ପୃଷ୍ଠା:Prachina Odia Kabita.pdf/୨୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬୦
ପ୍ରାଚୀନ ଓଡ଼ିଆ କବିତା
 

ନିଦେ ଅଚେତନ କାମିନୀ ସକଳ
ନ‌ଗ୍ରେ ନିଶବଦ, ନାହିଁ ଚହଳ ।
ଜାଣି ଉଠିଲା ଯୁବତୀରତନ
ଘେନି ରତନ ବସନ ଯତନ ।
ଫୁଲ ବନିକା ଭିତରେ ପ୍ରବେଶ
ଦେଖି କୁମର ମନରେ ହରଷ ।
ଯେହ୍ନେ ଶୂନ୍ୟେ ଜଳ ପାଇ ଚାରକ
ସାହୁ ଭେଟିଲା କି ଥିଲା ଖାତକ? । ୧୦ ।
ରଙ୍କ ଧନ କି ବାଟରେ ପାଇଲା
ନେଇ ଗୁପତ କରିଣ ଥୋଇଲା ।
ବାଳୀ କୋଳ କଲା ଦେଖି କୁମର
ବିଜେ ମାଧବୀ ଲତାର ଭିତର ।
ନାନା ବିନୋଦ ରସରେ ରସିଲେ
ରତିପତି-ଭୀତି ମନୁଁ ନାଶିଲେ ।
ଗାଢ଼େ ଆଲିଙ୍ଗନ କରି ନିର୍ଭରେ
ମୁଖେ ଚୁମ୍ବନ ଦେଇ ଧାତିକାରେ ।
କୁଚ-ଶମ୍ଭୁରେ ପାଣି-ପଦ୍ମ ଦେଇ
ଧରି ଅଧରୁ ଅମିୟ ପିଅଇ । । ୨୦ ।
ବାଳୀ ସାତ୍ତ୍ୱିକ ବିକାରେ ତରଳ
କଟି ଉଲୁସି ଖସିଲା ଦୁକୂଳ ।
ତନୁ ରୋମାଞ୍ଚିତ ହୋୟେ ଜଙ୍ଘନ
ଚଉଷଠି ପରିବନ୍ଧେ ବିଧାନ ।
କେଳି କରି ବରନାରୀ ଉଲ୍ଲାସ
ଅଙ୍ଗ ପୋଛି ପିନ୍ଧିଲେ ଝୀନବାସ ।
ଅହିମାଣିକ୍ୟ ବୋଲଇ ମିତଣୀ
ଅଶ୍ୱଶାଳାକୁ ଯିବା ଚାଲ ପୁଣି ।