ପୃଷ୍ଠା:Sarala Bhashatattwa.pdf/53

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବେଦରେ 'ଶିଥିଳ'ଶବ୍ଦର ବ୍ୟବହାର (ଦାନାର୍ଥଂ ପ୍ରସାରିତଂ ଇତି ଶାୟନାଚାର୍ଯ୍ୟଃ) ଥିଲେହେଁ ଏହି ଶବ୍ଦଟିର ମୂଳ ଶବ୍ଦ 'ଶୃଥିଳ' ଓ ଏହି ଶବ୍ଦଟି ପୁଣି ମୂଳ 'ସୃ' ଧାତୁ ସହିତ ସମ୍ପୃକ୍ତ ବୋଲି ଅନେକଙ୍କର ମତ । ଏହିପରି ଆଳସ୍ୟଜନିତ ଶ୍ଳଥ ଉଚ୍ଚାରଣରୁ ଏକ ସମୟରେ 'ଜଗତ୍' ସ୍ଥାନରେ 'ଜଗ' ପ୍ରଚଳିତ ହୋଇଥିଲା । ଏହି କାରଣରୁ 'କୋକିଳ' ସ୍ଥାନରେ 'କୋଇଲି' ଓ ମାରିଲା ସ୍ଥାନରେ 'ମାଇଲା' ଓଡ଼ିଆ ଭାଷାରେ ବ୍ୟବହୃତ ହେଉଅଛି । ଷୋଳଣା, ପାଁଜଣ, ପସୁରି, ଭାଇନା, ଆଠଣା ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ଏହିପରି ଧ୍ୱନିର ଲୋପ ସାଧିତ ହୋଇଅଛି ।

ଏହି ଆଳସ୍ୟରୁ ଓ ଉଚ୍ଚାରଣ ପ୍ରୟାସକୁ ସୁକର କରିବା ନିମନ୍ତେ ଧ୍ୱନିମାନଙ୍କର ନାନାପ୍ରକାର ବିକୃତି ଘଟିଥାଏ । ଏଥିପୂର୍ବେ ଦେଖା ଯାଇଅଛି ଯେ, କ ଚ ଟ ତ ପ, ଖ ଛ ଠ ଥ ଫ ର ଉଚ୍ଚାରଣରେ ଅପେକ୍ଷାକୃତ ଅଧିକ ପ୍ରୟାସର ପ୍ରୟୋଜନ ହୁଏ । ଏଣୁ ଏହି ଧ୍ୱନିମାନଙ୍କୁ ଯଥାକ୍ରମେ ଗ ଜ ଡ଼ ଦ ବ ଓ ଘ ଝ ଢ଼ ଧ ଭ ରେ ପରିଣତ କରିବାର ରୀତି ଆଳସ୍ୟପ୍ରସୂତ । ଓଡିଆରେ 'ଶକଟ' ସ୍ଥାନରେ 'ଶଗଡ଼' ବ୍ୟବହୃତ ହୁଏ ଓ 'ଶାକ' ସ୍ଥାନରେ 'ଶାଗ', 'ପାକ' ସ୍ଥାନରେ 'ପାଗ', 'ଘଟ' ସ୍ଥାନରେ 'ଘଡ଼ି' ମଧ୍ୟ ପ୍ରଚଳିତ । ଏ ସ୍ଥାନରେ ଲକ୍ଷ୍ୟ କରିବାକୁ ହେବ ଯେ, ଏହି ପରିବର୍ତ୍ତନମାନଙ୍କର ଅଧିକାଂଶ ଓଡ଼ିଆ ଭାଷାର ଆରମ୍ଭ ପୂର୍ବରୁ ପ୍ରାକୃତ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା ଓ ଏହା ଭାଷାତତ୍ତ୍ୱର ଏକ ସାଧାରଣ ବିଧାନ । ଭାଷାରେ ଏହି ପରିବର୍ତ୍ତନରୁ ଓଡ଼ିଆ ଭାଷାରେ ଏକ ଅଦ୍ଭୂତ ରୀତି ପ୍ରଚଳିତ ହୋଇଅଛି । ଅନେକ ଗୁଡ଼ିଏ ଶବ୍ଦର ବିଶେଷ୍ୟ ପଦକୁ କ୍ରିୟାରୂପରେ ବ୍ୟବହାର କଲେ ସେମାନଙ୍କର ସାଧାରଣ ଓ ଣିଜନ୍ତ ଅର୍ଥର ପାର୍ଥକ୍ୟ ଏହାଦ୍ୱାରା ସୂଚିତ ହୋଇଥାଏ । ଫାଟରୁ ଫାଟିବା ଓ ଫାଡ଼ିବା; ଫୁଟରୁ ଫୁଟିବା, ଫୋଡିବା; ଲୁଟିରୁ ଲୁଟିବା, ଲୋଡ଼ିବା ପ୍ରଭୃତି ଭାଷାରେ ଭିନ୍ନାର୍ଥରେ ବ୍ୟବହୃତ; ମାତ୍ର ଏମାନଙ୍କର ଉତ୍ପତ୍ତି ଓ ବ୍ୟାକରଣଗତ ରୂପ ଏକ । ପ୍ରଥମରେ ଯାହା ଉଚ୍ଚାରଣର ସୁବିଧାରୁ ଜାତ ହୋଇଥିଲା, କ୍ରମଶଃ ତାହା ଭାଷାକୁ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ଅର୍ଥରେ ବ୍ୟବହୃତ ହେଲା ଓ ଏହି ପ୍ରକାରେ ଶବ୍ଦମାନଙ୍କୁ ଭିନ୍ନାର୍ଥରେ ନିୟୋଗ କରିବା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପରିଦୃଷ୍ଟ ହୋଇଥାଏ ।

ସମୟ ସମୟରେ ଏହାର ବିରୁଦ୍ଧ ପ୍ରକାର ବିକୃତି ମଧ୍ୟ ଭାଷାରେ ଦେଖାଯାଏ । ସଂସ୍କୃତ 'ବୀଜନ'(ବ୍ୟଜନ)ସ୍ଥାନରେ ଆମ୍ଭେମାନେ ଓଡ଼ିଆରେ 'ବିଚଣା' ବ୍ୟବହାର କରିଥାଉଁ ଓ 'ସ୍ଥଗିତ' ସ୍ଥାନରେ 'ଥକା' ମଧ୍ୟ ବ୍ୟବହୃତ ହୁଏ । ଏଗୁଡ଼ିକ ପୂର୍ବୋକ୍ତ ପ୍ରକ୍ରିୟାର ବିରୁଦ୍ଧ ହେଲେହେଁ ଅନ୍ୟ ଅନେକ ଭାଷାରେ