ପୃଷ୍ଠା:ShreeJagannath.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୫. ବଣଭୋଜି ବେଶ

ଏହା କୃଷ୍ଣଲୀଳା ଅନ୍ତର୍ଗତ ଏକ ବେଶ । ଭାଦ୍ରବ କୃଷ୍ଣପକ୍ଷ ଦଶମୀରେ ଏହି ବେଶ ହୁଏ । ଶ୍ରୀବଳଭଦ୍ର (ବଳରାମ) ଓ ଶ୍ରୀଜଗନ୍ନାଥ (କୃଷ୍ଣ) ଗଉଡ଼ ବାଳକ ରୂପେ ବଣଭୋଜି ନିମନ୍ତେ ଯାଉଥିବା ବେଶ । ସଂଧ୍ୟାଧୂପରେ ଏହି ବେଶ ହୁଏ । ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଲଉଡ଼ି ଧରନ୍ତି । ଦୁଧ ପେଡ଼ାର ମାଳି ଠାକୁରମାନଙ୍କୁ ଲାଗି ହୁଏ । ଏହି ବେଶ ରାଜା ପ୍ରତାପରୁଦ୍ରଦେବ (୧୬ଶ ଶତାବ୍ଦୀ), ମତାନ୍ତରେ ଚୋଡ଼ଗଙ୍ଗଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବ (ଖ୍ରୀଷ୍ଟାବ୍ଦ ୧୧୪୭-୧୧୫୬)ଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା ।

୬. କାଳୀୟଦଳନ ବେଶ

ଏହି ବେଶ ଭାଦ୍ର କୃଷ୍ଣ ଏକାଦଶୀ ତିଥିରେ ହୁଏ । ସଂଧ୍ୟା ଧୂପ ପୂର୍ବରୁ ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହୁଏ । କନାରେ ନିର୍ମିତ ବିରାଟକାୟ ଗୋଟିଏ କଳା ନାଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଆବୃତ କରି ରହିଥାଏ । ନାଗ ଫଣା ଉପରେ ମହାପ୍ରଭୁଙ୍କ ଶ୍ରୀପୟର ଦୁଇଟି ରହିଥାଏ । ବେଶ ବଢ଼ି ସଂଧ୍ୟା ଧୂପ ପାଣି ପଡ଼ିବା ପରେ ଏକ ଅମୃତ ଲଡୁ ଶ୍ରୀହସ୍ତରେ ଲାଗି କରାଯାଏ ।

୭. ପ୍ରଳମ୍ବାସୁର ବଧ ବେଶ

ଏହି ବେଶ ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀବଳଭଦ୍ରଙ୍କ ବାଡ଼ରେ କରାଯାଏ । ମଧ୍ୟାହ୍ନ ଧୂପ ପରେ ଏହି ବେଶ ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି । କେବଳ ଶ୍ରୀବଳଭଦ୍ରଙ୍କ ପଦପ୍ରାନ୍ତରେ ପ୍ରଳମ୍ବାସୁରର ଏକ ମୂତ୍ତି ସଜାଯାଏ । ଫଳରେ ଅସୁରର ସ୍କନ୍ଦ ଓ ଦୁଇ ଭୁଜରେ ବଳଭଦ୍ର ବସିବା ପରି ଦୃଶ୍ୟହୁଏ ।

୮. କୃଷ୍ଣ-ବଳରାମ ବେଶ

ଭାଦ୍ରବ କୃଷ୍ଣ ତ୍ରୟୋଦଶୀରେ ହୁଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ କୃଷ୍ଣ-ବଳରାମ ବେଶରେ ସଜାଯାଏ । ଏହି ବେଶ ଗିରିଗୋବର୍ଦ୍ଧନ ବେଶ ନାମରେ ବଡ଼ ଓଡ଼ିଆ ମଠ ଆନୁମାନିକ ୧୫୨୪ ଖ୍ରୀଷ୍ଟାବ୍ଦରେ କରାଉଥିଲେ । ପରେ ବନ୍ଦ ହୋଇଯାଇଥିଲା । ଖ୍ରୀଷ୍ଟାବ୍ଦ ୧୯୪୫ ପରଠାରୁ ଏହାର ପୁନଃ ପ୍ରଚଳନ କରାଗଲା । କିନ୍ତୁ ଗିରିଗୋବର୍ଦ୍ଧନ ସ୍ଥାନରେ କଦମ୍ବ ବୃକ୍ଷ ରଖାଯାଇ କୃଷ୍ଣ-ବଳରାମ ବେଶ ଭାବରେ ଏହାକୁ ନାମିତ କରାଗଲା । କଟକ ଜିଲ୍ଲା ସାଲେପୁର ଥାନାର ଖଣ୍ଡସାହି ଗ୍ରାମର ଜମିଦାର ଚୌଧୁରୀ ଗୋପବନ୍ଧୁ ମିଶ୍ର ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରୁଥିଲେ । ତାଙ୍କର ଦେହାନ୍ତ ପରେ ତାଙ୍କର ଉତ୍ତରାଧିକାରୀ ଏହି ବେଶ କରାଇ ଆସୁଛନ୍ତି । ଏହା ଏକ ଯଜମାନି ବେଶ ।

୯. ବାମନ ବେଶ

ଭାଦ୍ରବ ଶୁକ୍ଲ ଦ୍ୱାଦଶୀରେ ବାମନ ବେଶ ହୁଏ । କାରଣ ଏହି ଦିନଟି ଭଗବାନଙ୍କ ବାମନାବତାରର ଜନ୍ମଦିବସ । ଏହିଦିନ ରତ୍ନ ବେଦୀରେ ତିନି ଦିଅଁଙ୍କ ସୁନାବେଶ ହୁଏ ।

ଶ୍ରୀଜଗନ୍ନାଥ ୩୭