ପୃଷ୍ଠା:Sarala Bhashatattwa.pdf/41

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


(ବିଭାଗ କରିବା) ସହିତ ସମ୍ପୃକ୍ତ ଓ ମୂଳ ପ୍ରାଚୀନ ଆର୍ଯ୍ୟ ଭାଷାରେ ବ୍ୟବହୃତ 'ଭଗ୍' ଶବ୍ଦରୁ ଏ ସବୁ ଶବ୍ଦ ଜାତ, ଏଥିରେ କିଛି ମାତ୍ର ସନ୍ଦେହ ନାହିଁ । ମାତ୍ର ଭାଷାତତ୍ତ୍ୱ ଅନୁସାରେ ଶବ୍ଦର ଇତିହାସକୁ ଅନୁସରଣ ନ କଲେ 'ବକ୍ସିସ୍' ଓ ' ବିଭାଗ' ମଧ୍ୟରେ ଯେ କିଛି ମାତ୍ର ସମ୍ପର୍କ ବିଦ୍ୟମାନ ଅଛି, ତାହା ଆମ୍ଭେମାନେ କହି ନ ପାରୁଁ । ଏହିସବୁ କାରଣରୁ ଶବ୍ଦର ଧାତୁ-ପ୍ରତ୍ୟୟ ମାତ୍ର ଜାଣିବା ଠାରୁ ତାହାର ଇତିହାସ ଜାଣିବା ଏତେ ଅଧିକ ପ୍ରୟୋଜନ ।

ସାଧାରଣ ଭାଷାରେ ବ୍ୟବହୃତ ଶବ୍ଦମାନ ବାସ୍ତବରେ ଧାତୁରୁ ଉତ୍ପନ୍ନ ନୁହନ୍ତି, ଏମାନେ ଅନ୍ୟ ଶବ୍ଦରୁ ଉତ୍ପନ୍ନ, ଏମାନଙ୍କର ଧାତୁ ନିର୍ଦ୍ଦେଶ ବ୍ୟାକରଣକାରମାନଙ୍କର କଳ୍ପନା ମାତ୍ର । ଓଡ଼ିଆରେ ବ୍ୟବହୃତ ହେଉଥିବା ଅନେକ ଶବ୍ଦ ପ୍ରାକୃତ ଭାଷାରୁ ଗୃହୀତ । ପ୍ରାକୃତ ଭାଷା ବାସ୍ତବରେ ବୈଦିକଭାଷାର ବିକୃତ । ସଂସ୍କୃତ ଶବ୍ଦମାନଙ୍କରୁ ଅଧିକାଂଶ ବୈଦିକ ଭାଷାରୁ ଗୃହୀତ । ଏହି ବୈଦିକ ଭାଷାର ଉତ୍ପତ୍ତି ନିରୂପଣ କଲେ ସହସ୍ର ସହସ୍ର ବର୍ଷ ପୂର୍ବରେ ବ୍ୟବହୃତ ଏକ ଆଦିମ ଆର୍ଯ୍ୟ ଭାଷାର ପରିଚୟ ଆମ୍ଭେମାନେ ପାଇଥାଉଁ । ଏହି ଆଦିମ ଆର୍ଯ୍ୟ ଭାଷାର ପ୍ରଥମାବସ୍ଥାରେ ଯେଉଁ ମୂଳ ଶବ୍ଦମାନ ବ୍ୟବହୃତ ହେଉଥିଲା, କେବଳ ସେହିମାନଙ୍କୁ ହିଁ ଧାତୁ ବା ମୂଳ ଶବ୍ଦ ଆଖ୍ୟା ଦିଆଯାଇ ପାରେ । ମାତ୍ର ଧାତୁଗୁଡ଼ିକ ମଧ୍ୟ ଶବ୍ଦ ବ୍ୟବହାରର ବହୁକାଳ ପରେ କଳ୍ପିତ ଏବଂ କୃତ୍ରିମ ବୋଲି ବ୍ୟବହୃତ ଓ ସ୍ୱୀକୃତ ହୋଇଥିବା ସ୍ଥିର ନିଶ୍ଚିତ ଭାବରେ ଜଣାଯାଉଅଛି । ଶବ୍ଦମାନ ବ୍ୟବହୃତ ହେବାର ବହୁକାଳ ପରେ କୃତ୍ରିମ ଉପାୟରେ ଶବ୍ଦର ବିଶ୍ଳେଷଣ ଦ୍ୱାରା ତାହାର ମୂଳ ଅଂଶ କଳ୍ପନା କରାଯାଇ ତାକୁ ଧାତୁ ଆଖ୍ୟା ଦିଆଯାଇଥିବା ନିଶ୍ଚିତ । ସଂସ୍କୃତରେ ବ୍ୟବହୃତ ଅନେକ ଧାତୁର ଏହି ମୂଳ ଧାତୁମାନଙ୍କ ସହିତ ଧ୍ୱନିଗତ ଓ ରୂପଗତ ଓ ସାମଞ୍ଜସ୍ୟ ଅଛି । ମାତ୍ର ଅନ୍ୟ ଅନେକ ଧାତୁ କଳ୍ପିତ । ସଂସ୍କୃତ ବ୍ୟାକରଣର ଆଲୋଚନାଦ୍ୱାରା ଓଡ଼ିଆ ଭାଷାର ଶବ୍ଦମାନ ନିୟନ୍ତ୍ରିତ ହେଉଥିବାରୁ ଆମ୍ଭେମାନେ ଶବ୍ଦର ଇତିହାସ ପ୍ରତି ଅବହିତ ନ ହୋଇ କେବଳ ତାହାର ଧାତୁ-ପ୍ରତ୍ୟୟ ଜାଣିବା ନିମନ୍ତେ ସଚେଷ୍ଟ ହୋଇଥାଉଁ ।

ମୂଳ ଆର୍ଯ୍ୟ ଭାଷାର ସ୍ୱରୂପ ବିଷୟରେ ଆମ୍ଭମାନଙ୍କର ସୁସ୍ପଷ୍ଟ ଜ୍ଞାନ ନାହିଁ । କିମ୍ବା ବର୍ତ୍ତମାନ ସେ ଭାଷା ବ୍ୟବହୃତ ହେଉ ନ ଥିବା ସ୍ଥଳେ ତାହାର ସମ୍ୟକ୍ ପରିଚୟ ପାଇବା ମଧ୍ୟ ସମ୍ଭବପର ନୁହେଁ । କେବଳ ଆମ୍ଭେମାନେ ଗ୍ରୀକ୍, ଲାଟିନ୍, ସଂସ୍କତ, ପାରସିକ, ଇଂରାଜୀ, ଫରାସୀ, ଓଡ଼ିଆ, ବଙ୍ଗଳା, ପ୍ରଭୃତି ଭାଷାମାନଙ୍କର ଅନୁଶୀଳନଦ୍ୱାରା ଏ ବିଷୟରେ କିଞ୍ଚିତ୍ ଅନୁମାନ କରି ପାରୁଁ । ଅନୁମାନ ଦ୍ୱାରା ପ୍ରାଚୀନ ଆର୍ଯ୍ୟ ଭାଷାରେ ବ୍ୟବହୃତ ହେଉଥିବା ମୂଳ ଶବ୍ଦ ବା ଧାତୁମାନଙ୍କ