ପୃଷ୍ଠା:ShreeJagannath.pdf/୧୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦର୍ଶନ ହୁଏ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ଉପରେ ବସନ୍ତି ଏବଂ ତାଙ୍କ କୋଳରେ ମହାଲକ୍ଷ୍ମୀ ବିରାଜମାନ କରନ୍ତି । ଚଳ, କିରୀଟ ଓ ଅଳଙ୍କାରମାନ ସୋଲ ଜରିରେ ନିର୍ମିତ ହୋଇ ଖଞ୍ଜାଯାଏ । ବଡ଼ଠାକୁର ବଳଭଦ ମଧ୍ୟ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରନ୍ତି । ଦେବୀ ସୁଭଦ୍ରା ଛନ୍ଦାପାଦରେ ପଦ୍ମ କଳିକା ଧାରଣ କରନ୍ତି । ସିଂହାସନ ତଳେ ପୋଖରିଆ ରେ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥାଏ । କୁମ୍ଭୀର ଆକ୍ରମଣରୁ ରକ୍ଷାପାଇଁ ହାତୀଟି ଶୁରେ ପଦ୍ମ ଧରି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିବା ଭଙ୍ଗୀରେ ଥାଏ । ଏହି ରମଣୀୟ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୁଏ । ବେଶରେ ଖିରି ଓ ଅମାଲୁ ଭୋଗ ହୁଏ । ଏହି ବେଶ ଏକ ଯଜମାନି ବେଶ । ଏହା ପ୍ରଥମେ ରାଣୀ ସାହେବା କରାଉଥିଲେ । ତା'ପରେ ଜନୈକ ବାସୁଦେବ ବାବାଜୀ କରାଇଲେ । ତା'ପରେ ରମେଶ ଚନ୍ଦ୍ର ମିତ କରାଇଲେ । କେତେବର୍ଷ ହେଲା ଶିଳ୍ପ ପତି ବଂଶୀଧର ପଣ୍ଡାଙ୍କ ଆର୍ଥିକ ସାହାଯ୍ୟରେ ଏହି ବେଶ ପ୍ରଶାସନ ତରଫରୁ ହେଉଛି ।
୨୧. ରଘୁନାଥ ବେଶ
ଏହି ବେଶ ପ୍ରତିବର୍ଷ ହୁଏ ନାହିଁ । ୧୯୦୫ ଖ୍ରୀଷ୍ଟାବ୍ଦ ପରଠାରୁ ହୋଇଥିବାର ପ୍ରମାଣ ମିଳୁ ନାହିଁ । ଏପ୍ରିଲ୍ ୨୭ ତାରିଖ ୧୯୦୫ରେ ଏହି ବେଶ ହୋଇଥିବାର ସମ୍ବାଦ “ଉତ୍କଳଦୀପିକା’ରେ ପ୍ରକାଶିତ ହୋଇଥିଲା । ଶ୍ରୀଜଗନ୍ନାଥ ଶ୍ରୀରାମଚନ୍ଦ୍ର ବେଶ ଧାରଣ କରିଥିଲେ । ବାମପାର୍ଶ୍ୱରେ ଭରତ ଓ ଶତ୍ରୁଘ୍ନ ଚାମର ଓ ଛତ୍ର ଧରି ଠିଆ ହୋଇଥିଲେ । ଲକ୍ଷ୍ମଣଙ୍କ ଦକ୍ଷିଣରେ ବ୍ରହ୍ମା ଓ ବଶିଷ୍ଠ ଆଦି ଠିଆ ହୋଇଥିଲେ । ରାମଚନ୍ଦ୍ରଙ୍କ ବାମ ଜାନୁରେ ଲକ୍ଷ୍ମୀ ପ୍ରତିମା (ସୀତା) ବସିଥିଲେ । ରତ୍ନ ସିଂହାସନକୁ ଲାଗି କଳାହାଟ ଦ୍ୱାର ପର୍ଯ୍ୟନ୍ତ ସରୁପଟା ପଡ଼ିଥିଲା । ତା’ ଉପରେ ଅଙ୍ଗଦ, ଜାମ୍ବବାନ, ବିଭୀଷଣ, ନିଳ, ନୀଳ ପ୍ରଭୁତି ଥିଲେ । ୧୯୦୫ ମସିହାରେ ରାଜା ମୁକୁନ୍ଦ ଦେବ-୩ୟ ରାଜାସୁପରିଟେଣ୍ଡେଣ୍ଟ୍ ଥିଲେ । ଏହି ବେଶରେ ବିବିଧ ରତ୍ନ ଅଳଙ୍କାର ଲାଗି ହୁଏ । ଏହା ସବୁ ବେଶଠାରୁ ବୃହତ୍ ଓ ଆକର୍ଷଣୀୟ ବେଶ ।
୨୨. ଚନ୍ଦନ ବେଶ
ଚନ୍ଦନ ଯାତ୍ରା ୪୨ଦିନ ଯାକ ଭୋଗମଣ୍ଡପ ଧୂପ ପରେ ଆଲଟଲାଗି ଏବଂ ପରେ ଚନ୍ଦନଲାଗି ହୁଏ । ତା' ପରେ ଠାକୁରମାନଙ୍କୁ ଫୁଲରେ ବେଶ କରାଯାଏ । ଫୁଲର ଚଉସରା, ଅଳକା, ଚୂଳ, ଗଭା, ଗୁଣା, ଝମ୍ପା, ଅଧିର ପ୍ରଭୃତି ଲାଗି କରାଯାଏ । ଏହାକୁ ଚନ୍ଦନ ବେଶ କହନ୍ତି ।
୨୩. ମକର ଚୌରାସୀ
ମକର ସଂକ୍ରାନ୍ତି ଦିନ ଚୂଳ (ତୁଳସୀ ମିଶା), ଛଅମୂର୍ତ୍ତି ଅଳଙ୍କାର ଲାଗି ହୋଇ ଏହି ବେଶ ହୁଏ । ଏହି ବେଶ ଥାଇ ମକର ବେଢ଼ା ହୁଏ ।

ଶ୍ରୀଜଗନ୍ନାଥ ୧୬୯