ପୃଷ୍ଠା:Sarala Bhashatattwa.pdf/49

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ହୋଇଥିବା ସ୍ଥଳେ ଏଗୁଡ଼ିକ ମଧ୍ୟ ବୈଦେଶିକ ବୋଲି ନିର୍ଦ୍ଦେଶିତ ହେବା ଉଚିତ । (୪) ସଂସ୍କୃତରୁ ଓଡ଼ିଆରେ ଗୃହୀତ ଅନେକ ଶବ୍ଦ ବାସ୍ତବରେ ଭାଷାରେ ସ୍ୱୀକୃତ ନ ହୋଇଥିବା ସ୍ଥଳେ ସେଗୁଡ଼ିକ ମଧ୍ୟ ଓଡ଼ିଆ ପକ୍ଷରେ ବୈଦେଶିକ ଶବ୍ଦ । ଅର୍ଥାତ୍ 'pen' ଶବ୍ଦ ଯେପରି ଭାଷାରେ ଅବାଧରେ ସ୍ୱୀକୃତ ହୋଇ ନାହିଁ, 'ଇରମ୍ମଦ' ମଧ୍ୟ ସେହିପରି ସ୍ୱୀକୃତ ହୋଇ ନାହିଁ । ଏହିପରି କଳ୍ମଷ, ଅଧିବକ୍ତ୍ର, ଅଭିମର ପ୍ରଭୃତି ନାନା ସଂସ୍କୃତ ଶବ୍ଦ ମଧ୍ୟ ସ୍ଥାନେ ସ୍ଥାନେ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇଥିଲେହେଁ ଏଗୁଡିକ ଓଡ଼ିଆ ଭାଷା ପକ୍ଷରେ ବୈଦେଶିକ । (୫) ସଂସ୍କୃତରେ ଅନୁକରଣରେ ଓଡ଼ିଆରେ ଯେଉଁ ଶବ୍ଦମାନ ରଚିତ ହୋଇଅଛି (ଯଥା -ମର୍ମନ୍ତୁଦ; ବନାନୀ; ରାଜନୈତିକ ପ୍ରଭୃତି) ସେଗୁଡ଼ିକ ସଂସ୍କୃତ ନୁହନ୍ତି କିମ୍ୱା ସଂସ୍କୃତରୁ ଉଦ୍ଭୂତ ମଧ୍ୟ ନୁହନ୍ତି । ଏମାନଙ୍କୁ ତତ୍‌ସମ ବା ତଦ୍ଭବ କୌଣସି ବିଭାଗରେ ସ୍ଥାନ ଦେବା ସମୀଚୀନ ହେବ ନାହିଁ । (୬) ଦେଶଜ ବୋଲି ଗୋଟିଏ ଶ୍ରେଣୀବିଭାଗ କରି ସେଥିରେ ଅଜ୍ଞାତକୁଳଶୀଳ ସବୁ ଶବ୍ଦମାନଙ୍କୁ ଏକତ୍ର କରିବା ବାସ୍ତବରେ ଯୁକ୍ତିଯୁକ୍ତ ନୁହେଁ, କାରଣ ଦେଶଜର ଯେଉଁ ସଂଜ୍ଞା ଆମ୍ଭେମାନେ ପୂର୍ବ ପୁସ୍ତକମାନଙ୍କରେ ପାଉଁ, ସେଥିରେ ଅନେକ ତଦ୍ଭବ ଶବ୍ଦକୁ ମଧ୍ୟ ଦେଶଜ ଶ୍ରେଣୀ ମଧ୍ୟରେ ସ୍ଥାନ ଦିଆଯାଇ ପାରେ; ଯଥା - କୃଷକ । (୭) ଓଡ଼ିଶାରେ ବ୍ୟବହୃତ ପ୍ରାଚୀନ ଭାଷା କୋଳ ଓ ଦ୍ରାବିଡ ଭାଷାର ଅପଭ୍ରଂଶ ଥିବା ସ୍ଥଳେ ବାସ୍ତବରେ ସେହି ଭାଷାମାନଙ୍କରୁ ଗୃହୀତ ଶବ୍ଦହିଁ ଦେଶଜ, ତଦ୍ଭିନ୍ନ ଇଂରାଜୀ, ସଂସ୍କୃତ ପ୍ରଭୃତି ଅନ୍ୟ ସମସ୍ତ ଭାଷାର ଶବ୍ଦ ବୈଦେଶିକ ।

ବାସ୍ତବରେ ଗୋଟିଏ ଭାଷାରେ ବ୍ୟବହୃତ ବା ସ୍ୱୀକୃତ ଶବ୍ଦ ଅନ୍ୟ ଭାଷାର ନିରିଖ ନେଇ ଶ୍ରେଣୀବିଭାଗ କରିବା ଅନ୍ୟାୟ ଓ ଓଡ଼ିଆ ଶବ୍ଦମାନଙ୍କୁ ସଂସ୍କୃତ ଶବ୍ଦ ସହିତ ତୁଳନା କରିବା ଭ୍ରମାତ୍ମକ; କାରଣ ସଂସ୍କୃତ କିଛି ମୂଳ ଭାଷା ନୁହେଁ, ଆର୍ଯ୍ୟ ଭାଷା ସହସ୍ର ସହସ୍ର ବର୍ଷ ବ୍ୟବହୃତ ହେବା ପରେ ବିକୃତ ହୋଇ ସଂସ୍କୃତରେ ପରିଣତ ହୋଇଅଛି । ଏଣୁ ଶବ୍ଦମାନଙ୍କର ଇତିହାସ ଆଲୋଚନା କଲେ ସଂସ୍କୃତଠାରେ ନ ଅଟକି ମୂଳ ଭାଷା ପର୍ଯ୍ୟନ୍ତ ସେମାନଙ୍କର ବିଚାର କରିବାକୁ ହୋଇଥାଏ । ଭାଷାତତ୍ତ୍ୱରେ ଶବ୍ଦର ପୂର୍ଣ୍ଣ ପରିଚୟ ଏବଂ ଶବ୍ଦର ଇତିହାସ ଆଲୋଚିତ ହେବା ପ୍ରୟୋଜନ; କେବଳ ଶବ୍ଦମାନଙ୍କର ସ୍ଥୂଳ ଶ୍ରେଣୀବିଭାଗ ଉଚିତ ନୁହେଁ । ଏପରି କରିବାଦ୍ୱାରା ସଂସ୍କୃତପ୍ରେମର ପରିଚୟ ମିଳିପାରେ; କିନ୍ତୁ ଓଡ଼ିଆ ଭାଷାତତ୍ତ୍ୱ ବିଷୟରେ ଜ୍ଞାନର ପରିଚୟ ମିଳେ ନାହିଁ ।

ଭାଷାତତ୍ତ୍ୱ ଦିଗରୁ ଆଲୋଚନା କଲେ ଓଡ଼ିଆରେ ବ୍ୟବହୃତ ଓ ସ୍ୱୀକୃତ ପ୍ରତ୍ୟେକ ଶବ୍ଦକୁ ଓଡ଼ିଆ ଶବ୍ଦ ବୋଲି ଜ୍ଞାନ କରିବାକୁ ହେବ ଏବଂ ଏହି ଶବ୍ଦ