ପୃଷ୍ଠା:Sarala Bhashatattwa.pdf/8

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସରଳ ଭାଷାତତ୍ତ୍ୱ

ଓ ଅନ୍ୟାନ୍ୟ ଭାଷା ସହିତ ତାହାର ତୁଳନାମୂଳକ ଆଲୋଚନା କରିବାଦ୍ୱାରା ଆମ୍ଭେମାନେ ଭାଷାତତ୍ତ୍ୱର ସାଧାରଣ ନିୟମମାନଙ୍କ ବିଷୟରେ ସୁସ୍ପଷ୍ଟ ଜ୍ଞାନଲାଭ କରିପାରୁଁ । ଆମ୍ଭେମାନେ ଏ ଦେଶରେ ଯେଉଁ ଭାଷା ବ୍ୟବହାର କରୁଁ ତାହାର ନାମ ଓଡ଼ିଆଭାଷା । ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ତାହା ପ୍ରାୟ ଏକକୋଟି ଲୋକଙ୍କ ଦ୍ୱାରା କଥିତ । ଏହି ଭାଷାର ମୂଳଭିତ୍ତି କେତେକଗୁଡ଼ିଏ ଶବ୍ଦ । ଏହି ଶବ୍ଦମାନଙ୍କର ଉଚ୍ଚାରିତଧ୍ୱନି ଅଛି, ଲିଖିତରୂପ ଅଛି, ଅର୍ଥଦ୍ୟୋତନାଶକ୍ତି ଅଛି ଏବଂ ଏହି ଶବ୍ଦମାନଙ୍କର ଗଠନ ଓ ପରସ୍ପର ନିୟନ୍ତ୍ରଣ ନିମନ୍ତେ କେତେକ ରୀତି ପ୍ରଚଳିତ ଅଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶବ୍ଦମାନଙ୍କର ରୂପଗତ ଓ ଅର୍ଥଗତ ବା ବ୍ୟବହାରଗତ କେତେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଓଡ଼ିଶା ଯେଉଁସବୁ ପ୍ରଦେଶ ସହିତ ବା ଜାତି ସହିତ ବାଣିଜ୍ୟଗତ, ରାଜନୀତିଗତ ବା ଅବସ୍ଥାନର ନୈକଟ୍ୟଜନିତ ସମ୍ପର୍କରେ ଆସିଅଛି ସେମାନଙ୍କର ନାନା ପ୍ରଭାବ ମଧ୍ୟ ଏହି ଶବ୍ଦମାନଙ୍କ ଉପରେ ଲକ୍ଷିତ ହୁଏ । ଶବ୍ଦମାନଙ୍କର ରୂପ, ଅର୍ଥ ବା ଉଚ୍ଚାରଣର ପାର୍ଥକ୍ୟ ଅନୁଶୀଳନ କରି, ଓଡ଼ିଆଭାଷା ଉପରେ ଅନ୍ୟାନ୍ୟ ଭାଷାର ପ୍ରଭାବ ଆଲୋଚନା କରି ଓଡ଼ିଆ ଭାଷାର କ୍ରମ ବିକାଶ ଓ ବ୍ୟବହାରର କ୍ରମ ନିର୍ଦ୍ଦେଶ କରିବାହିଁ ଓଡ଼ିଆ ଭାଷାତତ୍ତ୍ୱ ବୋଲି ପରିଗଣିତ ହୋଇପାରେ ।

ପ୍ରତ୍ୟେକ ଭାଷାର ମୂଳରେ ଅଛି କେତେକ ଶବ୍ଦ ଓ ଏହି ଶବ୍ଦମାନ କେତେକଗୁଡିଏ ଧ୍ୱନି ବା ରୂପସମଷ୍ଟି ଭିନ୍ନ ଆଉ କିଛି ନୁହେଁ । 'ରାମ' ଏହା ଗୋଟିଏ ଶବ୍ଦ, ଏହାକୁ ବିଶ୍ଳେଷଣ କଲେ ଆମ୍ଭେମାନେ ଦୁଇ ବା ତତୋଽଧିକ ଧ୍ୱନି ଓ ରୂପର ସମାବେଶ ପାଇପାରୁଁ ଓ ଏହି ସମାବେଶ ଫଳରେ ଗୋଟିଏ ସୁସ୍ପଷ୍ଟ ଅର୍ଥ ସୂଚିତ ହୋଇଥାଏ । ଆମ୍ଭେମାନେ ଯଦି ଧ୍ୱନିଗତ ବା ରୂପଗତ ବିନ୍ୟାସର ଈଷତ୍ ପାର୍ଥକ୍ୟ ସାଧନ କରୁଁ ଅର୍ଥାତ୍ 'ରାମ' ଶବ୍ଦକୁ ମରା, ରମା, ମାରରେ ପରିବର୍ତ୍ତିତ କରୁଁ ତେବେ ଅର୍ଥ ମଧ୍ୟ ପରିବର୍ତ୍ତିତ ହୋଇଯିବ । ଏଣୁ ଶବ୍ଦରେ ଯେ କେବଳ ଧ୍ୱନି ଓ ରୂପଗତ ସମାବେଶ ଅଛି ତାହା ନୁହେଁ, ସେମାନଙ୍କର ବିନ୍ୟାସ ମଧ୍ୟ ଅଛି । ଯେଉଁ ଧ୍ୱନିଗତ ଓ ରୂପଗତ ସମାବେଶ ଓ ବିନ୍ୟାସଦ୍ୱାରା ନିର୍ଦ୍ଦିଷ୍ଟ ଅର୍ଥ ସୂଚିତ ହୁଏ ତାହାହିଁ ଶବ୍ଦ ଓ ଏହି ଶବ୍ଦ ଭାଷାର ମୂଳବସ୍ତୁ । ପ୍ରତ୍ୟେକ ଭାଷା ନାନା ପ୍ରକାର ଶବ୍ଦ ଦ୍ୱାରା ଗଠିତ, ନାନା ପୃଥକ୍ ଶବ୍ଦ ଦ୍ୱାରା ଅଳଂକୃତ, ଏଣୁ ଭାଷାତତ୍ତ୍ୱ ଆଲୋଚନା କରିବାକୁ ହେଲେ, ପ୍ରଥମରେ ଆମ୍ଭମାନଙ୍କୁ ଶବ୍ଦର ବିଶ୍ଳେଷଣ ଓ ଆଲୋଚନା କରିବାକୁ ହୋଇଥାଏ । ମାତ୍ର ଭାଷାତତ୍ତ୍ୱ କେବଳ ଶବ୍ଦାଲୋଚନାରେ ପର୍ଯ୍ୟବସିତ ନୁହେଁ, କାରଣ ଶବ୍ଦମାନଙ୍କର ବ୍ୟବହାରବିଧି ଓ ବାକ୍ୟ ମଧ୍ୟରେ ବିନ୍ୟାସର ଆଲୋଚନା ମଧ୍ୟ ଭାଷାତତ୍ତ୍ୱର ଅନ୍ତର୍ଗତ ।