ପୃଷ୍ଠା:Prachina Odia Kabita.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୦୭
 

ସିଂହ ଦୁଆରେ ବିଜୟ ଲକ୍ଷ୍ମୀ ମହାଦେଈ ।
ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ ।
ବୋଇଲେ ଯେ ବାଟ ଛାଡ଼ ଭିତରକୁ ଯିବି ।
ଦଶମୀ ଯୋଗାଡ଼ି ମୁହିଁ ମଣୋହି ରାନ୍ଧିବି ।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ ।
ଚାଣ୍ଡାଳ ସାହିକି ଯାଇଥିଲ କାହିଁପାଇଁ । ।୬୦।
ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ଯେ ଜ୍ୟେଷ୍ଠ ଭାଇ
ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ ।
ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁଁ
ଧିକ୍କାର ବ‌ହୁତ ମୋତେ କଲେ ବଡ଼ଭାଇ ।
ହାଡ଼ିଦ୍ୱାରେ ଥିବ ଲକ୍ଷ୍ମୀ ଥିବ ପାଣଦ୍ୱାରେ
ସ୍ନାନ ନ କରି ପଶୁଛି ଦେଉଳ ଭିତରେ ।
ତୋ ଠାରୁ ପାପିନୀ ଆଉ ସଂସାରରେ ନାହିଁଁ
ମୋହର ବଚନ ଏବେ ଶୁଣ ପ୍ରାଣସ‌ହୀ ।
ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ ।
ବାଇ ପ୍ରାୟେ ବୁଲୁଥାଉ ହୋଇ ମୋ ଘରଣୀ । ।୭୦।
ଏକ ଘର କରାଉ ସ‌ହସ୍ର ଘର ଭାଙ୍ଗି ।
ସ‌ହସ୍ର ଘର କରାଉ ଏକ ଘର ଭାଙ୍ଗି ।
ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର ।
ଯାଅ ଲକ୍ଷ୍ମୀ ବାହାରି ଗୋ ନ ଥାଅ ମୋ ଘର ।
ତୋହଠାରେ କୋପ କରିଛନ୍ତି ଜ୍ୟେଷ୍ଠ ଭାଇ ।
ଲକ୍ଷ୍ମୀ ଦେବୀ କ‌ହୁଛନ୍ତି ଠାକୁରଙ୍କୁ ଚାହିଁଁ ।
ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ ।
ଜଗନ୍ନାଥ କ‌ହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁଁ ।
ଆମ୍ଭ ଜାତିରେ ଗୋ ଛାଡ଼ ପତ୍ର ଚଳେ ନାହିଁଁ
ଛାଡ଼ିବା ଭାର୍ଯ୍ୟାର ମୁଖ ଚାହିଁଁ ନ ଯୋଗାଇ । ।୮୦।
ଲକ୍ଷ୍ମୀଦେବୀ କ‌ହୁଛନ୍ତି ଠାକୁରଙ୍କୁ ଚାହିଁଁ
ଯେତେବେଳେ ସାଗର ମନ୍ଥିଲ ପ୍ରଭୁ ଯାଇ ।