ଆପାତ ଦରିଦ୍ରାବସ୍ଥାକୁ ଘୁଞ୍ଚାଇବା ପାଇଁ ଥିଏଟର ମାଧ୍ୟମରେ କିଛି ଅର୍ଥପ୍ରାପ୍ତିର ଯୋଜନା ପରିଚାଳନା କମିଟି ଆଗରେ ରଖିବାରୁ ତାହା ଅବିଳମ୍ବେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା । ପୂର୍ବବର୍ଷ ଛାତ୍ର-ଶିକ୍ଷକ ଅଭିଭାବକମାନଙ୍କ ମିଳିତ ପ୍ରଚେଷ୍ଟାରେ କାଳୀବାବୁଙ୍କର ‘ଅଭିଯାନ’ ନାଟକ ମଞ୍ଚସ୍ଥ ହୋଇ ଯତ୍ସାମାନ୍ୟ ଅର୍ଥଲାଭ ଘଟିଥିଲେ ହେଁ ଅଭିନୟ ତଥା ମଞ୍ଚାୟନରେ ବହୁ ଦୁର୍ବଳତା ରହିଯାଇଥିଲା ।
ବିଷ୍ଣୁ ମିଶ୍ରଙ୍କର ଅଭିନୟ ଓ ନିର୍ଦ୍ଦେଶନାର ଖ୍ୟାତି ପଙ୍କପାଳରୁ ପଣ୍ଡୁଆକୁ ବହି ଆସିଥିବାରୁ ସମସ୍ତେ ଏ ବିଷୟରେ ମାତ୍ରାଧିକ ଆଗ୍ରହ ପୋଷଣ କରିଥାନ୍ତି । 'ହରିଶ୍ଚନ୍ଦ୍ର’ ନାଟକ ଅଭିନୀତ ଦେବାର ସ୍ଥିର ହେଲା । ବିଷୁବାବୁଙ୍କ ପାଖରେ ଥିବା ପାଣ୍ଡୁଲିପିରୁ ରାଜା ହରିଶ୍ଚନ୍ଦ୍ରଙ୍କ ସଂଳାପ ବ୍ୟତୀତ ଅନ୍ୟ ଭୂମିକାଗୁଡ଼ିକର ସଂଳାପ ଉତ୍ତାରିବା ଦାୟିତ୍ବ ମୋତେ ଓ ମୋର ଅନ୍ୟ ଦୁଇଜଣ ପଢ଼ାସାଥୀଙ୍କୁ ଦିଆଯାଇଥିଲା । ଶୈବ୍ୟା ଭୂମିକାରେ ଅଭିନୟ କରିବା ପାଇଁ ପଙ୍କପାଳରୁ ଜନୈକ ଛାତ୍ର ଗୁଣନିଧି ସ୍ବାଇଁଙ୍କୁ ସ୍ଥାନାନ୍ତର କରାଇ ଅଣାଯିବା ପରେ ଅଭ୍ୟାସ କାର୍ଯ୍ୟକ୍ରମ ଚଳିଲା । ସଂଧ୍ୟାରୁ ରାତି ୧୦ ପର୍ଯ୍ୟନ୍ତ ଯେଉଁ ଅଭ୍ୟାସ (ରିହର୍ସାଲ) ଚଳେ ସେଥିରେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁବାବୁଙ୍କ ଅଭିନୟ ପ୍ରତ୍ୟେକଙ୍କୁ ବିମୁଗ୍ଧ କରିରଖିଥାଏ । ଅନ୍ୟାନ୍ୟ ଭୂମିକାର ଅଭିନୟକୁ ସେ ନାଟକୀୟ ଭଙ୍ଗୀରେ ବତାଇ ଦେଉଥାନ୍ତି । ପ୍ରାୟ ୧୫ ଦିନ କ୍ରମାଗତ ଅଭ୍ୟାସ ଚଳାଇବା ପରେ ମଞ୍ଚାଭିନୟ ପ୍ରସ୍ତୁତ କରାଗଲା। ଆବହସଙ୍ଗୀତର ସେପରି ସୁବ୍ୟବସ୍ଥା ନଥିଲା। ଡେଲାଇଟ୍କୁ କଳାକାଗଜ ଦ୍ୱାରା ଆବୃତ କରି ମଞ୍ଚାମାୟା ସୃଷ୍ଟି କରାଯାଉଥିଲା । କେବଳ ଆକର୍ଷଣୀୟ ଦୃଶ୍ୟ କହିଲେ ଡ୍ରପ୍, ରାଜପଥ, ଗ୍ରାମପଥ, ଅରଣ୍ୟ, ଭାଜପ୍ରାସାଦ ଓ କଟାଜଙ୍ଗଲ ଦୃଶ୍ୟ ସମ୍ବଳିତ କନାର ବିଶାଳ ପଟ୍ଟଚିତ୍ରଗୁଡ଼ିକ ଆବଶ୍ୟକତାନୁଯାୟୀ ବାଉଁରେ ଗୋଡ଼ିଆହୋଇ ଉଠାପକା କରାଯାଉଥୁଲା । ମୁଖ୍ୟ ଆକର୍ଷଣ ଥିଲା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁ ବାବୁଙ୍କର ବଳିଷ୍ଠ, ଭାବସଞ୍ଚାରୀ ଅଭିନୟ କୁଶଳତ।
ସର୍ବସ୍ୱ ବିଶ୍ଵାମିତ୍ରଙ୍କୁ ଦାନକରି ଆପଣାକୁ ଚଣ୍ଡାଳର କ୍ରୀତଦାସ କରାଇ ଦକ୍ଷିଣା ସ୍ୱରୂପ ପ୍ରାର୍ଥିତ ବିପୁଳ ଅର୍ଥ ବିନିମୟରେ ନିଜର ସତ୍ୟବାଦିତାକୁ ଅକ୍ଷୁର୍ଣ୍ଣ ରଖିଥିବା ରାଜା ହରିଶ୍ଚନ୍ଦ୍ର ସେଦିନ ନିଶାର୍ଦ୍ଧରେ ଶ୍ମଶାନରେ ଆତ୍ମଲୀନ ହୋଇପଡ଼ିଥାନ୍ତି । ସିନ୍ ଉଠିବା ପରେ ଦାଢ଼ିବହୁଳ, ରୁ୍କ୍ଷ ଓ ମଳିନ୍ ଦେଶବାସରେ ଖଣ୍ଡ ବାଉଁଶ ଠେଙ୍ଗାକୁ ଅପୂର୍ବ ଭଙ୍ଗୀରେ ଭରା ଦେଇଥିବା ଟଳଟଳ ପାଦ ହରିଶ୍ଚନ୍ଦ୍ର ବେଶୀ ବିଷ୍ଣୁବାବୁ ଦୃଶ୍ୟମାନ ହୁଅନ୍ତି । ଏକ