ପୃଷ୍ଠା:ShreeJagannath.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଚାଉଳ ଗଛରେ ବତି ବସାନ୍ତି । ପୂଜାପଣ୍ଡା ଉକ୍ତ ଚାଉଳ ଗଛ ଓ ଦୀପମାନଙ୍କୁ ସଂସ୍କାର କଲା ପରେ ସିଂହାସନ ଉପରକୁ ଉଠି ପତି ଓ ମୁଦିରସ୍ତଙ୍କ ସମେତ ବନ୍ଦାପନା କରନ୍ତି । ପରେ ମହାଦୀପ ତିନିଟି ବନ୍ଦାପନା ହୁଏ । ତିନିଜଣ ପୂଜାପଣ୍ଡା ମହାଦୀପ ତିନିଟି ହାତରେ ଧରି ଜୟ ବିଜୟ ଦ୍ବାରର ଭିତର ପାଖକୁ ଆସନ୍ତି । ଏଠାରେ ମଧ୍ୟ ଚାଉଳର ଗଛ ଆସ୍ଥାନ ପଢ଼ିଆରୀ କରିଥାନ୍ତି । ଏହି ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରନ୍ତି । ଏହା ପରେ ମହାଦୀପ କଳସଗୁଡ଼ିକ ଚୂନରାଙ୍କୁ ଦେବା ପରେ ଚୂନରା ତେଲ ଓ ଘିଅ ନେଇ ମନ୍ଦିର ଉପରେ ତିନି ଦେଉଳରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ର ଉଦିଆ ଜାଳି ହରିବୋଲ ଡାକନ୍ତି (ଏକାଦଶୀ ଦିନ ପରି) ।
ଅମାବାସ୍ୟା ଦିନ ଠିକ୍ ପୂର୍ବୋକ୍ତ ନୀତି ପାଳିତ ହୁଏ । କିନ୍ତୁ ପ୍ରତିପଦ ଦିନ ଚାଉଳ ଗଛ ହେବା ପରେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ପ୍ରସାଦ ଲାଗି, ଚାଉଳଗଛ ସଂସ୍କାର ପରେ ତିନିବାଡ଼ରେ ବନ୍ଦାପନା ହୁଏ ଏବଂ ତା’ ପରେ ମଦନମୋହନ ଲକ୍ଷ୍ମୀ ଓ ଭୂଦେବୀ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାର ଭିତର ପାଖେ ବିଜେ କରିଥିବା ବେଳେ ସେଠାରେ ଚାଉଳ ଗଛର ସଂସ୍କାର ହୁଏ । ତା'ପରେ ଜୟ-ବିଜୟ ଦ୍ବାର ଖୋଲାଯାଏ । ଏହି ତିନିଦିଅଁ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି । ରୁନ୍ଧା ପରେ ବିମାନବଡୁ ମାନେ ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ନିଅନ୍ତି । ଏଠାରେ କାଠର ଭଦ୍ରାସନ ଉପରେ ଚାଉଳର ଗଛ କରାଯାଇ ଦୀପ ବସାଯାଏ । ମୁଦିରସ୍ତଙ୍କ ଦ୍ବାରା ପ୍ରସାଦ ଲାଗି ଓ ପୂଜାପଣ୍ଡାଙ୍କ ଦ୍ବାରା ଗଛ ସଂସ୍କାର ପରେ, ମୁଦିରସ୍ତ ବନ୍ଦାପନା କରନ୍ତି । ଏହା ପରେ ଦିଅଁମାନେ ବଡ଼ ଦେଉଳକୁ ବାହୁଡ଼ା ବିଜେ କରନ୍ତି ।
ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ (ମାର୍ଗଶିର ଶୁକ୍ଳ ଷଷ୍ଠୀ)
ଶୁକ୍ଳ ପଞ୍ଚମୀ ରାତ୍ରିରେ ଚନ୍ଦନ ଲାଗି ନୀତି ପରେ ପତନି, ଘୋଡ଼ ଓ ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥାଏ । ଏଥିପାଇଁ ଭୋଗମଣ୍ଡପ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ । ତିନିଟି ମଣ୍ଡଳ ଉପରେ ଚାଙ୍ଗୁଡ଼ାରେ ଘୋଡ଼ମାନଙ୍କୁ ରଖାଯାଇ ଅଧିବାସ କର୍ମ କରାଯାଏ । ଏହା ପରେ ଦୁଆର ମୁଦ ହୋଇଥାଏ । ତା’ପରେ ଅନ୍ୟାନ୍ୟ ନୀତି ହୋଇ ପହୁଡ଼ ହୁଏ । ଏହି ଦିନ ଅଧିବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ ।
ଷଷ୍ଠୀ ଦିନ ସକାଳେ ଧୂପ ପରେ ମଇଲମ କରାଯାଏ । ଗତଦିନ ଭୋଗ ମଣ୍ଡପ ଘରେ ଅଧିବାସ ହୋଇଥିବା ଘୋଡ଼ମାନଙ୍କୁ ପଣ୍ଡା, ପତି, ମୁଦିରସ୍ତ ଓ ତିନି ଜଣ ପୁଷ୍ପାଳକ ଗରାବଡୁଠାରୁ ହାତୁଆଣି ନେଇ ଘଣ୍ଟ, ଛତା, କାହାଳୀ ସହି ତଳିଚ୍ଛ ପଟୁଆର ହୋଇ ବଡ଼ଦେଉଳକୁ ତିନି ଘେରା ବୁଲି ରତ୍ନ ସିଂହାସନ ନିକଟକୁ ବିଜେ କରାନ୍ତି । ସିଂହାସନରେ ଠାକୁରମାନଙ୍କ ଘୋଡ଼ଲାଗି ଓ ପାଟ ଲାଗି ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୁଏ । ଏହା ପରେ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ସରିଲେ ତିନିବାଡ଼ରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି ।

ଶ୍ରୀଜଗନ୍ନାଥ ୧୪୩