ପୃଷ୍ଠା:Prachina Odia Kabita.pdf/୨୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୨୫
 

 


ଥିରେଣ ହରି କହେ ମନ୍ଦ ହସି
ଥିବୁ ଆମ୍ଭେ କୁଞ୍ଜ କୁଟୀରେ ବସି
ଥିବେ କେହି ନାହିଁ ତାଙ୍କ ସଙ୍ଗର
ଥାଇ ଘେନି ଆସ ନିଶି-ଅର୍ଦ୍ଧର ସେ,
ଥିବୁ ପରିଜନ ଜାଣି ଗୋ,
ଥାଇ ତୁ ନିଶି ଅର୍ଦ୍ଧେ ଘେନି ଆସିବୁ
ଶୋଇଲେ ସେ ନିଦ ଭାଗି ଯେ । ।୧୭।
ଦୟାନିଧି ବାଣୀ ଶୁଣି ଦୁତିକା
ଦହି ଜମ୍ବୁନଦ ତହୁଁ ଅଧିକା
ଦୁଃଖ ଜାଣି ସଖୀ ବେଗେ ଅଇଲା
ଦ୍ୱିରଦଗମନୀ ପାଶେ ମିଳିଲା ସେ,
ଦେଖିଣ ଦୁତିକା ମୁଖ ଯେ,
ଦିଗମ୍ବର ରିପୁ ତା ପଛୁ ନ ଡରି
ଲଭିଲା ପରମ ସୁଖ ଯେ । ।୧୮।
ଧରି ଚରଣ ପଚାରଇ ରାହୀ
ଧରଣୀଧର କି ବୋଇଲେ ସହି
ଧ୍ରୁବ କରି କହ ସତ୍ୟ ବଚନ
ଧ୍ରୁବ ଆସିବେ କି ପଦ୍ମନୟନ ସେ,
ଧୀରେ କହେ ସହଚରି ଯେ,
ଧରଣୀଧରଙ୍କ ଯେତେ କଥାମାନ
କହିଲା ବହୁତ କରି ଯେ । ।୧୯।
ନ ଜାଣୁ ଆମ୍ଭେ ସୁରତିର ଭାବ
ନାଚି ଖେଳି ଜାଣୁ ଶିଶୁ ସ୍ୱଭାବ
ନାନା ପ୍ରକାର ମଣାଇଁ କହିଲି
ନିଶ୍ଚେ ସିଉକାର କର ବୋଇଲି ସେ,
ନ ଆସିବେ ଆମ୍ଭ କତି ଗୋ,
ନିଶି ଅର୍ଦ୍ଧେ ଘେନି ଯିବି ମୁଁ ତୁମ୍ଭଙ୍କୁ
କୁଞ୍ଜେ ଥିବ ଶିରୀପତି ଗୋ । ।୨୦।