ପୃଷ୍ଠା:Sarala Bhashatattwa.pdf/47

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅନୁଶୀଳନ କଲେ ଆମ୍ଭେମାନେ କେତେକ କ୍ଷେତ୍ରରେ ଏହି ମୂଳ ଧ୍ୱନ୍ୟନୁକରଣ ସହିତ ପରିଚିତ ହୋଇ ପାରୁଁ ଓ ଭାଷାର କ୍ରମବିକାଶ ମଧ୍ୟ ସହଜରେ ଉପଲବ୍ଧି କରି ପାରୁଁ । ଏକ ମୂଳ ଧ୍ୱନ୍ୟନୁକରଣରୁ କିପରିଭାବରେ ନାନା ଭାଷାରେ ନାନା ଶବ୍ଦର ଉଦ୍ଭବ ହୋଇଅଛି, ତାହାର ଗୋଟିଏ ଉଦାହରଣ ଏଠାରେ ଦିଆଯାଇ ପାରେ । କୌଣସି ପକ୍ଷୀ ହଠାତ୍ ଉଡ଼ିବା ସମୟରେ 'ପତ୍' 'ପତ୍' ଧ୍ୱନି ଜାତ ହୋଇଥାଏ ଓ ଏହି ଧ୍ୱନିରୁ ଏକ ଦିଗରେ ପର, ପତ୍ର, ପତାକା, ପତଙ୍ଗ, ପତନ ପ୍ରଭୃତି ଶବ୍ଦ, ଅନ୍ୟ ଦିଗରେ pennant, feather, symptom, impetus, appetite, pen, compete ପ୍ରଭୃତି ନାନା ଇଂରାଜୀ ଶବ୍ଦ ମଧ୍ୟ ଜାତ ହୋଇଅଛି । ଏହି ସବୁ ଶବ୍ଦ ମଧ୍ୟରେ ବର୍ତ୍ତମାନ କୌଣସି ସମ୍ପର୍କ ଥିବାର ଜଣା ଯାଉ ନ ଥିଲେହେଁ ଏକ ସମୟରେ ବହୁ ପ୍ରାଚୀନ କାଳରେ ଗୋଟିଏ ଧ୍ୱନିର ଅନୁକରଣରୁ ଉତ୍ପନ୍ନ ମୂଳ ଶବ୍ଦରୁ ଯେ ଏମାନେ ଜାତ ହୋଇଅଛନ୍ତି, ସେଥିରେ ସନ୍ଦେହ ନାହିଁ ।

ପ୍ରତ୍ୟେକ ଭାଷାରେ ଧ୍ୱନ୍ୟନୁକରଣ ଶବ୍ଦ ବ୍ୟବହାରରେ ନାନାପ୍ରକାର ରୀତି ଦେଖାଯାଏ । ଓଡ଼ିଆରେ ଝକ୍ ଓ ଚକ୍, ଫୁଟ ଓ ଫାଟ, ଧଡ଼ ଓ ଧଡ଼ାସ୍ ପ୍ରଭୃତି ଶବ୍ଦମାନଙ୍କର ବ୍ୟବହାରଗତ ପାର୍ଥକ୍ୟ ଭାଷାକୁ ସମୃଦ୍ଧ କରୁଅଛି ଓ ଭାବର ଯଥାଯଥ ପ୍ରକାଶରେ ସାହାଯ୍ୟ ମଧ୍ୟ କରୁଅଛି । ଏହିପରି ରୀତି ଅନ୍ୟ ଭାଷାମାନଙ୍କରେ ମଧ୍ୟ ଦେଖାଯାଏ । ମାତ୍ର ଶବ୍ଦର ରୀତିଗତ ବ୍ୟବହାରର ଆଲୋଚନା ବ୍ୟାକରଣର ଅନ୍ତର୍ଗତ, ଭାଷାତତ୍ତ୍ୱରେ ଏପରି ଆଲୋଚନା କରିବା କଠିନ ।

ବୈଦେଶିକ ଓ ଦେଶଜ ଶବ୍ଦ - ଭାଷାରେ ବ୍ୟହହୃତ ଶବ୍ଦମାନଙ୍କୁ ସାଧାରଣତଃ ବୈଦେଶିକ ଓ ଦେଶଜ ଏହି ଦୁଇ ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇଥାଏ । ଓଡ଼ିଆରେ ଚଷମା, ଆଲମାରି, ଟେବୁଲ, ସୁଲତାନ, ଫଏସଲ, ପରାତ, ତୁରୁପ ପ୍ରଭୃତି ବିଦେଶୀ ଶବ୍ଦ ବୋଲି ଚିହ୍ନିତ ହୋଇଥାନ୍ତି, ଅର୍ଥାତ୍ ସଂସ୍କୃତରୁ ବିକୃତ ଓ ଅବିକୃତ ରୂପରେ ଯେଉଁ ଶବ୍ଦଗୁଡ଼ିକ ଗୃହୀତ ହୋଇଥାଏ, ସେଗୁଡ଼ିକ ଆମ୍ଭେମାନେ ଦେଶୀ ଶବ୍ଦ ଓ ଇଂରାଜୀ, ଆରବୀ, ଫାରସୀ ତେଲଗୁ, ତାମିଲ ପ୍ରଭୃତି ଅନ୍ୟାନ୍ୟ ଭାଷାରୁ ଯେଉଁ ଶବ୍ଦମାନ ଗୃହୀତ ହୋଇଅଛି, ସେଗୁଡ଼ିକୁ ବିଦେଶୀ ଶବ୍ଦ ବୋଲି ନିର୍ଦ୍ଦେଶିତ କରିଥାଉଁ । ସଂସ୍କୃତ ଶବ୍ଦର ପ୍ରୟୋଗ ସାଧୁ ଓ ବିଦେଶୀ ଶବ୍ଦର ପ୍ରୟୋଗ ଅସାଧୁ ବୋଲି ପଣ୍ତିତମାନଙ୍କର ମତ । କିନ୍ତୁ ଭାଷାତତ୍ତ୍ୱ ଅନୁସାରେ ଏପରି ଶ୍ରେଣୀବିଭାଗ ଭ୍ରମାତ୍ମକ । ଭାଷାରେ ବ୍ୟବହୃତ ଓ ସ୍ୱୀକୃତ ପ୍ରତ୍ୟେକ ଶବ୍ଦ ତାହାର ନିଜସ୍ୱ ଅର୍ଥାତ୍ ଇଂରାଜୀ, ଆରବୀ, ଫାରସୀ ପ୍ରଭୃତି ଭାଷାରୁ ଯେଉଁ ଶବ୍ଦମାନ ଓଡ଼ିଆରେ ଅବାଧରେ ପ୍ରଚଳିତ, ସେମାନେ ସମସ୍ତେ ଓଡ଼ିଆ ଶବ୍ଦ ଓ ଏ ଦିଗରୁ