ପୃଷ୍ଠା:Odisha Itihasa.pdf/୨୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୨୪ରେ ଗଂଜାମ ଓ ତତ୍‍ସଂଲଗ୍ନ କେତେକ ଅଂଚଳକୁ ଓଡ଼ିଶା ସହିତ ମିଶ୍ରଣ ପ୍ରଶ୍ନକୁ ଅନୁସନ୍ଧାନ କରିବାନିମିତ୍ତ 'ଫିଲିପ ଡଫ୍‍ ଅନୁସନ୍ଧାନ କମିଟି' ଗଠିତ ହେଲା । ସି.ଏଲ୍‍.ଫିଲିପ ଓ ଏ.ସି.ଡଫ୍‍. ନାମକ ଦୁଇଜଣ ଅଭିଜ୍ଞ ସିଭିଲ୍‍ ସର୍ଭିିସ ଅଧିକାରୀ କମିଟିର ସଂଯୋଜନା କଲେ । ଉଭୟେ ପୂର୍ବରୁ ଓଡ଼ିଶାରେ କାମ କରିଥିଲେ ଓ ଓଡ଼ିଶା ସମସ୍ୟା ସହିତ ପରିଚିତ ଥିଲେ । ୧୯୨୪ ଡିସେମ୍ବରରେ ଏହି କମିଟି ଗଂଜାମ ନିବାସୀ ଓଡ଼ିଆମାନେ ଓଡ଼ିଶାରେ ମିଶିବାପାଇଁ ଆଗ୍ରହୀ ବୋଲି ରିପୋର୍ଟ ଦେଇଥିଲେ । ମାତ୍ର ସରକାର ଚାହିଁଲେ ଉକ୍ତ ଅଂଚଳର ତେଲ୍‍ଗୁଭାଷୀଙ୍କ ମତାମତ । ଗଂଜାମର ଯଦି ଓଡ଼ିଶା ସହିତ ମିଶ୍ରଣ ହୁଏ, ତେଲ୍‍ଗୁଭାଷୀ ଲୋକଙ୍କର ସମସ୍ୟା ହେବ ବୋଲି ସରକାର ଚିନ୍ତା କଲେ । ଫଳରେ ଫିଲପ୍‍-ଡଫ୍‍ କମିଟିର ରିପୋର୍ଟକୁ ଲାଗୁ କରାଯାଇ ପାରିଲା ନାହିଁ ।

୧୯୨୮ ଫେବ୍ରୁଆରିରେ ଶାସନ ସଂସ୍କାର ସଂପର୍କୀୟ ନିଷ୍ପତ୍ତି ନେବାଲାଗି ସାଇମନ୍‍ କମିସନ ଭାରତକୁ ଆସିଲେ । ଜାତୀୟତାବାଦୀମାନଙ୍କ ପକ୍ଷରୁ କମିସନକୁ ତୀବ୍ର ବିରୋଧ କରାଗଲା । କାରଣ କମିସନରେ କେହି ଭାରତୀୟ ସଭ୍ୟ ନଥିଲେ । ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଦାବି ନେଇ ଓଡ଼ିଶାର କିଛି ନେତୃସ୍ଥାନୀୟ ବ୍ୟକ୍ତି କମିସନକୁ ପାଟନାରେ ସାକ୍ଷାତ୍‍ କରିଥିଲେ । ଯଦିଓ ମଧୁସୂଦନ ଦାସ ନିଜେ କମିସନକୁ ସ୍ୱାଗତ କରିବାପାଇଁ ଯାଇ ନଥିଲେ, ତାଙ୍କ ସହମତିରେ ଏହା ହୋଇଥିଲା । ଏଥିପାଇଁ କଂଗ୍ରେସର ନେତୃବର୍ଗ ଓ ଅନ୍ୟ ଜାତୀୟତାବାଦୀମାନେ ମଧୁସୂଦନ ଓ ଅନ୍ୟ ସ୍ୱାଗତକାରୀଙ୍କର ତୀବ୍ର ସମାଲୋଚନା କରିଥିଲେ । ସାଇମନ କମିସନ ଓଡ଼ିଶା ପ୍ରଦେଶ ଗଠନ କଥା ନିଷ୍ପତ୍ତି ନେଲେ ନାହିଁ । ତା' ବଦଳରେ କ୍ଲିମେଣ୍ଟ ଅଟଲୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଲେ, ଯାହା ଓଡ଼ିଶାର ସମସ୍ୟାକୁ ବିଚାରକୁ ନେବ । କମିସନ୍‍ ଯଦିଓ ତାଙ୍କ ରିପୋର୍ଟରେ (ଏହା ୭ ଜୁନ୍ ୧୯୩୦ରେ ପ୍ରକାଶିତ ହେଲା) ବିହାର ଓ ଓଡ଼ିଶା ପ୍ରଦେଶର ଗଠନକୁ "କୃତ୍ରିମ' ଏବଂ 'ଜାତିଗତ', ଭାଷାଗତ ଓ ସାଂସ୍କୃତିକ ଦୃଷ୍ଟିରୁ ପୃଥକ୍‍ ତିନୋଟି କ୍ଷେତ୍ରକୁ ଗୋଟାଏ ଶାସନ ଅଧୀନରେ କେବଳ ଯୋଡ଼ି ଦିଆଯାଇଛି" ବୋଲି ଉଲ୍ଲେଖ କରିଥିଲେ, ତଥାପି ପ୍ରଦେଶ ଗଠନ ନେଇ ସ୍ପଷ୍ଟ ନିର୍ଦେଶ ପ୍ରଦାନ କଲେ ନାହିଁ । ଫଳରେ ସରକାରଙ୍କ ସହଯୋଗରେ ପ୍ରଦେଶ ଗଠନ କରିବାଲାଗି ଉଦ୍ୟମ କରୁଥିବା ନେତୃବର୍ଗ ତୀବ୍ର ସମାଲୋଚନାର ଶିକାର ହେଲେ ।

୧୯୨୮ରେ କଲିକତା କଂଗ୍ରେସରେ ସଭାପତି ମୋତିଲାଲ୍‍ ନେହେରୁ ଭାଷାଭିତ୍ତିକ ପ୍ରଦେଶ ଗଠନପାଇଁ ଆବଶ୍ୟକ ସମର୍ଥ ଦେଉ ନାହାନ୍ତି ବୋଲି ଅଭିଯୋଗ କରି ଓଡ଼ିଶାର ୩୦୦ ପ୍ରତିିନିଧି ଅଧିବେଶନ ତ୍ୟାଗ କଲେ ଓ କଲିକତାରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ସଭା ଓ ଶୋଭାଯାତ୍ରା କଲେ । ମୋତିଲାଲ ନେହେରୁ କ୍ଷମାପ୍ରାର୍ଥା କଲା ପରେ ପରିସ୍ଥିତି ଶାନ୍ତ ପଡ଼ିଲା । ମାତ୍ର ଭାଷା ଭିତ୍ତିରେ ପ୍ରଦେଶଗଠନ ଦାବିକୁ ଏହା ଦୃଢ଼ତର କଲା । ଜାତୀୟ କଂଗ୍ରେସର ଓଡ଼ିଶା ନେତୃତ୍ୱ ନିମନ୍ତେ ଭାଷାଭିତ୍ତିକ ପ୍ରଦେଶ ପ୍ରସଙ୍ଗ କଦାପି ଗୌଣ ହୋଇ ନପାରେ ବୋଲି ଜନମତ ସୃଷ୍ଟି ହେଲା । ସ୍ୱତନ୍ତ୍ର ପ୍ରଦେଶପାଇଁ ଜନମତ ବୃଦ୍ଧିପାଇଲା । ପରିଣାମ ସ୍ୱରୂପ ୧୯୩୧ରେ ସରକାର{{right|ଓଡ଼ିଶା ଇତିହାସ . ୨୮୧