Jump to content

ପୃଷ୍ଠା:Sashi Sena.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାଚୀନ ଉତ୍କଳର ବିଦ୍ୟାଳୟ ବା ପଲ୍ଲୀ ଚାଟଶାଳାମାନଙ୍କର ଶାସନ ପ‌ଦ୍ଧତି ଏପରି ସୁଶୃଙ୍ଖଳ ଥିଲା ଯେ ଗୋଟିଏ ଛାତ୍ର ଅନ୍ୟ ଛାତ୍ର ନିକଟକୁ ଯିବାକୁ ହେଲେ ଗୁରୁ ବା ଶିକ୍ଷକଙ୍କର ଆଦେଶ ବା ଅନୁମତି ଆବଶ୍ୟକ ହେଉଥିଲା । ତେଣୁ ଶଶିସେଣା ଖଡ଼ି ଅହିମାଣିକ୍ୟ ଆଡକୁ ଗଡ଼ି ଗଲେହେଁ ଏବଂ ଗୁରୁଙ୍କ ଅନୁପସ୍ଥିତିରେ ତାଙ୍କର ଅନୁମତି ଗ୍ରହଣ ଅସମ୍ଭବ ହେଲେହେଁ ସେ ସ୍ୱେଚ୍ଛାକ୍ରମେ ନିଜେ ଉଠି ଯାଇ ତାହା ଆଣି ନ ଥିଲା ।

ପ୍ରେମିକ ପ୍ରେମିକାଙ୍କ ପରିଣୟକ୍ରିୟା ସମ୍ପାଦକ ଛଳରେ ସେମାନଙ୍କ ଗୋପନ ପ୍ରଣୟକୁ ପ୍ରଶ୍ରୟ ଦେବା ଗୁରୁମହାଶୟଙ୍କ ପକ୍ଷରେ କେତେଦୂର ଯୁକ୍ତିସଙ୍ଗତ, ସେ ବିଷୟରେ ଏଠାରେ ପଦେ ଅଧେ କ‌ହିବା ଆବଶ୍ୟକ । ସାଧାରଣ ନୈତିକ ଦୃଷ୍ଟିରେ ଦେଖିଲେ ମନେ ହୁଏ ଯେ, ପିତାମାତାଙ୍କ ଅଜ୍ଞାତସାରରେ ନାୟକ ନାୟିକାଙ୍କ ଯୁବକନୋଚିତ ପ୍ରେମରେ ଗୁରୁଜନ-ସୁଲଭ ବାଧା ନ ଦେଇ ଗୁରୁମହାଶୟ ତାହାକୁ ଅନୁମୋଦନ କରିବାର କାରଣ କଣ ? ଏହାର ଉତ୍ତରରେ କୁହାଯାଇ ପାରେ ଯେ, ପ୍ରେମିକ ପ୍ରେମିକା ଉଭୟେ ଯେତେବେଳେ ପରସ୍ପର ପ୍ରତି ଆକୃଷ୍ଟ ଏବଂ ମିଳିତ ହେବା ନିମିତ୍ତ ଲାଳାୟିତ, ସେତେବେଳେ ସେ ଆକର୍ଷଣ ବା ସେ ଲାଳସାର ପଥରେ ପ୍ରତିବନ୍ଧକରୁପେ ଠିଆ ହେବା ହୃଦୟବତ୍ତାର ପରିଚାୟକ ନୁହେଁ । ଏ ସମ୍ପର୍କରେ ବିଶ୍ୱକବି କାଳିଦାସଙ୍କ ଉକ୍ତି - ପ୍ର‌ଯୁଜ୍ୟ “ଶଶିନା ସହ ଜାତି କୌମୁଦୀ ସହ ମେଘେନ ତଡ଼ିତ୍ ପ୍ରଲୀୟତେ ।” ଏହା ନିତ୍ୟ ପ୍ରତ୍ୟକ୍ଷୀଭୁତ ଚିରନ୍ତନ ସତ୍ୟ । ପ୍ରକୃତିର ବିରୁଦ୍ଧରେ ଆସି ଉତ୍ତୋଳନ କରିବା ବା ସାନ୍ତ ମାନବ ହୋଇ ଅନନ୍ତର ଅଧିକାର ବିରୁଦ୍ଧରେ ଅଭିଯୋଗ ଆଣିବା କଦାପି ବୁଦ୍ଧିମାନର କାର୍ଯ୍ୟ