ପୃଷ୍ଠା:ShreeJagannath.pdf/୧୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଢ଼େ । ପାଣି ପଡ଼ି ମଧ୍ୟାହ୍ନ ଧୂପ ଛେକ ଆସିଲେ ମୁଦିରସ୍ତ ପ୍ରସାଦଲାଗି କରନ୍ତି । ଭୋଗ ସରିଲେ ତିନିବାଡ଼ରେ ବନ୍ଦାପନା ହୁଏ ।
ଗଜ ଉଦ୍ଧାରଣ ବେଶ (ମାଘ ପୂର୍ଣ୍ଣିମା)
ମଧ୍ୟାହ୍ନ ଧୂପ ପରେ ହୁଏ । “ବେଶ ଅଧ୍ୟାୟ ଦ୍ରଷ୍ଟବ୍ୟ ।
ଶିବରାତ୍ରି (ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ)
ଶ୍ରୀମନ୍ଦିରର ରତୃଭଣ୍ଡାରର ରକ୍ଷକ ଶ୍ରୀଲୋକନାଥ ଠାକୁର ଏହି ଦିନ ଶ୍ରୀଲୋକନାଥ ମନ୍ଦିରକୁ ବିଜେ କରନ୍ତି । ଉକ୍ତ ମନ୍ଦିରର ସେବକମାନେ ଆସି ବିମାନରେ ସେଠାକୁ ନିଅନ୍ତି । ସେଠାରେ ହରିହର ଭେଟ, ଭୋଗ, ବନ୍ଦାପନା ସରିବା ପରେ ବାହୁଡ଼ାବିଜେ କରନ୍ତି ।
ଦୋଳ ଯାତ୍ରା (ଫାଲଗୁନ ଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ)
ଶ୍ରୀମନ୍ଦିରର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ସାତଦିନ ଧରି ପାଳିତ ହୁଏ । ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ (ପ୍ରତିପଦ) ଶେଷ ହୁଏ । ଦଶମୀଠାରୁ ଚତୁର୍ଦ୍ଦଶୀ ମଧ୍ୟରେ ତିଥିକ୍ଷୟ ଥିଲେ ଫାଲଗୁନ ଶୁକ୍ଳ ନବମୀଠାରୁ ପାଳନ କରାଯାଏ । ସର୍ବତ୍ର ରାଧାକୃଷ୍ଣଙ୍କର ଦୋଳଯାତ୍ରାର ପ୍ରସିଦ୍ଧି ଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳଗୋବିନ୍ଦଙ୍କ ଦୋଳଯାତ୍ରା ପରେ ଏକତ୍ରାବସ୍ଥାନ ଶ୍ରୀକ୍ଷେତ୍ରର ଓ ଶ୍ରୀମନ୍ଦିରର ମାହାତ୍ମ୍ୟ ପୃଥକ ଭାବେ ଚିହ୍ନାଇ ଦିଏ ।
ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ମୈଲମ ଓ ନାଲି ଲୁଗା ଲାଗି ପରେ ଶ୍ରୀଜୀଉମାନଙ୍କର ସର୍ବାଙ୍ଗ ବଢ଼େ । ପରେ ଚାଚେରୀ ବେଶ ନିମନ୍ତେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନରୁ ଦକ୍ଷିଣ ଘରକୁ ବିଜେ ହୁଅନ୍ତି । (ବସନ୍ତ ପଞ୍ଚମୀ ପରି ନୀତି ହୁଏ) । ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ ହୁଅନ୍ତି । ସେଠାରେ ଭୋଗ ଓ ଜଉଡାବ ଖେଳ ପରେ ବାହୁଡ଼ାବିଜେ କରନ୍ତି । ଏକାଦଶୀ ଦିନ ଜୟବିଜୟ ଦ୍ୱାରଠାରେ ଭୋଗ ବନ୍ଦାପନା (ଦୋଳଗୋବିନ୍ଦଙ୍କ) ସରିବା ପରେ ଦୁଇଦେବୀ ଭିତରୁ ବିଜେ କରି ଆସି ଜୟବିଜୟ ଦ୍ୱାରଠାକୁ ଆସନ୍ତି । ତିନିଦିଅଁ ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରନ୍ତି । ଅନ୍ୟାନ୍ୟ ନୀତି ଫଗୁ ଦଶମୀ ପରି ହୁଏ । ଏହିପରି ଦ୍ୱାଦଶୀ ଓ ତ୍ରୟୋଦଶୀ ପର୍ଯ୍ୟନ୍ତ ନୀତି ହୁଏ ।
ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ହୁଏ । ମଧ୍ୟାହ୍ନ ଧୂପ ପରେ ଚନ୍ଦନବିଜେ, ସର୍ବାଙ୍ଗ ଲାଗି ପରେ ଦୁଇ ଠାକୁରାଣୀ ଚାଚେରୀ ବେଶ ନିମନ୍ତେ ଦକ୍ଷିଣ ଘରଠାରେ ଖଟଶେଯ ଉପରକୁ ବିଜେ କରନ୍ତି । ଏମାନଙ୍କ ସହିତ ଦୋଳଗୋବିନ୍ଦ ମଧ୍ୟ ବେଶ ହୁଅନ୍ତି । ବେଶ ପରେ ମାଳଫୁଲ କର୍ପୂର ଲାଗି ହୁଏ । ଧୋପଖାଳ ପରେ ପରେ ଚାଚେରୀ ଭୋଗ ଡକାଯାଏ । ଦକ୍ଷିଣ ଘର ଭୋଗ ପରେ ସେଠାରୁ ଦିଅଁମାନେ ଭିତରକୁ ବିଜେ କରନ୍ତି । ମୁଦିରସ୍ତଙ୍କ ପ୍ରସାଦ ଲାଗି

ଶ୍ରୀଜଗନ୍ନାଥ ୧୪୯