ପୃଷ୍ଠା:Prachina Odia Kabita.pdf/୧୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫-୧୭ଶ ଶତାବ୍ଦୀ
୧୦୯
 

ଚାରିପାଖେ ମେଘନାଦ ପାଚେରୀ ତୋଳାଇ
ବଡ଼ ଦେଉଳରେ ରହିଅଛୁଁ ଦୁଇ ଭାଇ ।
ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ
ଅଛବ ଘରରେ ଦଣ୍ତେ ଥିଲି ଉଭା ହୋଇ ।
ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ
ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ।
ପ୍ରଭୁ ହେତୁ ଯାଉଅଛି ସବୁ ଗୋପ୍ୟ ହୋଇ
ତୁମ୍ଭ ଜାତି କୁଳର ତ ଠିକଣା ନ ଥାଇ ।
ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ
ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ । ।୧୨୦।
ନିମା ନାମେ ସିପୁଟି ଯେ ଜାତିରେ ଗୋଲକ
ତାଙ୍କ ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ |
ଦୁତ ପଣେ ଯାଇଥିଲ ହସ୍ତିନା ଭୁବନ
ବିଦୁର ଘରରେ ପୁଣି କରିଲ ଭୋଜନ ।
ଜାରା ନାମରେ ଶବର ଅରଣ୍ୟରେ ଘର
ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶ ବାର ।
ଅରଣ୍ୟରେ ଫଳମୂଳ ଖୋଜିଣ ଆଣଇ
ବସିଣ ପ୍ରଥମେ ଭଲ ମନ୍ଦ ସେ ଚାଖଇ ।
ପିତା କଷା ସବୁ ପ୍ରଭୁ ଆଡ କରି ଦେଇ
ଯେ ସୁଆଦ ଫଳ ତାହା ତୁମ୍ଭଙ୍କୁ ଭୂଞ୍ଜାଇ । ।୧୩୦।
ଶବର ବିଟାଳ ତୁମ୍ଭେ ଦୁଇଗୋଟି ଭାଇ
ଏ କଥା କ ତୁମ୍ଭ ମନୁ ଗଲାକ ଉଭାଇ ।
ଆପଣେ ପାତକୀ ତୁମ୍ଭେ ପରେ ନିନ୍ଦା କର
ପାପ ପୁଣ୍ୟ ଦୁଇ କଥା ବିଚାର ନ କର ।
ଭରିଯା ଯେ ଦୋଷ କଲେ ପତି ତା' ସହଇ
ଏକା ଅପରାଧେ ପ୍ରଭୁ ଭୃତ୍ୟ କି ତେଜଇ ।
କିଁପା ନ କର ଗୋସାଇଁ ଏମନ୍ତ ବିଚାର
ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ।