ପୃଷ୍ଠା:Odishara Itihas.pdf/୧୩୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୫
ଓଡ଼ିଶାର ଇତିହାସ ।

ମଧ୍ୟ ଲେଖିବାର ବାହୁଲ୍ୟ ଯେ ଓଡ଼ିଶାର ରାଜସ୍ୱ ବନ୍ଦୋବସ୍ତରେ ତୋଦରମଲ ଅଧିକ କିଛି ନୂତନତ୍ୱ ପ୍ରକାଶ କରି ନ ଥିଲେ । ପୂର୍ବେ ଯେପରି ଓଡ଼ିଶା ଏକପ୍ରକାର ଦୁଇ ଭାଗରେ ବିଭକ୍ତ ଥିଲା, ତାହାକୁ ସେ ସେହିପରି ଅବସ୍ଥାରେ ରଖିଥିଲେ । ସାମନ୍ତ ଓ ସେବକ ରାଜାମାନେ ଯେଉଁ ଭୂମି ଭୋଗ କରୁଥିଲେ, ସେ ସବୁକୁ ସେ ଗଡ଼ଜାତ ଓ ଗଜପତି ରାଜାଙ୍କର ରାଜସ୍ୱପ୍ରଦ ଭୂମିମାନଙ୍କୁ ମୋଗଲବନ୍ଦୀ ଆଖ୍ୟା ପ୍ରଦାନ କରିଥିଲେ । ହିନ୍ଦୁ ରାଜସ୍ୱ ଶାସନରେ ଯେଉଁ ଦେଶୀୟ ଶବ୍ଦମାନ ପ୍ରଚଳିତ ଥିଲା, ସେହି ଶବ୍ଦମାନଙ୍କର ପରିବର୍ତ୍ତରେ କେତେକ ପାରସିକ ଶବ୍ଦ ବ୍ୟବହାର କରିବା ତୋଦରମଲଙ୍କର ଓଡ଼ିଶା ରାଜସ୍ୱ ବନ୍ଦୋବସ୍ତର ଗୋଟିଏ ପ୍ରଧାନ ଲକ୍ଷଣ । ତୋଦରମଲ ଦଣ୍ଡପାଟ ଶବ୍ଦ ପରିବର୍ତ୍ତରେ ସରକାର, ଖଣ୍ଡ ଓ ବିଶିପରିବର୍ତ୍ତରେ ପରଗନା, ଗ୍ରାମ ପରିବର୍ତ୍ତରେ ମୌଜା, ଭୂଇମୂଳ ପ୍ରରିବର୍ତ୍ତରେ କାନୁନଗୋ ଉଲାଇତି, ଭୂଇଁଆ ପରିବର୍ତ୍ତରେ ଜମିଦାର, ପ୍ରଧାନ ପରିବର୍ତ୍ତରେ ମକଦମ ଇତ୍ୟାଦି କେତେକ ଶାବ୍ଦିକ ପରିବର୍ତ୍ତନ ମାତ୍ର ପ୍ରଚଳିତ କରାଇଥିଲେ । ମାତ୍ର ରାଜସ୍ୱ ଆଦାୟ ପୂର୍ବପରି ହେବାର ତାଙ୍କର ସ୍ଥିରୀକୃତ ହୋଇଥିଲା । ମୋଗଲମାନେ ସୁଦ୍ଧା ଆଧୁନିକ ଜମିଦାରଙ୍କ ପରି ରାଜା ଓ ପ୍ରଜାଙ୍କ ମଧ୍ୟରେ ଏକଶ୍ରେଣୀ ଦାୟିତ୍ୱବାହୀ ଭୂମ୍ୟଧିକାରିର ସୃଷ୍ଟି କରି ନ ଥିଲେ । କିନ୍ତୁ ରାଜସ୍ୱ କର୍ମଚାରିମାନେ ପୁରୁଷାନୁକ୍ରମେ ଆପଣା ଆପଣା କାର୍ଯ୍ୟ ସମ୍ପାଦନ କରିବାର ଭାର ପ୍ରାପ୍ତ ହେବାରୁ ଓ ରାଜାଏ ବିଦେଶୀ ଥିବା ଯୋଗୁଁ ସେମାନଙ୍କଦ୍ୱାର ନିଯୁକ୍ତ ରାଜସ୍ୱ କର୍ମଚାରିଙ୍କ ଉପରେ ଅଧିକ ନିର୍ଭର କରି ଚଳିବାରୁ ସେହି କର୍ମଚାରିମାନେ ଭବିଷ୍ୟତରେ ଏକଶ୍ରେଣୀ ଭୂମ୍ୟଧିକାରୀ ହୋଇ ଉଠିବାର ବୀଜ ଆପଣ ଆପଣା ସଙ୍ଗେ ବହନ କଲେ । ତୋଦରମଲ ଓଡ଼ିଶା ରାଜସ୍ୱ ବନ୍ଦୋବସ୍ତରେ ଆଉ ଗୋଟିଏ ମହତ୍କାର୍ଯ୍ୟ କରିଥିଲେ । ଓଡିଶାର ସ୍ୱାଧୀନ ହିନ୍ଦୁରାଜାଏ ଲୋପପ୍ରାପ୍ତ ହେଲା ଉତ୍ତାରୁ, ଭୋଇବଂଶନାମଧେୟ ଆଉ ଏକଶ୍ରେଣୀର ରାଜା ନାମକୁ ଓଡ଼ିଶାରେ ସମ୍ଭୂତ ହୋଇଥିଲେ । ସେମାନଙ୍କ ପ୍ରତିପୋଷଣ ଓ ସମ୍ଭ୍ରମରଷାର୍ଥ ପୁରୀ ଜିଲାର ଅନ୍ତର୍ଗତ ଖୋର୍ଦା, ରାହାଙ୍ଗ, ସିରାଇ ଓ ଚବିଶକୁଦ ପ୍ରାୟ ଦେଢ଼ହଜାର ବର୍ଗମାଇଲ ଭୁମିର ସ୍ୱତ୍ୱ ସେହି ନୂତନବଂଶୀୟ ରାଜାଙ୍କ ପ୍ରଦାନ କରିଥିଲେ । ମୋଗଲବନ୍ଦୀର ଆୟ ହରାହରିରେ ବର୍ଷକୁ ୧୫ ଲକ୍ଷ ଟଙ୍କାରୁ ଅଧିକ ଥିବାର ବୋଧ ହେଉ ନାହିଁ । ଗଡ଼ଜାତ ଓ କିଲାଜାତର ସାମନ୍ତରାଜାଏ ମୋଗଲମାନଙ୍କୁ ଅଳ୍ପ ପରିମାଣରେ କର ପ୍ରଦାନ କରୁଥିଲେ ।

ଭୋଇବଂଶୀୟ ରାଜଗଣ—ମୁକୁନ୍ଦଦେବଙ୍କ ଉତ୍ତାରୁ ୧୫୬୮ ମସିହାରେ ଓଡ଼ିଶାବାସିମାନେ ଏକମତ ହୋଇ ପୂର୍ବ ରାଜମନ୍ତ୍ରୀ ଜନାର୍ଦ୍ଦନ ବିଦ୍ୟାଧରଙ୍କ ପୁତ୍ର