ସଂସ୍କୃତରେ 'ଜମ୍ବୂକ' ସ୍ଥାନରେ ଓଡ଼ିଆରେ 'ଜାମୁ', 'ନିମ୍ବକ' ସ୍ଥାନରେ 'ନିମ' ପ୍ରଭୃତି ଶବ୍ଦ ଉଦ୍ଭୂତ ହୋଇଅଛି । ହିନ୍ଦୀ, ବଙ୍ଗଳା ପ୍ରଭୃତି ସବୁ ପ୍ରାଦେଶିକ ଭାଷାରେ 'ବ' ଲୁପ୍ତ ହୋଇଥିବାରୁ ଏ ସମସ୍ତ ପଦ ଭିନ୍ନ ଭିନ୍ନ ଭାବରେ ଏକ ମୂଳ ପ୍ରାକୃତ ଶବ୍ଦରୁ ଉତ୍ପନ୍ନ ବୋଲି ମନେ କରାଯାଇପାରେ । ସାଧାରଣତଃ ଲୋକେ ମନେ କରନ୍ତି ଯେ, ଓଡ଼ିଆ 'ଲେମ୍ବୁ' ଶବ୍ଦ ଇଂରାଜୀ lemon ଶବ୍ଦରୁ ଉତ୍ପନ୍ନ ଅର୍ଥାତ୍ ଆମ୍ବ, ତମ୍ବା ପ୍ରଭୃତି ଶବ୍ଦରେ ଯେପରି 'ମ' ସହିତ 'ବ' ସମ୍ପୃକ୍ତ, ସେହି କାରଣରୁ lemon ଲେମ୍ବୁରେ ରୂପାନ୍ତରିତ ହୋଇଅଛି । ମାତ୍ର ଶବ୍ଦଟିର ଇତିହାସ ତାହା ନୁହେଁ । 'ଲେମ୍ବୁ' ଶବ୍ଦର ବାସ୍ତବିକ ମୂଳ ଶବ୍ଦ ସଂସ୍କୃତ 'ନିମ୍ବୁକ', ଏହି ନିମ୍ବୁକ ଶବ୍ଦରୁ ଆରବ ଦେଶୀୟ 'ଲାଇମୁନ' ଶବ୍ଦ ଉତ୍ପନ୍ନ ହୋଇ ତୁର୍କି ଭାଷାରେ 'ଲିମୁନ' ରୂପରେ ପ୍ରଚଳିତ ହୋଇଥିଲା । ଆରବ ଭାଷାରୁ ପାରସିକ 'ଲିମୁନ' ବା 'ଲିମୁନା' ଶବ୍ଦ ପ୍ରଚଳିତ ହୋଇ ତହିଁରୁ ଏକ ଦିଗରେ ଫ୍ରେଞ୍ଚ୍ limon, ପୁରାତନ ଇଂରାଜୀ limon ଓ ଆଧୁନିକ ଇଂରାଜୀ lemon ଉଦ୍ଭୂତ ହୋଇଅଛି; ଅନ୍ୟ ଦିଗରେ ହିନ୍ଦୁସ୍ଥାନୀରେ 'ଲେମୁଁ' ଶବ୍ଦ ପ୍ରଚଳିତ ହୋଇଅଛି । ଏହି 'ଲେମୁଁ' ଶବ୍ଦରୁ ବଙ୍ଗଳା 'ନେବୁ', ଓଡିଆ 'ଲେମ୍ବୁ' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି; ଅର୍ଥାତ୍ ସଂସ୍କୃତ 'ନିମ୍ବୁକ' ଶବ୍ଦଟି ପ୍ରାକୃତ ଭାଷାର ମଧ୍ୟ ଦେଇ ଓଡ଼ିଆକୁ ଆସି ନାହିଁ । ବାସ୍ତବରେ ସଂସ୍କୃତରୁ ଆରବ ଭାଷା, ତହିଁରୁ ପାରସିକ ଓ ପାରସିକରୁ ହିନ୍ଦୀ ଭାଷାର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ହେବ । ଓଡ଼ିଆରେ 'ଲେମ୍ବୁ' ଓ 'ନେମ୍ବୁ' ଉଭୟ ରୂପ ପ୍ରଚଳିତ ଓ ଏହି ପ୍ରଚଳନ 'ଳ' ଓ 'ନ' ମଧ୍ୟରେ ଧ୍ୱନିର ସାଧାରଣ ବିଶୃଙ୍ଖଳାର ଫଳ ମାତ୍ର ଏହା ସମ୍ଭବ ଯେ, 'ଲେମ୍ବୁ' ଶବ୍ଦଟି ବ୍ୟବହୃତ ହେବାର ପରବର୍ତ୍ତୀକାଳରେ ସଂସ୍କୃତ 'ନିମ୍ବୁକ' ଶବ୍ଦରୁ ପ୍ରତ୍ୟକ୍ଷ ଭାବରେ 'ନେମ୍ବୁ' ଶବ୍ଦ ମଧ୍ୟ ଉଦ୍ଭୂତ ହୋଇ ପାରିଥିବ ଏବଂ ଉଭୟ ଶବ୍ଦ ଓଡ଼ିଆରେ ପ୍ରଚଳିତ ହୋଇଥିବ । ପ୍ରାଚୀନ ଓଡ଼ିଆ ଗ୍ରନ୍ଥରେ ଏହି ଶବ୍ଦର ରୂପ କଅଣ, ସେ ବିଷୟରେ ସ୍ଥିରନିଶ୍ଚିତ ଧାରଣା ନ କଲେ ଆମ୍ଭେମାନେ ଏ ଶବ୍ଦଟିର ଇତିହାସ ବ୍ୟାଖ୍ୟା କରିବାକୁ ଅକ୍ଷମ । କିନ୍ତୁ ତାଚ୍ଛିଲ୍ୟ ଅର୍ଥରେ 'ଲେମ୍ବୁ' ପରିବର୍ତ୍ତରେ 'ନେମ୍ବୁ' ର ବ୍ୟବହାର ଅଧିକ ଥିବାରୁ 'ନେମ୍ବୁ' ଶବ୍ଦ ଯେ ପରବର୍ତ୍ତୀ, ଏହା ଅନୁମାନ କରାଯାଇ ପାରେ; ମାତ୍ର ଲ ଓ ନ ମଧ୍ୟରେ ବିଶୃଙ୍ଖଳ ବ୍ୟବ ହାର ଅନ୍ୟ ଅନେକ ଶବ୍ଦରେ ଦେଖାଯା ଉ ଥିବାରୁ ଏପରି ଅନୁମାନ ମଧ୍ୟ ଅନିଶ୍ଚିତ । ପୁଣି ଏହି ସଂସ୍କୃତ 'ନିମ୍ବୁକ' ଶବ୍ଦ ମଧ୍ୟ ବାସ୍ତବରେ ମୂଳ ଶବ୍ଦ ନୁହେଁ । କାରଣ ଏହି ଶବ୍ଦଟି ପୁରାତନ ସଂସ୍କୃତ 'ନିସ୍ବୂ' ଶବ୍ଦରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ । ଏହି 'ନିସ୍ବୂ' ଶବ୍ଦର ମୂଳରେ 'ନିଷ୍'
ପୃଷ୍ଠା:Sarala Bhashatattwa.pdf/61
Appearance