ପୃଷ୍ଠା:ShreeJagannath.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୭. ବେଣ୍ଟ ବା ଶିକାର
ବସନ୍ତ ପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ଶେଷ ହୋଇ ଚାଚେରୀ ବେଶ ହେଲା ପରେ ଓ ଫାଲଗୁନ ଶୁକ୍ଳପକ୍ଷ ପ୍ରତିପଦ, ଚତୁର୍ଥୀ, ଅଷ୍ଟମୀ ଓ ଦ୍ୱାଦଶୀ ତିଥିରେ ମଙ୍ଗଳ ଆଳତି ସରିବା ପରେ ଠାକୁର ବେଣ୍ଟ ବା ଶିକାରକୁ ବିଜେ କରିବା ନିୟମ ।
ଉକ୍ତ ଦିନମାନଙ୍କରେ ଦକ୍ଷିଣୀ ଘରୁ ଦୋଳଗୋବିନ୍ଦ ଠାକୁରଙ୍କୁ ମହାଜନ ନେଇ ସିଂହାସନରେ ବିଜେ କରାନ୍ତି । ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଲାଗି ହୋଇଥିବା ଗୋଟିଏ ଆଜ୍ଞାମାଳ ଦୋଳଗୋବିନ୍ଦଙ୍କୁ ଦିଅନ୍ତି । ତା'ପରେ ମହାଜନ ତାଙ୍କୁ ନେଇ ବଟଦ୍ବାର ପାଖରେ ରଖାଯାଇଥିବା ପାଲିରେ ବିଜେ କରାନ୍ତି । ଘଣ୍ଟ, ଛତା, କାହାଳୀ ସହ ବିମାନବଡୁମାନେ ପାଲିଙ୍କି ବୋହି ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି । ସେଠାରେ ଠାକୁରଙ୍କୁ ଶୀତଳ ଭୋଗ ହୁଏ । ଭୋଗ ପରେ ଭିତରଚ୍ଛ ମହାପାତ୍ର ବନ୍ଦାପନା, ଆଳତି କରନ୍ତି । ତାପରେ ମହାଜନ ଠାକୁରଙ୍କୁ ମଠ ହତାରେ ଥିବା ବେଣ୍ଟ ପୋଖରୀ ନିକଟକୁ ନିଅନ୍ତି । ସେଠାରେ ଭିତରଚ୍ଛ ମହାପାତ୍ର କାଣ୍ଡ ହେଙ୍ଗୁଡ଼ି (ପାଞ୍ଚଟି ଲୁହାର ଶର) ମହାପ୍ରଭୁଙ୍କ ପ୍ରତିନିଧି ସ୍ବରୂପ ଠାକୁରଙ୍କ ଶ୍ରୀହସ୍ତରେ ଛୁଆଁଇ ଲେଙ୍କ ସେବକଙ୍କୁ ଦିଅନ୍ତି । ସେଠାରେ ପାଞ୍ଚଟି ପଇଡ଼ ମୃଗଜ୍ଞାନରେ ରଖାଯାଇଥାଏ । ଲେଙ୍କ ଏହି ଶର ନେଇ ପଇଡ଼କୁ ଲାଖ କରେ । ଏହା ପରେ ଦୋଳ ଗୋବିନ୍ଦ ଠାକୁର ବିମାନବଡୁଙ୍କ ଦ୍ବାରା ପାଲିରେ ବାହୁଡ଼ା ବିଜେ ହୋଇ ଶ୍ରୀମନ୍ଦିରର ଦକ୍ଷିଣୀ ଘରକୁ ବିଜେ କରନ୍ତି ।
ନିମ୍ନଲିଖିତ ସେବକମାନେ ଏହି ନୀତି ସହ ସଂପୃକ୍ତ -
ମହାଜନ, ହୋମ ପାଳିଆ ପୂଜାପଣ୍ଡା, ଗରାବଡ଼ୁ, ବିମାନବନ୍ତୁ, ଘଣ୍ଟୁଆ, ଛତାର, କାହାଳିଆ, ଭିତରଚ୍ଛ ମହାପାତ୍ର ଓ ଲେଙ୍କ। ।
୮. ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟାପରାଗ ନୀତି
ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରେ ପାକ ତ୍ୟାଗ ସମୟଠାରୁ ଠାକୁରମାନଙ୍କର କୌଣସି ନୀତି ହୁଏ ନାହିଁ । ପାକତ୍ୟାଗ ପୂର୍ବରୁ ଠାକୁରମାନେ ତଡ଼ପ ଉତ୍ତରୀ ବଲାଗି ହୋଇ ବସନ୍ତି । ରୋଷଘର ଧୋପଖାଳ ହୋଇଥାଏ । ଗ୍ରହଣ ବା ପରାଗ ସ୍ପର୍ଶ ହେଲେ ପୂଜା ପଣ୍ଡା ମାନେ ଠାକୁରମାନଙ୍କର ଗ୍ରହଣ ମହାସ୍ନାନ କରାନ୍ତି । ରୋଷରେ ହୋମ ହୁଏ । ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହୁଏ । ଏହା ପରେ ପୃଷ୍ଠାଳକମାନେ ତିନି ବାଡ଼ରେ ଗ୍ରହଣବେଶ କରନ୍ତି । ଏହି ବେଶ, ଲୁଗା ଫୁଲ ଓ ତୁଳସୀଦ୍ବାରା ହୁଏ । ଏ ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହେ । ବେଶ ଶେଷ ପରେ ଭିତରେ ଟେରା ବନ୍ଧା ହୁଏ । ପାଳିଆ ପ୍ରତି ହାରୀ ଗ୍ରହଣ ଭୋଗ ଡାକି ଯାଏ । ପାଳିଆ ମହାସୁଆର ଭୋଗ ଛେକ ଆଣେ (ଖଇ, କୋ ରା ଆଦି ଶୀତଳ ଭୋଗ) । ଚାରିବାଡ଼ିରେ ପନ୍ତି ହୁଏ । ପୂଜା ପଣ୍ଡା ଭୋଗ କରନ୍ତି । ଗ୍ରହଣ ସମୟ ଦେଖି ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇଥାଏ ।

୧୧୦ ଶ୍ରୀଜଗନ୍ନାଥ