ପୃଷ୍ଠା:Sarala Bhashatattwa.pdf/46

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନୁକରଣରେ ସେହି ଶବ୍ଦମାନ ସୃଷ୍ଟ ହୋଇ ଥାଇ ପାରନ୍ତି । ଭାଷାତତ୍ତ୍ୱ ବିଚାର କରିବା ସମୟରେ ଏସବୁର ତନ୍ନ ତନ୍ନ ବିଚାର କରିବା ପ୍ରୟୋଜନ ହୁଏ ।

ପୂର୍ବେ ବୋଲାଯାଇଅଛି ଯେ ଶବ୍ଦମାନଙ୍କର ରୂପଗତ, ଅର୍ଥଗତ ଓ ବ୍ୟବହାରଗତ ବୈଶିଷ୍ଟ୍ୟ ଅଛି । ଏହି ବୈଶିଷ୍ଟ୍ୟକୁ ଅନୁଶୀଳନ କଲେ ଆମ୍ଭେମାନେ ଶବ୍ଦର ପ୍ରକୃତ ପରିଚୟ ପାଇଥାଉଁ । ଏଣୁ ଶବ୍ଦର ପରିଚୟ ପାଇବାକୁ ହେଲେ ଶବ୍ଦର ଉତ୍ପତ୍ତି ନିରୂପଣ କରି ତାହାର ରୂପଗତ, ଅର୍ଥଗତ ଓ ବ୍ୟବହାରଗତ ବିକୃତିର ପୂର୍ଣ୍ଣ ଓ ଯଥାକ୍ରମ ବିବରଣ ଦେଇ ତାହାର ଆତ୍ମୀୟ ଓ ଜ୍ଞାତିମାନଙ୍କର ପରିଚୟ ଦେବାକୁ ହୁଏ । ଶବ୍ଦର କ୍ରମ ବିକାଶର ବିଚାରକୁ ଭାଷାତତ୍ତ୍ୱ ଦିଗରୁ ଶବ୍ଦର ଆଲୋଚନା କୁହାଯାଏ ।

ଧ୍ୱନ୍ୟନୁକରଣ ଓ ସାଙ୍କେତିକ ଶବ୍ଦ - ମୂଳତଃ ପ୍ରାୟ ପ୍ରତ୍ୟେକ ଶବ୍ଦର ଧାତୁ ଧ୍ୱନ୍ୟନୁକରଣ ବୋଲି ସ୍ୱୀକାର କରାଗଲେହେଁ ବର୍ତ୍ତମାନ ଭାଷାରେ ବ୍ୟବହୃତ ଶବ୍ଦମାନାଙ୍କର ଅଧିକାଂଶ କେବଳ ସାଙ୍କେତିକ ଅର୍ଥାତ୍ ଏମାନଙ୍କର ଅର୍ଥ ସହିତ ଧ୍ୱନିର କୌଣସି ସମ୍ପର୍କ ନାହିଁ । ଯଦି ଭାଷାର ଶବ୍ଦମାନ କେବଳ ଧ୍ୱନ୍ୟନୁକରଣରେ ସୀମାବଦ୍ଧ ଥାଆନ୍ତା, ତେବେ ଭାବବାଚକ ଶବ୍ଦ, ଗୁଣବାଚକ ଶବ୍ଦ, ସମ୍ବନ୍ଧଜ୍ଞାପକ ଶବ୍ଦ ପ୍ରଭୃତି ନାନା ପ୍ରକାର ଶବ୍ଦ ଭାଷାରେ ଆଦୌ ପ୍ରଚଳିତ ହୋଇ ପାରି ନ ଥାନ୍ତା ଓ ଆମ୍ଭେମାନେ କେବଳ କେତେକ ସୀମାବଦ୍ଧ ଭାବ ଭିନ୍ନ ଅନ୍ୟ ଭାବମାନଙ୍କୁ ପ୍ରକାଶ କରିବାକୁ କ୍ଷମ ହୁଅନ୍ତୁ ନାହିଁ । ପ୍ରାଣୀମାନଙ୍କର ଉଚ୍ଚାରିତ ଧ୍ୱନିଦ୍ୱାରା ସେମାନଙ୍କର ନାମକରଣ ହୋଇ ପାରେ କିମ୍ବା କେତେକ ବିଶେଷ ଗତିଶୀଳ ବସ୍ତୁମାନଙ୍କର ଧ୍ୱନିଦ୍ୱାରା ସେମାନଙ୍କୁ ନିର୍ଦ୍ଦେଶିତ କରାଯାଇପାରେ; କିନ୍ତୁ ସାଧାରଣ ବ୍ୟବହୃତ ନାନା ପଦାର୍ଥର ନାମକରଣ କରିବା ଅସମ୍ଭବ ହୁଅନ୍ତା । ବାସ୍ତବିକ ପୃଥିବୀର ପ୍ରାୟ ପ୍ରତ୍ୟେକ ଭାଷାରେ ବହୁପ୍ରକାର ଧ୍ୱନ୍ୟନୁକରଣ ଶବ୍ଦ ଥିଲେହେଁ ଭାଷା ମଧ୍ୟରେ ସାଙ୍କେତିକ ଶବ୍ଦମାନଙ୍କର ବ୍ୟବହାର ଅତ୍ୟଧିକ । ସୁନା, ଘର, ଚୌକି, ପିଲା, ପାଣି, ନଈ ପ୍ରଭୃତି ସାଙ୍କେତିକ ଶବ୍ଦ, ଅନ୍ୟ ଦିଗରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହମ୍ବା, କାଉ, ତିତ୍ତିର ପ୍ରଭୃତି ଶବ୍ଦ ଧ୍ୱନ୍ୟନୁକରଣ; ପୁଣି ଘର୍ଷଣ, କୁର୍ତ୍ତା, ଘର୍ମ, ଗରମ, ପତ୍ର, ଧୂଳି ପ୍ରଭୃତି ଶବ୍ଦ ବର୍ତ୍ତମାନ ସାଙ୍କେତିକ ବୋଲି ମନେ ହେଲେହେଁ ବାସ୍ତବରେ ଏଗୁଡିକ ମୂଳତଃ ଧ୍ୱନ୍ୟନୁକରଣରୁ ଜାତ ହୋଇଥିଲେହେଁ କ୍ରମଶଃ ସେମାନଙ୍କ ଅନୂକରଣରେ ବିଭିନ୍ନ ଶବ୍ଦ ଗଠିତ ହୋଇଅଛି ଓ ପ୍ରାଚୀନ ଆର୍ଯ୍ୟଭାଷା ଏହିସବୁ କୃତ୍ରିମ ଶବ୍ଦ ଦ୍ୱାରା ପୁଷ୍ଟ ଓ ସମୃଦ୍ଧ ହୋଇଅଛି । ବର୍ତ୍ତମାନ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର