ପୃଷ୍ଠା:Sarala Bhashatattwa.pdf/62

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଶବ୍ଦ ଥିବା ମଧ୍ୟ ସମ୍ଭବ ଓ 'ଯେଉଁଥିରୁ ରସ କ୍ଷରିତ ହୁଏ' ଏହାହିଁ ଏହି ଶବ୍ଦର ମୂଳ ଅର୍ଥ ବୋଲି ଅନୁମାନ କରାଯାଏ ।

ଓଡ଼ିଆରେ କୌଣସି ଶବ୍ଦକୁ କେବଳ ତତ୍‌ସମ ବୋଲି ନିର୍ଦ୍ଦେଶିତ କରିବାରେ ମଧ୍ୟ ଯଥେଷ୍ଟ ବିପଦ ଅଛି, କାରଣ ସଂସ୍କୃତ ଶବ୍ଦଟି ବିକୃତ ହୋଇଥାଇ ପାରେ । ଓଡ଼ିଆ 'ଶୂଦ୍ର' ଶବ୍ଦ ଏଥିର ପ୍ରକୃଷ୍ଟ ଉଦାହରଣ । ଏହି ଶବ୍ଦଟି ବୈଦିକ ଭାଷାରେ ପ୍ରଚଳିତ ଓ ରୁକ୍ ବେଦରେ ବ୍ୟବହୃତ ହୋଇଥିବାରୁ ଏହାର ପ୍ରାଚୀନତ୍ୱ ବିଷୟରେ ମଧ୍ୟ ସନ୍ଦେହ ନାହିଁ । ମାତ୍ର ଶବ୍ଦର ଇତିହାସଟି ବିସ୍ମୃତ ହୋଇଥିବାରୁ ପ୍ରାଚୀନ ଯୁଗରେ ପଣ୍ତିତମାନଙ୍କୁ ଏହାର ଅର୍ଥ ନିର୍ଣ୍ଣୟ କରିବା ନିମନ୍ତେ ନାନା କଷ୍ଟକଳ୍ପନାର ଆଶ୍ରୟ ଗ୍ରହଣ କରିବାକୁ ହୋଇଅଛି । ବାଦରାୟଣ ବ୍ରହ୍ମସୂତ୍ରରେ ଏହି ଶବ୍ଦଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହି ଶବ୍ଦର ତିନିଗୋଟି ବ୍ୟାଖ୍ୟା ଦେଇଅଛନ୍ତି, ଯଥା- ଯେ ଶୋକ ପ୍ରତି ଦ୍ରୁତ ଧାବିତ ହୁଏ ବା ଶୋକ ଯାହା ପ୍ରତି ଦ୍ରୁତ ଧାବିତ ହୁଏ ଅଥବା ଶୋକରେ ଯେ ଦ୍ରୁତଧାବିତ ହୁଏ; ମାତ୍ର ଏହିପ୍ରକାର ତିନିଗୋଟି ବ୍ୟାଖ୍ୟା ଦେବାର ଅର୍ଥ ଯେ ଶବ୍ଦଟିର ଉତ୍ପତ୍ତି ଅଜ୍ଞାତ ତାହା କହିବା ବାହୁଲ୍ୟ । ଉଣାଦିସୂତ୍ରରେ ମଧ୍ୟ 'ଶୁର' ଧାତୁ ସହିତ 'ର' ପ୍ରତ୍ୟୟ ଯୋଗ କରାଯାଇ ଏହି ଶବ୍ଦଟିର ଉତ୍ପତ୍ତି ବ୍ୟାଖ୍ୟାତ ହୋଇଅଛି, ମାତ୍ର ଏହା ମଧ୍ୟ କଳ୍ପିତ; କାରଣ ବାସ୍ତବରେ 'ଶୋକ' ସହିତ ଏ ଶବ୍ଦଟିର କୌଣସି ମୌଳିକ ସମ୍ବନ୍ଧ ନାହିଁ । ପ୍ରକୃତରେ ଏହା ବୈଦିକ ଯୁଗରେ ପ୍ରଚଳିତ 'କ୍ଷୁଦ୍ର' ଶବ୍ଦର ଅପଭ୍ରଂଶ ଓ ପାଲିଗ୍ରନ୍ଥରେ 'କ୍ଷୁଦ୍ରାଚାର' ଅର୍ଥାତ୍ ନୀଚ ଆଚାର ଯୁକ୍ତ ବୋଲି କେତେକ ଲୋକଙ୍କୁ ଶୂଦ୍ର ବୋଲାଯାଏ ବୋଲି ଲିଖିତ ଅଛି । ମହାବ୍ୟୁତ୍ପତ୍ତି ଗ୍ରନ୍ଥରେ ମଧ୍ୟ ଶୂଦ୍ର ଓ କ୍ଷୁଦ୍ରକୁ ଏକତ୍ର ଏକ ଅର୍ଥରେ ବ୍ୟବହାର କରାଯାଇଅଛି । ଏଣୁ ସ୍ୱତଃ ସନ୍ଦେହ ହୋଇ ପାରେ ଯେ, କ୍ଷୂଦ୍ର ଶବ୍ଦର କାଳକ୍ରମେ ଅପଭ୍ରଂଶ ହୋଇ 'ଶୂଦ୍ର' ଶବ୍ଦ ନିଷ୍ପନ୍ନ ହୋଇଥିଲା ଓ ଉଭୟ ଶବ୍ଦ ବୈଦିକ ଯୁଗରେ ପ୍ରଚଳିତ ହୋଇଥିଲା । 'ବିକଟ' ଶବ୍ଦ ଏହିପରି ବୈଦିକ ଯୁଗର ଅପଭ୍ରଂଶର ଆଉ ଗୋଟିଏ ଉଦାହରଣ । କାରଣ 'ବିକୃତ' ଓ 'ବିକଟ' ଏକ ଶବ୍ଦ ଏବଂ ଉଭୟ ଶବ୍ଦ ବୈଦିକ ଭାଷାରେ ବ୍ୟବହୃତ ।

ଶବ୍ଦର ଇତିହାସ ବାସ୍ତବରେ ଅତି ବିଚିତ୍ର । ଓଡ଼ିଆରେ 'ହିଂସା' ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦଟି ଯେ ସଂସ୍କୃତ 'ହିଂସ୍' ଧାତୁରୁ ଉତ୍ପନ୍ନ, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏହି 'ହିଂସ୍' ଶବ୍ଦ ମୂଳତଃ ପ୍ରାଚୀନ ଆର୍ଯ୍ୟ 'ଘସ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହି 'ଘସ୍'ର ମୂଳ ଅର୍ଥ 'ଆଘାତ କରିବା'; ଏହି 'ଘସ୍' ଶବ୍ଦରୁ ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀ hostel ପ୍ରଭୃତି ଶବ୍ଦ ଓ