ପୃଷ୍ଠା:Sarala Bhashatattwa.pdf/24

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧
ସରଳ ଭାଷାତତ୍ତ୍ୱ

ହୋଇଥାଏ, କିନ୍ତୁ ରୋମକ ଲିପିରେ ଅକ୍ଷରଗୁଡ଼ିକୁ ପରସ୍ପର ବିଚ୍ଛିନ୍ନଭାବରେ ଲେଖିବାର ରୀତି ପ୍ରଚଳିତ ଥିବାରୁ ତାହା ଅପେକ୍ଷାକୃତ ଦ୍ରୁତଭାବରେ ଲେଖାଯାଇ ପାରେ । ବାସ୍ତବରେ ବର୍ଣ୍ଣମାନଙ୍କର ଧ୍ୱନି ଯେପରି ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ, ସେମାନଙ୍କର ରୂପ ମଧ୍ୟ କୌଣସି ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ ।

ମାତ୍ର ବର୍ଣ୍ଣମାନଙ୍କର ଧ୍ୱନି ଓ ରୂପର ବୈଜ୍ଞାନିକ କାରଣ ଓ ଇତିହାସ ଅଛି । ଏହି ଇତିହାସକୁ ଅନୁଶୀଳନ କଲେ ଆମ୍ଭେମାନେ ନାନା ତଥ୍ୟ ଜାଣିପାରୁଁ । ଭାରତରେ ଅନୁନ୍ନତ ଜାତିମାନଙ୍କ ମଧ୍ୟରେ ଘାସ ବା ସୂତାର ଗଣ୍ଠିଦ୍ୱାରା ମିଳିତ ହେବାର ଇଙ୍ଗିତ ଦିଆଯାଏ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୀତି ପ୍ରତି ଭାଷାର 'ଗଣ୍ଠି ଫେରାଇବା' ପଦର ବ୍ୟବହାରଦ୍ୱାରା ଇଙ୍ଗିତ କରାଯାଇଅଛି । ପ୍ରାଚୀନ ଚୀନମାନଙ୍କ ମଧ୍ୟରେ ଓ ଦକ୍ଷିଣ ଆମେରିକାର ପେରୁଦେଶବାସୀ ଇନକାମାନଙ୍କ (Inca) ମଧ୍ୟରେ ଏହି ରୀତି ପ୍ରଚଳିତ ଥିଲା । ଗ୍ରନ୍ଥିର ବନ୍ଧନଭଙ୍ଗୀ, ସୂତାର ରଙ୍ଗ, ଗ୍ରନ୍ଥିର ସଂଖ୍ୟା ପ୍ରଭୃତି ଦ୍ୱାରା ନାନା ବିଭିନ୍ନ ଭାବ ପ୍ରକାଶ କରାଯାଉଥିଲା । ଏହି 'ଗ୍ରନ୍ଥିଲେଖା'ରେ ଜଡ଼ ପଦାର୍ଥର ସମନ୍ୱୟଦ୍ୱାରା ଭାବପ୍ରକାଶର ଉଦାହରଣ ଆମ୍ଭେମାନେ ପାଇଥାଉଁ ଓ ବାସ୍ତବରେ ଏଗୁଡ଼ିକ ଲିପି ନ ହେଲେହେଁ ବା ସେଥିରୁ ଲିପିର ଉଦ୍ଭବ ସମ୍ଭବପର ନ ହେଲେହେଁ, ଭାବର ଆଦାନପ୍ରଦାନ ବିଷୟକ କୃତ୍ରିମତା ଏହି ରୀତିରେ ଅନୂସୃତ ହୋଇଅଛି । ସେହି କୃତ୍ରିମତା ଲିପିର ବ୍ୟବହାରରେ ସୁସ୍ପଷ୍ଟ । ବାସ୍ତବିକ ପ୍ରତ୍ୟେକ ଲିପି କୌଣସି ଧ୍ୱନିର ସାଙ୍କେତିକ ଚିହ୍ନ । ରୂପଦ୍ୱାରା ଧ୍ୱନି ନିର୍ଦ୍ଦେଶ କରିବା ଏହିତ କୃତ୍ରିମ ସଙ୍କେତମାନଙ୍କର ଉଦ୍ଦେଶ୍ୟ ।

ଅକ୍ଷର ବା ଲିପିମାଳାର ସୃଷ୍ଟି ଅତ୍ୟନ୍ତ ରହସ୍ୟମୟ ଓ ସଂସ୍କୃତ ଅକ୍ଷରମାନଙ୍କର ଇତିହାସ ଏପର୍ଯ୍ୟନ୍ତ ସମ୍ୟକ୍ ଭାବରେ ଆଲୋଚିତ ହୋଇ ନାହିଁ । ଅତି ପୁରାତନକାଳରେ ଯେପରି ପାରିପାର୍ଶ୍ୱିକ ନାନା ପ୍ରାକୃତିକ ଧ୍ୱନିକୁ ଅବଲମ୍ବନ କରି ଅର୍ଥଦ୍ୟୋତକ ଶବ୍ଦ ଗଠିତ ହୋଇଥିଲା, ସେହିପରି ନିଜର ଆବେଷ୍ଟନୀ ମଧ୍ୟସ୍ଥ ପଦାର୍ଥମାନଙ୍କର ରୂପକୁ ଅନୁସରଣ କରି ଲିପି ଗଠିତ ହୋଇଥିବା ସମ୍ଭବ । ଆଦିମ ଯୁଗରେ ଚିତ୍ରଲେଖା ରୀତି ପ୍ରଚଳିତ ଥିଲା ଅର୍ଥାତ୍ ଇଜିପ୍ଟ ପ୍ରଭୃତି ଦେଶରେ ଚିତ୍ରାଙ୍କନ ଦ୍ୱାରା ଅନ୍ୟକୁ ନିଜର ମନୋଭାବ ଜ୍ଞାପିତ କରିବାର ରୀତି ଅନୂସୃତ ହୋଇଥିଲା । ନିଜର ବାସଗୃହ, ନିଜର ଅଙ୍ଗପ୍ରତ୍ୟଙ୍ଗ, ନିଜର ଗୃହପାଳିତ ପଶୁ; ସୂର୍ଯ୍ୟ, ଚନ୍ଦ୍ର, ନଦୀ, ପର୍ବତ ପ୍ରଭୃତି ପ୍ରାକୃତିକ ଦୃଶ୍ୟ ଇତ୍ୟାଦି ନାନା ପଦାର୍ଥର ଛବି ଅଙ୍କିତ କରି ଦୂରସ୍ଥିତ ବ୍ୟକ୍ତିକୁ କୌଣସି ବିଷୟ ଜ୍ଞାପିତ