ସଂସ୍ଥାପିତ ହୋଇଅଛି । ନର୍ମାଲ୍ ସ୍କୁଲ୍ (ତତ୍କାଳୀନ ଟ୍ରେନିଂ ସ୍କୁଲ୍) ଓଡ଼ିଆ ଭାଷାର ସର୍ବୋଚ୍ଚ ବିଦ୍ୟାଳୟ । ଏହାର ଛାତ୍ରମାନେ ଉତ୍କଳ ଭୂମିର ନାନା ସ୍ଥାନରେ କାର୍ଯ୍ୟ କରିବାକୁ ଯିବେ । ସେମାନେ ଯେବେ ସାହିତ୍ୟ ସେବାର ଉନ୍ନତ ଭାବ ଓ ଆକଂକ୍ଷା ପ୍ରାଣରେ ପୋଷଣ କରି କର୍ତ୍ତବ୍ୟ ସାଧନରେ ତତ୍ପର ହୁଅନ୍ତି, ତାହାହେଲେ ସେମାନଙ୍କ ଦ୍ୱାରା ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ । ସେମାନେ ନିଜେ ସାହିତ୍ୟ ସେବା କରି ଜୀବନ କୃତାର୍ଥ କରିପାରିବେ ଏବଂ ଅନ୍ୟ ଶତ ଶତ ପ୍ରାଣରେ ସାହିତ୍ୟ ସେବାର ଭାବ ଜାଗ୍ରତ କରିବାକୁ ସମର୍ଥ ହେବେ ।" ବାସ୍ତବ କ୍ଷେତ୍ରରେ ତତ୍କାଳୀନ ଛାତ୍ର ଶିକ୍ଷକଗଣ ହିଁ ପରବର୍ତ୍ତୀ କାଳରେ ବିଶିଷ୍ଟ ସାହିତ୍ୟିକ ହୋଇପାରିଥିଲେ ।
ମଧୁସୂଦନ ୧୯୦୯ ମସିହା ଜୁଲାଇ ୨୮ ତାରିଖରେ ଓଡ଼ିଶାର ସ୍କୁଲ୍ ଇନ୍ସ୍ପେକ୍ଟର ଭାବରେ ଅବସର ଗ୍ରହଣ କରିଥିଲେ ଏବଂ ପୂର୍ବରୁ ପ୍ରତିଷ୍ଠିତ ଟାଉନ୍ ଭିକ୍ଟୋରିଆ ହାଇସ୍କୁଲର ସ୍ଥାୟୀ ଗୃହ ନିର୍ମାଣ ଓ ଏହାର ବହୁବିଧ ଉନ୍ନତିକର କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ । ନିଜର ସଂଚିତ ଅର୍ଥ ଏହି ବିଦ୍ୟାଳୟର ପ୍ରତିଷ୍ଠା ଓ ବିକାଶ ପାଇଁ ପଯ୍ୟାପ୍ତ ହୋଇନଥିଲା । ତେଣୁ ଜରାଜୀର୍ଣ୍ଣ ସ୍ୱାସ୍ଥ୍ୟରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରି ଏହି ଅନୁଷ୍ଠାନ ପାଇଁ ଅର୍ଥ ସଂଗ୍ରହ କରିଥିଲେ । ରାଜ୍ୟର ବହୁ ଶିକ୍ଷାପ୍ରେମୀ ବଦାନ୍ୟ ବ୍ୟକ୍ତି ଏହି ମହତ୍ କାର୍ଯ୍ୟରେ ଋଷିପ୍ରାଣ ମଧୁସୂଦନଙ୍କୁ ସାହାଯ୍ୟ କରିଥିଲେ । ୧୯୧୨ ଡ଼ିସେମ୍ବର ୨୮ ତାରିଖରେ ସେ ଶେଷଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏହାର କାର୍ଯ୍ୟନିର୍ବାହୀ ସମିତିର ସଭାପତି ଥିଲେ ଏବଂ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସଭ୍ୟ ଓ କର୍ମକର୍ତ୍ତା ରହି ସବୁ କାର୍ଯ୍ୟରେ ସହଯୋଗ କରିଥିଲେ । ଭକ୍ତ କବିଙ୍କ ମୃତ୍ୟୁ ପରେ ରାୟ ବାହାଦୁର ଜାନକୀ ନାଥ ବୋଷ (ନେତାଜୀଙ୍କ ପିତା) ଏହି ସମିତିର ସଭାପତି ହୋଇଥିଲେ । କୁଳବୃଦ୍ଧ ମଧୁସୂଦନ, ଗୋପାଳଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ (ବିଜୁ ପଟ୍ଟନାୟକଙ୍କ ପିତା) ପ୍ରମୁଖ ଏହାର ସଦସ୍ୟ ହୋଇଥିଲେ । ପ୍ରତିଷ୍ଠାତାଙ୍କ ମୃତ୍ୟୁ ପରେ ଉକ୍ତ ହାଇସ୍କୁଲର ନାମ ଭକ୍ତମଧୁ ବିଦ୍ୟାପୀଠ ହୋଇଥିଲା । ଶିକ୍ଷାକ୍ଷେତ୍ରରେ ଏହା ମଧ୍ୟସୂଦନଙ୍କର ଏକ ଅକ୍ଷୟ କୀର୍ତ୍ତିସ୍ତମ୍ଭ ।
ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ ତଥା ପାଠ୍ୟପୁସ୍ତକର ଜନକ ଭାବରେ ଭକ୍ତକବି ଚିରସ୍ମରଣୀୟ । ତାଙ୍କର "ବର୍ଣ୍ଣବୋଧ" ଦୀର୍ଘକାଳ ଧରି ପିଲାମାନଙ୍କର ଅକ୍ଷର ଶିକ୍ଷା ସହିତ ସାହିତ୍ୟ ଶିକ୍ଷାରେ ସହାୟକ ହୋଇ ଆସିଛି । ତାଙ୍କର ଶିଶୁସାହିତ୍ୟ ରଚନା ଖୁବ୍ ଉପଭୋଗ୍ୟ ଓ ସାର୍ଥକ । କେତୋଟି କବିତାଂଶ ଏଠାରେ ଉଦ୍ଧାର କରିବାର ଲୋଭ ସମ୍ବରଣ କରି ହେଉନାହିଁ । ଏହା ଶିଶୁ ଶିକ୍ଷା, ସାହିତ୍ୟ ଓ ଭକ୍ତିଭାବ ତଥା ସଦ୍ ସ୍ୱଭାବ ଗଠନରେ ବିଶେଷ ପ୍ରେରଣା ଦେଇ ପାରିଥିଲା ସେଗୁଡ଼ିକର କେତୋଟି ଦୃଷ୍ଟାନ୍ତ ହେଲା -