ଟେବୁଲ ଓ ରାତ୍ରି ମଧ୍ୟରେ କୌଣସି ପାର୍ଥକ୍ୟ ସ୍ୱୀକାର କରିବା ସମୀଚୀନ ନୁହେଁ । ଅବଶ୍ୟ କେତେକ ବୈଦେଶିକ ଶବ୍ଦ ଭାଷାରେ ପୂର୍ଣ୍ଣଭାବରେ ସ୍ୱୀକୃତ, ଅନ୍ୟଗୁଡ଼ିକ ସାଧାରଣରେ ସ୍ୱୀକୃତ ହୋଇ ନାହିଁ; ଏଣୁ ସେମାନଙ୍କର ବହୁଳ ପ୍ରୟୋଗ ଯେ ଅନୁଚିତ ଏ ବିଷୟରେ ସନ୍ଦେହ ନାହିଁ । ଅର୍ଥାତ୍ 'ସେ ଟେବୁଲରେ ବସି ଖାନା ଖାଆନ୍ତି' ଭାଷାରେ ପ୍ରଚଳିତ, କିନ୍ତୁ 'ସେ ପେନ ନେଇ ପେପର ଉପରେ ଲେଖେ' ଏହା ପ୍ରଚଳିତ ନୁହେଁ । 'ରାୟ' ପ୍ରଚଳିତ, କିନ୍ତୁ 'ଜଜ୍ମେଣ୍ଟ୍' ପ୍ରଚଳିତ ନୁହେଁ । 'କଲମ' ପ୍ରଚଳିତ, କିନ୍ତୁ 'ପେନ୍' ପ୍ରଚଳିତ ନୁହେଁ । 'ୱାରସ' ପ୍ରଚଳିତ, କିନ୍ତୁ heir ପ୍ରଚଳିତ ନୁହେଁ । ଯେଉଁ ଶବ୍ଦମାନ ଓଡ଼ିଆ ଭାଷାରେ ସ୍ୱୀକୃତ, ସାହିତ୍ୟରେ ବ୍ୟବହୃତ, ଜନସାଧାରଣଦ୍ୱାରା ପ୍ରଯୁକ୍ତ ଓ ଲୋକମୁଖରେ ଅବାଧରେ ପ୍ରଚଳିତ, ସେ ସମସ୍ତ ଓଡ଼ିଆ ଶବ୍ଦ, ସେମାନଙ୍କର ବ୍ୟବହାରଗତ ଓ ପ୍ରୟୋଗଗତ ବିଶେଷ ରୀତି ପ୍ରଚଳିତ ଥିଲେହେଁ ସେମାନଙ୍କ ମଧ୍ୟରେ ତାରତମ୍ୟ କରିବା ଅନୁଚିତ । କେବଳ ସେମାନଙ୍କର ଉତ୍ପତ୍ତି ଘେନି ସେମାନଙ୍କର ଶ୍ରେଣୀ ବିଭାଗ କରାଯାଇ ପାରେ । ସାଧାରଣତଃ ଓଡ଼ିଆ ଭାଷାରେ ଶବ୍ଦମାନଙ୍କୁ ତତ୍ସମ, ତଦ୍ଭବ,ଦେଶଜ ଓ ବୈଦେଶିକ ଏହି ଚାରି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଏହି ଶ୍ରେଣୀ ବିଭାଗର ନିରିଖ ସଂସ୍କୃତ ଭାଷା, ଓଡ଼ିଆ ଭାଷା ନୁହେଁ । ଯେଉଁସବୁ ସଂସ୍କୃତ ଶବ୍ଦ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ, ସେଗୁଡ଼ିକୁ 'ତତ୍ସମ',ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ବିକୃତଭାବରେ ବ୍ୟବହୃତ ସେମାନଙ୍କୁ 'ତଦ୍ଭବ', ଯେଉଁ ଶବ୍ଦମାନ ବୈଦେଶିକ ଭାଷାରୁ ଗୃହୀତ ସେମାନଙ୍କୁ 'ବୈଦେଶିକ' ଓ ଯେଉଁ ଶବ୍ଦମାନଙ୍କ ଉତ୍ପତ୍ତି ଅଜ୍ଞାତ ବା ଆଦିମକାଳରୁ ଭାଷାରେ ବ୍ୟବହୃତ ବୋଲି ସ୍ୱୀକୃତ ସେମାନଙ୍କୁ 'ଦେଶଜ' ଏହି ଆଖ୍ୟା ଦିଆଯାଇଥାଏ । ମାତ୍ର ଏପରି ଶ୍ରୈଣୀବିଭାଗ କରିବା ଯେ ଭୁଲ ତାହା ସହଜରେ ଅନୁମିତ ହୋଇ ପାରେ; କାରଣ (୧) ବୈଦେଶିକ ଅନେକ ଶବ୍ଦ ମୂଳତଃ ଆର୍ଯ୍ୟ ଭାଷାରୁ ଗୃହୀତ; 'କୋଇଲା' ଏହାର ପ୍ରକୃଷ୍ଟ ଉଦାହରଣ । କାରଣ ଏହି ଶବ୍ଦ ଯେଉଁ ମୂଳ ଆର୍ଯ୍ୟ ଶବ୍ଦରୁ ଉତ୍ପନ୍ନ, ସଂସ୍କୃତ 'ଜ୍ୱଳ୍' ଶବ୍ଦ ମଧ୍ୟ ସେହି ମୂଳ ଶବ୍ଦରୁ ଉତ୍ପନ୍ନ; ଅତଏବ ଏହା ବାସ୍ତବରେ ତଦ୍ଭବ । ଏହିପରି ପାଲକି, ଫଟୋ, ଫିଟନ, ଫିଷ୍ଟ, ମାର୍ବୁଲ, ଇସ୍କୁଲ ପ୍ରଭୃତି ଶବ୍ଦ ମଧ୍ୟ ସଂସ୍କୃତ ସହିତ ସମ୍ପୃକ୍ତ । (୨) ତୋଟା, ପିଲା, ଅଟେଇ, ପାଟି ପ୍ରଭୃତି ଶବ୍ଦ ଦ୍ରାବିଡ଼ ଭାଷାରୁ ଗୃହୀତ, ଏଣୁ ଓଡ଼ିଆ ଭାଷାରେ ବୈଦେଶିକ ବୋଲି ନିର୍ଦ୍ଦେଶିତ ହେଉଥିଲେହେଁ ଯେଉଁ ସବୁ ଦ୍ରାବିଡ଼ ଶବ୍ଦ ପୂର୍ବେ ସଂସ୍କୃତ ଭାଷାରେ ସ୍ୱୀକୃତ ହୋଇଥିଲା (ଯଥା -ପଟ୍ଟ, କପି, କାଳ, ଫଳ, ରାତ୍ରି, ବିଲ, ବୀଜ, ତଣ୍ତୁଳ, ପୁଷ୍ପ, ଶବ ପ୍ରଭୃତି) ସେଗୁଡ଼ିକ ବାସ୍ତବରେ ବୈଦେଶିକ ବୋଲି ଭାଷାରେ ସ୍ୱୀକୃତ ହେବା ଉଚିତ । (୩) ସୁଡ଼ଙ୍ଗ, ବଣିକ, ପୁସ୍ତକ ପ୍ରଭୃତି ନାନା ସଂସ୍କୃତ ଶବ୍ଦ ଅନ୍ୟ ଭାଷାରୁ ଗୃହୀତ
ପୃଷ୍ଠା:Sarala Bhashatattwa.pdf/48
Appearance