ପୃଷ୍ଠା:Sarala Bhashatattwa.pdf/5

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କ୍ରମଶଃ ନିଜର ବୁଦ୍ଧିବୃତ୍ତି ପରିଚାଳନ ଦ୍ୱାରା ମନୁଷ୍ୟମାନେ ଭାଷାର ସୃଷ୍ଟି କଲେ ଏବଂ ମାନସିକ ଆବେଗମାନଙ୍କୁ ସୁନ୍ଦର ଭାବରେ ପ୍ରକାଶ କରିବାକୁ କ୍ଷମ ହେଲେ । ତାହାପରେ ନିଜ ନିଜର ଚିନ୍ତାମାନଙ୍କୁ ଲିପିବଦ୍ଧ କରିବାର ଚେଷ୍ଟା ହେଲା । କ୍ରମଶଃ ସେମାନେ ଦୂରସ୍ଥିତ ବ୍ୟକ୍ତିମାନଙ୍କ ନିକଟକୁ ସମ୍ବାଦ ପ୍ରେରଣ କରିପାରିଲେ ଓ ନାନା ରୂପରେ ଧ୍ୱନି, ଲିପି ଓ ଅର୍ଥର ସାମଞ୍ଜସ୍ୟ ବିଧାନ କରି ସଙ୍ଘବଦ୍ଧ ଭାବରେ ଉନ୍ନତି ମାର୍ଗରେ ଗତି କରିବାର କ୍ଷମତା ଅର୍ଜନ କଲେ । ଭାଷାର ସୃଷ୍ଟି କରିବାପାଇଁ ସେମାନଙ୍କୁ ନାନପ୍ରକାର ବାଧା ବିଘ୍ନ ଅତିକ୍ରମ କରିବାକୁ ହୋଇଅଛି, ନାନା କୌଶଳ ଅବଲମ୍ବନ କରିବାକୁ ପଡ଼ିଅଛି, ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଅଛି । ଏହିପରି ଅନେକ ଯୁଗର ସାଧନାରେ, ସହସ୍ର ସହସ୍ର ବର୍ଷବ୍ୟାପୀ ପ୍ରଚେଷ୍ଟାର ଫଳସ୍ୱରୂପ ବର୍ତ୍ତମାନ ଜଗତରେ ନାନା ଭାଷା ପ୍ରଚଳିତ ହୋଇଅଛି । ବର୍ତ୍ତମାନ ଯାହା ଅତି ସ୍ୱାଭାବିକ ମନେ ହେଉଅଛି ଯାହା ଆୟତ୍ତ କରିବାକୁ ମାନବ ଶିଶୁକୁ ବର୍ଷେ ଦୁଇ ବର୍ଷ ଲାଗୁଅଛି, ଯାହାର ବ୍ୟବହାର ଆଜି ଅତି ସାଧାରଣ ବୋଲି ମନେ ହେଉଅଛି ତାହାର ଉଦ୍ଭାବନା ଓ ବିକାଶର ଇତିହାସ ଅତ୍ୟନ୍ତ ବିଚିତ୍ର ଓ ଏହି ବିଚିତ୍ର ଇତିହାସର କିୟଦଂଶ ହୃଦୟଙ୍ଗମ କରିବାହିଁ ଭାଷାତତ୍ତ୍ୱ ଆଲୋଚନାର ଉଦ୍ଦେଶ୍ୟ ।

ମନୁଷ୍ୟ ବହୁ ସହସ୍ର ବର୍ଷ ପୂର୍ବେ ପଶୁମାନଙ୍କ ପରି ଜୀବନ ଯାତ୍ରା ନିର୍ବାହ କରୁଥିଲା ଏବଂ ପଶୁମାନଙ୍କ ପରି କେବଳ ଅଙ୍ଗସଞ୍ଚାଳନ ଓ ବିଶେଷ ଧ୍ୱନିଦ୍ୱାରା ନିଜର ଆବେଗ ପ୍ରକାଶ କରିପାରୁଥିଲା । ବର୍ତ୍ତମାନ ମଧ୍ୟ ମନୁଷ୍ୟମାନେ ଦୁଃଖରେ କ୍ରନ୍ଦନ କରନ୍ତି, ଆନନ୍ଦରେ ହାସ୍ୟ କରନ୍ତି, କ୍ରୋଧରେ ଗର୍ଜନ କରନ୍ତି, କଷ୍ଟରେ ଗଁ ଗଁ କରନ୍ତି ଓ ନାନା ଆବେଗ ପ୍ରକାଶ କରିବା ନିମନ୍ତେ ନାନାପ୍ରକାର ଚିତ୍କାର କରନ୍ତି । ବର୍ତ୍ତମାନ ଭାଷାର ବ୍ୟବହାର ସୁପ୍ରଚଳିତ ହୋଇଥିଲେ ମଧ୍ୟ କ୍ଷୁଧା ବା କ୍ରୋଧର ଅନୁଭୂତି ବା ହର୍ଷ ଆଦି ଆବେଗ ପ୍ରକାଶ କରିବା ନିମନ୍ତେ ମନୁଷ୍ୟମାନେ ନାନା ପ୍ରକାରେ ଅଙ୍ଗସଞ୍ଚାଳନ କରିଥାନ୍ତି ଓ ପ୍ରଶ୍ନ ସୂଚାଇବା ନିମନ୍ତେ ଗଳାର ସ୍ୱରର ବିଶେଷ ପ୍ରକାରେ ବିକୃତି ସାଧନ କରିଥାନ୍ତି । ବର୍ତ୍ତମାନ ମଧ୍ୟ ଭାଷା ନାନା ପ୍ରକାର ସ୍ୱରର ବିକାର, ନାନା ପ୍ରକାର ଅଙ୍ଗସଞ୍ଚାଳନ, ନାନା ପ୍ରକାର ମାତ୍ରା ଚିହ୍ନ ଦ୍ୱାରା ପୁଷ୍ଟ ହେଉଅଛି । ଏ ସବୁର ବ୍ୟବହାର ଆଦିମ ଯୁଗରୁ ମଧ୍ୟ ଚାଲି ଆସୁଅଛି ।

ଭାଷାର ବ୍ୟବହାର ମନୁଷ୍ୟର ସହଜାତ ଅନୁକରଣ ପ୍ରବୃତ୍ତିର ପରିଣତି ମାତ୍ର । ମାନବଶିଶୁ ଯଦି ଅନୂକରଣ କରିବାକୁ ପ୍ରୟାସ ନ କରନ୍ତା ତେବେ ସେ କଦାପି ଭାଷାଶିକ୍ଷା କରିପାରନ୍ତା ନାହିଁ । ଆଦିମ ଯୁଗରେ ମନୂଷ୍ୟ ଯଦି