାନିମିତ୍ତ ଆବଶ୍ୟକ ହେଉଥିବା କାରଣ,{{right|ଓଡ଼ିଶା ଇତିହାସ . ୨୪୩