Jump to content

ପୃଷ୍ଠା:Saptascharya.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେବଳ ପିରାମିଡ୍‍ମାନଙ୍କୁ ଛାଡିଦେଲେ ପୁରାତନ ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଅନ୍ୟ କାହାର ସ୍ଥିତି ଧରାପୃଷ୍ଠରେ ନାହିଁ । ତେଣୁ ସେମାନଙ୍କ ବିଷୟରେ ସେତେଟା ଠିକ୍‍ ବିବରଣୀ ମିଳେନାହିଁ । ହେଲେ ମୋ କଥା ଅଲଗା । ଆଧୁନିକ ଇତିହାସକାରମାନେ ବି ପାଇପାରିଛନ୍ତି ମୋ ବିଷୟରେ ଟିକିନିଖି ତ‌ଥ୍ୟ । ମୁଁ ଆଲେକ୍‍ଜାଣ୍ତ୍ରିଆର ଶୋଭାମଣ୍ତନ କରିିଥିଲି ପନ୍ଦରଶହ ଖ୍ରୀଷ୍ଟାବ୍ଦ ଯାଏ । ତେଣୁ ବିଭିନ୍ନ ସମୟର ପର୍ଯ୍ୟଟକ ଓ ଇତିହାସକାରମାନେ ଛାଡ଼ିଯାଇଛନ୍ତି ମୋର ରୂପରେଖ ବର୍ଣ୍ଣନାର ଅନେକ ଦସ୍ତାବିଜ ।

ମୋତେ ତିନିଟି ସ୍ତରରେ ନିର୍ମାଣ କରାଯାଇଥିଲା । ମୋର ଶକ୍ତି ଓ ଦୃଢ଼ତାର ଉତ୍ସ ମୋର ସୁଦୃଢ଼ ମୂଳଦୁଆ । ଏହା ଉପରେ ନିର୍ମିତ ହୋଇଥିଲା ୫୫.୯ମିଟର ଉଚ୍ଚା ଏକ ବିରାଟ ଚତୁଷ୍କୋଣ ଆଧାରପୀଠ । ଏହା ମଝିରେ ଥିଲା ଗୋଲାକାର ଅନ୍ତଃସ୍ଥଳ । ସିଢ଼ି ନିର୍ମାଣ କରାଯାଇଥିଲା ଉପରକୁ ଯିବାପାଇଁ । ଏହି ବିରାଟ ଚତୁଷ୍କୋଣ ଆଧାର ଉପରେ ମୋର ମଧ୍ୟଖଣ୍ତ ଠିଆ ହୋଇଥିଲା । ଏହା ଥିଲା ୨୭.୪୫ ମିଟର ଉଚ୍ଚ ଏବଂ ଏହାକୁ ଏକ ଅଷ୍ଟବାହୁ ଗମ୍ବୁଜ ରୂପରେ ନିର୍ମାଣ କରାଯାଇଥିଲା । ଏହି ଗମ୍ବୁଜର ପ୍ରତ୍ୟେକ ବାହୁର ଲମ୍ବ ଥିଲା ୧୮.୩୦ ମିଟର । ଏହା ଉପରେ ଥିଲା ଏକ ଗୋଲାକାର ଗମ୍ବୁଜ ଯାହା ୭.୩୦ମିଟର ଉଚ୍ଚ ଥିଲା । ତଳୁ ମୋ ଶିଖରର ଉଚ୍ଚତା ଥିଲା ୧୧୭ ମିଟର । ଏହା ବର୍ତ୍ତମାନର ୪୦ ମହଲା ଘରର ଉଚ୍ଚତା ସହ ସମାନ । ପୁରୀ ଶ୍ରୀମନ୍ଦିରର ଉଚ୍ଚତା ବି ମୋ ଠାରୁ କମ୍‍ । ମୋର ମଧ୍ୟଭାଗରେ ବାଟ ଥିଲା ଉପରଯାଏ ଯିବାପାଇଁ । ରାତିରେ ମୋ ଶିଖରରେ ଜଳୁଥିବା ନିଆଁ ପାଇଁ ଇନ୍ଧନ ତଳୁ ଉପରକୁ ଉଠାଯାଉଥିଲା ।

ମୋର ବ୍ୟାବହାରିକ ଉପଯୋଗିତା ଖୁବ୍‍ ବେଶି ଥିଲା । କିନ୍ତୁ ମୋତେ ନିର୍ମାଣ କରିିବା ସ୍ଥପତିମାନେ ମୋର ସୁନ୍ଦରତା ପ୍ରତି ବି ଦୃଷ୍ଟି ଦେଇଥିଲେ । ମୋ ମୁଣ୍ତ ଉପରେ ଶୋଭା ପାଉଥିଲା ଗ୍ରୀକ୍‍ ପୁରାଣର ସମୁଦ୍ରଦେବତା ପୋସେଇଡନ୍‍ଙ୍କ ମୂର୍ତ୍ତିି । ଚତୁଷ୍କୋଣ ଆଧାରପୀଠର ଚାରିକୋଣରେ ଥିଲା ଚାରିଟି ଟି୍ରଟନ୍‍ ପ୍ରତିମା। ଏମାନେ ହେଲେ ଗ୍ରୀକ୍‍ ସମୁଦ୍ର ଦେବତାଙ୍କ ପୁତ୍ର । ଏମାନଙ୍କ ଦେହ ମଣିଷ ଭଳି ଥିଲେ ମଧ୍ୟ ଗୋଡ଼ ସ୍ଥାନରେ ଥିଲା ମାଛର ଲାଞ୍ଜ । ଶୁଭ୍ର ମର୍ମର ଆସ୍ତରଣରେ ଆଚ୍ଛାଦିତ କରାଯାଇଥିଲା ମୋର ଶିଖରରେ ଥିବା ଗୋଲାକାର ଗମ୍ବୁଜକୁ । ଖୁବ୍‍ ଦୂରରୁ ଦେଖାଯାଉଥିଲା ଏହି ଶୁଭ୍ର ଗମ୍ବୁଜ । ଦିନରେ ଏହା ଉପରୁ ବିରାଟ ଅବତଳ ଦର୍ପଣ ଦ୍ୱାରା ସୂର୍ଯ୍ୟାଲୋକକୁ ଦୂରକୁ ପ୍ରତିଫଳିତ କରାଯାଉଥିଲା । ରାତିରେ ଏଠାରେ ନିଆଁ ଜଳା ଯାଉଥିଲା । ଅଗ୍ନିର ଆଲୋକକୁ ଦର୍ପଣ ପ୍ରତିଫଳିତ କରୁଥିଲା ଦୂର ସମୁଦ୍ରର ନାବିକମାନଙ୍କ ପାଇଁ ।

ସାରା ୟୁରୋପ ଓ ଏସିଆରେ ମୋର ଖ୍ୟାତି କିଛି କମ ନଥିଲା । ମୋତେ ନେଇ ଗଢ଼ି ଉଠିିଲା କିମ୍ବଦନ୍ତୀ । ଲୋକେ କହିବାକୁ ଆରମ୍ଭ କରିଥିଲେ ଯେ ମୁଁ କୁଆଡେ଼ ଆଲେକ୍‍ଜାଣ୍ତ୍ରିଆର ରକ୍ଷାକର୍ତ୍ତା । ଆକ୍ରମଣକାରୀ ଜାହାଜମାନଙ୍କୁ କୁଆଡେ଼ ଦୂରରୁ ଜଳାଯାଇ ପାରୁଥିଲା ମୋ ଉପରେ ଥିବା ବିରାଟ ଅବତଳ ଦର୍ପଣ ଦ୍ୱାରା ସୌରାଲୋକକୁ କେନ୍ଦ୍ରୀଭୂତ କରି । କିନ୍ତୁ ଏହା ଥିଲା କେବଳ ଏକ ଗୁଜବ ଯାହା କିମ୍ବଦନ୍ତୀରେ ପରିବର୍ତ୍ତିତ ହୋଇଥିଲା । ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ମୋ ଉପରୁ ସାରା ଆଲେକ୍‍ଜାଣ୍ତ୍ରିଆ ସହର ଉପରେ ନଜର ରଖାଯାଉଥିଲା । ମୋ ଉପରେ କୁଆଡେ଼

ସପ୍ତାଶ୍ଚର୍ଯ୍ୟ. ୮୩