ପୃଷ୍ଠା:Odisha Itihasa.pdf/୨୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଂପର୍କ ଭାଷା ଭାବରେ 'ହିନ୍ଦୁସ୍ତାନୀ'କୁ ନେଇ ଯେଉଁ ଜାତୀୟ ଦୃଷ୍ଟିକୋଣ ରହିଥିଲା, ତାର ପ୍ରତିଫଳନ 'ସ୍ୱରାଜ ଭାୟା ଅଲବତ ହୋଗା' ଗୀତରେ ଦେଖାଯାଇପାରେ । ଏହି ଦୃଷ୍ଟିକୋଣ ଅକ୍ଟୋବର ୧୯୧୯ରେ ଗୋପବନ୍ଧୁ ଦାସଙ୍କ ସଂପାଦନାରେ ଆରମ୍ଭ ହୋଇଥିବା 'ସମାଜ' ପତ୍ରିକା ଏବଂ ଅସହଯୋଗ ସମୟର ଅନ୍ୟାନ୍ୟ ଜାତୀୟତାବାଦୀ ପତ୍ରିକା ଯଥା ;ସେବା', 'ଉତ୍କଳ ସେବକ' ଏବଂ ୧୯୨୩ରୁ ପ୍ରକାଶିତ 'ପ୍ରଜାତନ୍ତ୍ର'ରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ଜାତୀୟତାକୁ ଅନୁଭବ କରିବାଲାଗି କ୍ଲିଷ୍ଟତା ବଦଳରେ ଭାଷାର ସହଜତାକୁ ଜାତୀୟତାବାଦୀ ପତ୍ରପତ୍ରିକାମାନେ ମାଧ୍ୟମ କଲେ । ସମ୍ବଲପୁରରେ ଅସହଯୋଗର ଆରମ୍ଭ, ଅଗଷ୍ଟ ୧୯୨୦ର ଖିଲାଫତ ପ୍ରସଙ୍ଗରୁ ଦେଖିହେବ । ୧୪ ଅଗଷ୍ଟ ୧୯୨୦ ଦିନ ଦୁଇ ଶହରୁ ଅଧିକ 'କିଣିଖିଆ' ବା ସହରି ଗରିବ (ଅରବାନ୍‍ ପୁଅର), ଦାଶରଥି ମିଶ୍ର, ଜନାର୍ଦ୍ଦନ ସୂପକାର ଏବଂ ଲଦାଭାଇ ଥୋରିଆଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କଲେ । ସଭାରେ ସ୍ଥାନୀୟ ବଜାରରେ ଚାଉଳର ଅଭାବ ଏବଂ ଖିଲାଫତ ପ୍ରସଙ୍ଗକୁ ନେଇ ବିସ୍ତୃତ ଚର୍ଚ୍ଚା ହେଲା ଏବଂ ଜିଲ୍ଲାପାଳଙ୍କୁ ରିହାତି ମୂଲ୍ୟରେ ଚାଉଳ ଯୋଗାଣପାଇଁ ଦାବିପତ୍ର ଦିଆଗଲା । ଏହାର ପରେ ପରେ ସ୍ଥାନୀୟ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଆଉ ଦୁଇଟି ସଭା ଆୟୋଜିତ ହେଲା; ତହିିଁରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏବଂ ମୁସଲିମ ବ୍ୟବସାୟୀ ଲଦାଭାଇ ଥୋରିଆ ବକ୍ତବ୍ୟ ଦେଲେ । ହିନ୍ଦୁ-ମୁସଲିମ ଏକତା ସାଙ୍ଗକୁ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସମସ୍ୟାଗୁଡ଼ିକର ମଧ୍ୟ ସଭାରେ ବିସ୍ତୃତ ଚର୍ଚ୍ଚା ହେଲା । ଏକତା ରକ୍ଷା ଉଦ୍ଦେଶ୍ୟରେ ସେହି ସଭା ମଞ୍ଚରେ 'ଖିଲାଫତ ସଭା', 'ସ୍ୱରାଜ୍ୟ ସଭା' ଏବଂ "ଗୋରକ୍ଷଣୀ ସଭା'ର ମଧ୍ୟ ବୈଠକ ବସିଲା ଏବଂ ଆବଶ୍ୟକ ସମୟରେ ଜାତୀୟ ସ୍କୁଲ, ସ୍ୱରାଜ ପଞ୍ଚାୟତ ସ୍ଥାପନ ଏବଂ ସରକାର ଓ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ସଂଯୋଜନାର ଫଳସ୍ୱରୂପ, ୧୯୨୦ ନଭେମ୍ବରରେ ବିହାର-ଓଡ଼ିଶା ପ୍ରାଦେଶିକ କାଉନସିଲ ନିର୍ବାଚନରେ ସମ୍ବଲପୁରରେ ମୋଟ ୨୮୦ରୁ ମାତ୍ର ୨୮ ଜଣ ଭୋଟ ଦେଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ନିର୍ବାଚନରେ ଜଣେ ବି ମୁସଲମାନ ଭୋଟର ଭୋଟ ଦେଇ ନଥିଲେ । ୧୯୨୧ ଜାନୁଆରି ମାସ ଆରମ୍ଭରେ ଜିଲ୍ଲା ସ୍କୁଲ ଛାତ୍ରଙ୍କ ସ୍କୁଲ ବର୍ଜନ ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଅସହଯୋଗକୁ ସେହି ପୂର୍ବ ସଙ୍ଗଠନ ପରିପ୍ରେକ୍ଷୀରେ ଦେଖିହେବ ।

ଅନୁରୂପ ଭାବରେ ୧୯୨୦ ମସିହା ଶେଷ ଆଡ଼କୁ ପୁରୀ ଜିଲ୍ଲାରେ ମଧ୍ୟ ଅସହଯୋଗର ସୂତ୍ରପାତ ହେଲା । ୧୯୧୬ ମସିହାରୁ ପୁରୀରେ ବିହାର କଂଗ୍ରେସ କମିଟିର ଶାଖା ଭାବରେ ଏକ ଜିଲ୍ଲା ସମିତି ଗଠିତ ହୋଇଥିଲା, ଯାହାର ନେତୃତ୍ୱ ରହିଥିଲା ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂ ଆଦିଙ୍କ ହାତରେ । ୧୯୨୦ ଅକ୍ଟୋବର ଓ ନଭେମ୍ବର ମାସରେ ଖଣ୍ଡଗିରି, ଜଟଣି ତଥା ପୁରୀଠାରେ ଜିଲ୍ଲା ସମିତି ତରଫରୁ ଜନସଭାମାନ ହୋଇ ତହିିଁରେ ସ୍ଥାନୀୟ ସମସ୍ୟା, ଯଥା ପ୍ରାଥମିକ ଶିକ୍ଷକଙ୍କ ଦରମା, ଖାସମାହାଲରେ ସରକାରଙ୍କ ତରଫରୁ ଖଜଣା ଆଦାୟ କରୁଥିବା ସରବରାକାରମାନଙ୍କ ଅବସ୍ଥା ଓ ଜଙ୍ଗଲ ଆଇନର ଜଟିଳତା ଆଦିର ଚର୍ଚ୍ଚା କରଗଲା ଏବଂ ସମସ୍ୟାର ସମାଧାନନିମନ୍ତେ ଅସହଯୋଗକୁ ପନ୍ଥା ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦିଆଗଲା । ଅସହଯୋଗକୁ ଏକ ସ୍ଥାନୀୟ ସମସ୍ୟା ଆଧାରିତ ଆନ୍ଦୋଳନ ରୂପେ ଗଢ଼ିବାରେ ଏହା ବେଶ ସାହାଯ୍ୟ କଲା । ଅସହଯୋଗର{{right|ଓଡ଼ିଶା ଇତିହାସ . ୨୪୭