ପୃଷ୍ଠା:Prachina Odia Kabita.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ଷା
ଜଗନ୍ନାଥ ଦାସ

ଏବେ ଗ୍ରୀଷମ କାଳ ଗଲା । ବରଷା ଋତୁ ପ୍ରକାଶିଲା ।
ସକଳ ଋତୁଙ୍କର ସାର । ଶସ୍ୟ ସମ୍ପଦ ମଞ୍ଚ ପୁର ।
ମେଘେ ମିଳିଲେ ଶୂନ୍ୟ ପଥେ । ବିଜୁଳି ଶବଦ ସଙ୍ଗତେ ।
ଭୂମି, ସାଗର, ଶୁନ୍ୟେ ବ୍ୟାପି । ନୀଳ ଜୀମୂତ ବିଶ୍ୱରୂପୀ ।
ଯେମନ୍ତେ ନିବିଡ଼ ଆକାଶ । ଭୂମିର ରସ ଅଷ୍ଟମାସ ।
ଆଦିତ୍ୟ କରିଥିଲା ଗ୍ରାସ । ସେ ତାପ କଲା ମେଘ ନାଶ ।
ମହୀମଣ୍ତଳ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ ।
ଘୋର ଶବଦେ ମେଘମାଳ । ଗର୍ଜିଣ ବରଷନ୍ତି ଜଳ ।
ପ୍ରାଣୀ ଜୀବନ ଜଳ ରାଶି । କରୁଣା ଚିତ୍ତରେ ବରଷି ।
ପୃଥିବୀ ରବିତପ୍ତ ଗ୍ରାସେ । ତାପିତ ଥିଲା ଅଷ୍ଟମାସେ । ।୧୦।
ଜଳ ପାଇଲେ ତୋଷ ଚିତ୍ତେ । ତପସ୍ୱୀ ଜନଙ୍କର ମତେ ।
ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ ।
ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ ।
ପାଷାଣ୍ତେ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ଯୋଗ ମାର୍ଗେ ।
ମୁଣ୍ତକେ ମେଘ ନାଦ ଶୁଣି । ଗର୍ଜନ୍ତି ଆବୋରିଣ ପାଣି ।
ଅଳପ ନ‌ଦୀଏ ପୁରିଲେ । ଲହରୀ ମତେ ଉଛୁଳିଲେ ।
ନାନା ପ୍ରକାରେ ଶସ୍ୟ ରାଶି । ଏଣେ ପୁରିତ ମହୀ ଦିଶି ।
ଛତୁ ଯେ ଛତ୍ର ପ୍ରାୟ ହୋଇ । ରାଜାର ପ୍ରାୟେ ଦିଶେ ମହୀ ।
ଶସ୍ୟ ସମ୍ପଦ କ୍ଷେତ୍ର ମତେ । ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ ।
ଅଶେଷ ଜୀବ ଜଳ ସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ । ।୨୦।
ଦିନ‌କୁ ଦିନ ପୁଷ୍ଟ ହୋଇ । ହରି ସେବକ ପ୍ରାୟ ଦେହୀ ।
ସମୁଦ୍ର ନ‌ଦୀଙ୍କର ମେଳ । ଲୋଡ଼ି ପାଇଲେ ପୂର୍ଣ୍ଣ ଜଳ ।
ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳ ଗୁଣେ ଗ୍ରସ୍ତ ।
ପର୍ବତେ ଜଳଧାରଚୟ । ପଡ଼ନ୍ତେ ନ କରନ୍ତି ଭୟ ।
କୃଷ୍ଣ ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ ।
ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ ।