ପୃଷ୍ଠା:Odisha Itihasa.pdf/୨୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୩୦ ଦଶକର ରାଜନୀତି:
ଆଇନ ଅମାନ୍ୟ ଓ ପ୍ରଜାମଣ୍ଡଳ ଆନ୍ଦୋଳନ


ଆଇନ ଅମାନ୍ୟ ଆନ୍ଦୋଳନ

ଅସହଯୋଗ ଆନ୍ଦୋଳନ ପରେ ୧୯୩୦ରେ ଜାତୀୟ କଂଗ୍ରେସ ଦେଶରେ ଆଇନ ଅମାନ୍ୟର ଡାକରା ଦେଲା । ଚୌରିଚୌରା ଘଟଣା ପରେ ଅସହଯୋଗ ପ୍ରତ୍ୟାହୃତ ହେବା ଉତ୍ତାରୁ ଆଠବର୍ଷର ଅନ୍ତରାଳରେ ଏହି ଦ୍ୱିତୀୟ ଗଣ ଆନ୍ଦୋଳନ ସଂଘଟିତ ହୋଇଥିଲା । ୧୯୨୨ ଓ ୧୯୩୦ର କାଳାଂଶରେ ଯଦିଓ ଗଣ ସଂଗ୍ରାମ ଶିଥିଳ ହୋଇ ପଡ଼ିଥିଲା, ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣା ଏହି ସମୟରେ ଘଟିଥିଲା । ଏହିସବୁ ଘଟଣାର ପ୍ରତିଫଳନ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଅସହଯୋଗର ପ୍ରତ୍ୟାହାର ପରେ ମଧ୍ୟ ଅନେକ କଂଗ୍ରେସ ନେତା ଗିରଫ ହୋଇ ଜେଲ୍‍ ଦଣ୍ଡ ଭୋଗିଲେ । ୧୯୨୨ରେ ମହାତ୍ମାଗାନ୍ଧୀଙ୍କୁ ଛଅ ବର୍ଷ ଜେଲ୍‍ ଦଣ୍ଡ ହେବା ପରେ ଦଳ ଯେ'ମିତି ନେତୃତ୍ୱବିହୀନ ହୋଇ ପଡ଼ିଲା । କଂଗ୍ରେସ ଦଳ ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇ ଗଲା । ବର୍ଷକ ମଧ୍ୟରେ ସ୍ୱରାଜ୍ୟ ପ୍ରାପ୍ତିର ଆଶା ପୂରଣ ହୋଇ ନପାରିବାରୁ ସାଧାରଣରେ ଯେଉଁ ନିରାଶା ବ୍ୟାପିଲା, ତାହା ଦଳର ଗୋଷ୍ଠୀ ବିବାଦକୁ ସହଯୋଗ କଲା । ଗୋଟାଏ ଗୋଷ୍ଠୀ ଯାହା ପରିବର୍ତ୍ତନବାଦୀ ( Pro-Changers) ନାମରେ ପରିଚିତ, ନିର୍ବାଚନକୁ ସ୍ୱୀକାର କରି ତା' ମାଧ୍ୟମରେ କଂଗ୍ରେସ ଲୋକେ କେନ୍ଦ୍ର ଆସେମ୍‍ବ୍ଲି ଓ ପ୍ରାଦେଶିକ କାଉନ୍‍ସିଲ୍‍କୁ ନିର୍ବାଚିତ ହେବା କଥା ବୋଲି ଯୁକ୍ତି କଲେ । ଜାତୀୟତାବାଦୀମାନେ ଆସେମ୍‍ବ୍ଲି, କାଉନ୍‍ସିଲ୍‍ରେ ଯୋଗଦେଇ ସରକାରଙ୍କ ଜନବିରୋଧୀ ନୀତିକୁ ପର୍ଦ୍ଦାଫାସ୍‍ କରିବା କଥା ବୋଲି ସେମାନେ ମତ ଦେଲେ । ମୋତିଲାଲ୍‍ ନେହେରୁ ଓ ଚିତ୍ତରଂଜନ ଦାସ ଆଦିଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ସ୍ୱରାଜ ପାର୍ଟି ବା ସ୍ୱରାଜ୍ୟ ଦଳ ନାମରେ ଏକ ନୂତନ ଦଳ ଗଠନ କରି ୧୯୨୩ରେ ନିର୍ବାଚନରେ ଭାଗନେଲେ ।{{right|ଓଡ଼ିଶା ଇତିହାସ . ୨୬୯