ପ୍ରଭୁ ଜନଙ୍କର ଉଚିତ ବେଭାର ଦୋଷ କଲେ ସହିବା ।
ଦାସୀପଣେ ମୋତେ ସଙ୍ଗତେ ନ ନେଲେ ଦୁଇଙ୍କି କରିଥାନ୍ତି ସେବା ।
ସଙ୍ଘାତ । ଦାରୁଣ ହୃଦୟ ହୋଇଲେ ।
ଚଖାଇ ଅମୃତ ହରିନେଲେ ଚିତ୍ତ ଦେହ ଦାବାନଳେ ଦହିଲେ ।
ଆଉ କି ଜୀଇବି ନିଚୟେ ମରିବି ହରିବି ମନର ବେଦନା ।
ୟେମନ୍ତ କହୁଁ କହୁଁ ଆସି ମିଳିଲେ ଅହିମାଣିକ୍ୟ ଶଶିସେଣା ।
ସୁମୁଖୀ । ଦେଖିଣ ଚକିତ ହୋଇଲା ।
ଲୁହାକୁ ଚୁମ୍ବକ ଦେଖିଣ ଯେସନ ଧାଇଁଣ ଚରଣ ଧଇଲା । ୫ ।
ବେଗ କରି ତୋଳି ଶଶିସେଣା ବାଳୀ କୋଳ କରିଣ ଲୁହ ପୋଛି ।
ନ କର ଶୋଚନ ଶୁଣ ଗୋ ବଚନ କିଛି ନ ବିଚାର ମୃଗାଛି ।
ସଜନି । ନାମ କହିବି ବୋଲି ମୋତେ ।
ନିଶାକାଳରେ ସଙ୍ଗତେ ଘେନି ଗଲେ ବିହଙ୍ଗମ ତୀର ଯୁଗତେ ।
ସ୍ନାହାନ କରିଣ ନାମ କହୁଁ କହୁଁ ଜଳଦେବତା ହରି ନେଲେ ।
କୁଳିଶ ଘାତ କି ହୋଇଲା ତୁରିତ ମୋହ ହୋଇଲି ମହୀତଳେ ।
ସଜନି । କେତେ ଦୁଖ ତୋତେ କହିବି ।
ଦୟା କରି ଋଷି ଉପଦେଶ ଦେଲେ ତହୁଁ ଭେଟିଲି ସାତ ଦେବୀ ।
ମୋତେ ସଙ୍ଗେ ଘେନି ସେ ଦେବ-ତରୁଣୀ ପାତାଳ ଭୁବନକୁ ଗଲେ ।
ମାୟା ଲଗାଇ ମୋହ ରଞ୍ଚି ତାହାଙ୍କୁ କୁମରକୁ ଘେନି ଅଇଲେ ।
ସଙ୍ଘାତ । ବରଷକେ ଭେଟ ପାଇଲି ।
ବିଳମ୍ବ ନ କରି ବାହାରେ ବାହାରେ ତୋର ସନ୍ନିଧ୍ୟକୁ ଅଇଲି ।୮।
ଶଶିସେଣା ବାଣୀ ଶୁଣି ସେ ତରୁଣୀ ଅପଣା ତାପ ଶାନ୍ତି କଲା ।
୭ ) ବିହଙ୍ଗମ ତୀର - ବିହଙ୍ଗମ ଗୋଟିଏ ନଈର ନାଁ, ତା’ରି କୂଳକୁ ।