ଆଉ ନିସ୍ତୁକ ପିଟନ୍ତୁ ।' ବାଘ କାହିଁକି ଆମ ଘରକୁ ଆଇଲା, ବାପା ତାଙ୍କୁ କ'ଣ କହୁଛନ୍ତି ଜାଣିବାପାଇଁ ମୁଁ ଲୁଚିଲୁଚି ଦାଣ୍ଡଘର କବାଟ ଉହାଡ଼ରେ ଛିଡ଼ା ହୋଇଛି । ବୈଷ୍ଣବ ଅବଧାନେ କହିଗଲେ, କାଲି ତାକୁ ମୋ ପାଖକୁ ପଠାଇଦେବ । ତା' ପରଦିନ ସକାଳେ ଗୋଟିଏ ଥାଳିରେ ଚାଉଳ, ମୁଗଜାଇ, କଦଳୀ, ସାରୁ, ଧୂଆଁପତ୍ର ଦି'ଖଣ୍ଡ, ପାନଗୁଆ, ଗୋଟାଏ ନଡ଼ିଆ ଆଉ ଦି' ଅଣା ପଇସା ସଞ୍ଚା ଧରି ଶାରୀ ଅପା ଆଗେ ଆଗେ ଚାଲିଲା ଆଉ ତା' ପଛରେ ମୁଁ ।
ଏଇ ପିଣ୍ଡାରେ ଆମର ବିଦ୍ୟାଶିକ୍ଷା ଚାଲିଲା । ସକାଳେ ଅଙ୍କ, ମାନସାଙ୍କ ଆଉ ଖଡ଼ିପାଠ- ଓପର ଓଳି ବହିପାଠ । ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ମୋର ଅଳ୍ପ ଦିନରେ ସରି ଆସିଲା । ଓପର ଓଳି କଣ୍ଠସ୍ୱର ଲମ୍ବାଇ ବୋଲିବାକୁ ପଡେ ଗୋଟିଏ ପଦ୍ୟ, 'ଦିନମଣି ଅସ୍ତଗଲେ ଦିନ ହେଲା ଶେଷ, ଆସଇ ରଜନୀ ରାଣୀ ପିନ୍ଧି କଳାବେଶ ।' ଏ ଗୀତ ବୋଲିବା ବେଳେ ମୁଁ ଚାହିଁ ଦେଖେ ଗୋଧୂଳିର ଶେଷ ଆଲୁଅ, ସାମ୍ନା ବାଉଁଶ ଝାଡ଼ ଉପରେ ଜାଳିଦେଇ ଗଲାଣି ଯେପରି ସଂଜର ଦୀପାଳି । ମୋ ଗୀତ ଥମିଯାଏ । ତାଆରି ଭିତରେ ମୁଁ କେଉଁଠି କେମିତି ହଜିଯାଏ, ଠିକ୍ ବୁଝିପାରେ ନାହିଁ । ପ୍ରକୃତରେ ମୁଁ ଦେଖିପାରେ ରଜନୀରାଣୀ ଯେପରି ଖଣ୍ଡେ କଳାଶାଢି ପିନ୍ଧି ଧୀର ମନ୍ଥର ପାଦରେ ତଳକୁ ଓହ୍ଲାଇ ଆସୁଛନ୍ତି । ଅବଧାନଙ୍କର ଗୋଟିଏ ବିଧା ବା ଚାପୁଡ଼ାରେ ମୋର ଆଚ୍ଛନ୍ନ ଭାବ କଟିଯାଏ । ତା'ପରେ ପୁଣି ସ୍ୱର ଲମ୍ବାଏ । ଏବେ ଦେଖୁଚି, ପିଲାଏ ସେ ପାଠ ଆଉ ପଢ଼ୁ ନାହାନ୍ତି । ଯାହା ସେମାନଙ୍କୁ ପଢ଼ାଯାଉଛି, ସେଥିରେ ନା ଭାଷା ଅଛି, ନା ଅଛି ଭାବ ନା ଅଛି ସାହିତ୍ୟ । ତେଣୁ ପ୍ରାଥମିକ ସ୍ତରରେ ପିଲାମାନଙ୍କର ମାନସିକ ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟ ଯେ ବିକଶିତ ହୋଇପାରୁ ନାହିଁ , ସେଥିରେ ମୁଁ ଆଦୌ ବିସ୍ମିତ ନୁହେଁ ।
ଦିନଗୁଡ଼ିକ ତ କଟିଯାଉିଲା ବେଶ୍, ଗେଣ୍ଡାଳିଆ ଚଢେଇ ଡେଣା ଝାଡ଼ି ଝାଡ଼ି ଉଡ଼ିଯିବା ପରି । ମୁଁ ଇତିମଧ୍ୟରେ ସମବୟସ୍କ ସାଇପିଲାମାନଙ୍କର ଗୋଟିଏ ନେତା ହୋଇ ସାରିିଥିଲି । ପାରା ଉଡ଼ାଇବାରେ ବାଉରୀ ସାଇର ପିଲାମାନେ ସୁଦ୍ଧା ମୋ ପାଖରେ ହାର ମାନନ୍ତି । ନରପାରା କିଏ ଆଉ ମାଧିପାରା କିଏ, ମୁଁ ଠିକ୍ ଚିହ୍ନି ପାରୁଥିଲି । ଦୁଆରେ ହଳଦୀପାଣି ଗୋଟିଏ କଂସାରେ ରଖି ପାରା ଖୁବ୍ ଉଚ୍ଚରେ ଉଡ଼ୁଥିବା ବେଳେ ତା' ଭିତରେ ମୁଁ ତାକୁ ଦେଖିପାରୁଥିଲି । ଗୁଲି ଖେଳରେ ମଧ୍ୟ ମୁଁ ହୋଇ ଉଠିିଥିଲି ଧୁରନ୍ଧର । ବଣି ଚଢେ଼ଇ ବସାରୁ ଧରିଆଣି ପୋଷା ମନେଇ ପାରୁଥିଲି । ଖରାବେଳେ ଖଞ୍ଜାରେ ଅପା ଖୁଡ଼ୀମାନେ ମୋତେ ସ୍ନେହରେ ଡକାଇ ଗୋପୀଭାଷା ନୋହିଲେ ସଂଗୀତ ଛେନାଗୁଡ଼ ନୋହିଲେ ଜେମାଦେଇ କାନ୍ଦ ମୋ ପାଖରୁ ଶୁଣୁଥିଲେ । ସେତେବେଳେ କରଣଘରେ
୫୪ ସେମାନଙ୍କ ପିଲାଦିନ