ପୃଷ୍ଠା:Prachina Odia Kabita.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୮
ପ୍ରାଚୀନ ଓଡ଼ିଆ କବିତା
 

ଦେବ ରତ୍ନାଦି ସହିତେ ମୋତେ ଯେ ପାଇଲ
ସେତେବେଳ କଥା କି ହେ ପାଶୋରିଣ ଦେଲ ।
ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲା
କନକ ବେଦୀରେ ନେଇ ବିଭା କରାଇଲା ।
ଝିଅ ଦେଇ ଶରଣ ପଶିଲା ତୁମ୍ଭଠାଇଁ
ଦଶ ଦୋଷ ମୋର କ୍ଷମା କରିବାର ପାଇଁ ।
ଦଶଗୋଟି ଦୋଷରୁ ଗୋଟିଏ ନ ସହିଲ
ପ୍ରଥମରେ ଚାଣ୍ଡାଳୁଣୀ ବୋଲି ଗାଳି ଦେଲ । । ୯° ।
ବିଭା ବାସିଦିନ ଜୂଆ ଖେଳିବାର ବେଳେ
ସାତବେଳ କଉଡ଼ି ଯେ ପାରିଲଇଁ ତଳେ |
ତୁମ୍ଭେ ଢ଼ାଳିଦିଅ ନାଥ ମୋହର ହସ୍ତରେ
ସୁବର୍ଣ୍ଣ କଉଡ଼ି ମୁହିଁ ଜାକିଲଇଁ କରେ ।
ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର
ମୋତେ ବୋଇଲ ଯା ଇଚ୍ଛା ମାଗି ଘେନ ବର ।
ଯାହା ମନେ ବାଞ୍ଛା ଗୋ କରିବୁ ବଇଦେହି
ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସ‌ହୀ ।
କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର । । ୧୦୦ ।
ଅଷ୍ଟଦିନେ ପଡ଼ିବ ମୋହର ଗୁରୁବାର
ପଡ଼ି ଚରଚିବି ମୁହିଁ ସବୁରିଙ୍କ ଘର ।
ପଡ଼ି ଚରଚିବି କୀଟୁଁ ବ୍ରହ୍ମା ପରିଯନ୍ତେ
ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ।
ହେଉ ବୋଲି ଶ୍ରୀମୁଖରେ ଅଛ ଆଜ୍ଞା ଦେଇ
ଏବେ କିପାଁ ସତ୍ୟ ଭଙ୍ଗ ହେଉଛ ଗୋସାଇଁ ।
ଜଗନ୍ନାଥ କହୁଛନ୍ତି କୋପଭର ହୋଇ
ବାପ ତୋ ଲୁଣିଆ ଯେ ଗରଜି ମରୁଥାଇ ।
ଝିଅ ଟେରୀ ତୋ ଦୁର୍ଗୁଣ କହିଲେ ନ ସରେ
ବାପର ଗର୍ଜନ ଶଦ୍ଦେ କଏ ରହିପାରେ । । ୧୧୦ ।