ପୃଷ୍ଠା:ShreeJagannath.pdf/୨୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗବେଷକ ଶ୍ରୀ ଫକୀର ହରିଚନ୍ଦନ ଲେଖଛନ୍ତି ଯେ ଜଗନ୍ନାଥ ବିଦ୍ୟାଧର ମହାପାତ୍ର ମୋଗଲ ସୁବାର ସେନାପତି ହୋଇଥିଲେ । ତେଣୁ ମୋଗଲ ପ୍ରଦତ୍ତ ବକ୍ସିବାଡ଼ ଜାଗିରି ବୃତ୍ତି ଭୋଗୀ ଭାବେ ଖୋର୍ଦ୍ଧାର ରାଜାଙ୍କ ଅପେକ୍ଷା କଟକର ମୋଗଲ ସୁବାଦାରଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଅଧିକ ଥିଲା । ସେହି କାରଣରୁ ଏକରାମ ଖାଁର ପୁରୀମନ୍ଦିର ଆକ୍ରମଣକୁ ପ୍ରତିହତ ନକରି ଆଉରଙ୍ଗଜେବ୍‍ଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ଏକରାମ ଖାଁଙ୍କ ସମ୍ମ‌ଖରେ ମନ୍ଦିର ଗୁମୁଟର କିଛି ଅଂଶ ଭଙ୍ଗାଇ ତା' ହାତରେ ଚନ୍ଦନ କାଠ ନିର୍ମିତ ନକଲି ଜଗନ୍ନାଥ ମୂର୍ତ୍ତିି ଧରାଇ ଦେଇଥିଲେ । ସମ୍ଭବତଃ ତାଙ୍କ ଉଆସ ଉପରେ (ଜଗନ୍ନାଥ ବିଦ୍ୟାଧରଙ୍କ) ଏକରାମ ଖାଁ କଦାପି ଆକ୍ରମଣ କରିବ ନାହିଁ ବୋଲି ଦିବ୍ୟସିଂହ ଦେବ ନିଶ୍ଚିତ ହୋଇ ତାଙ୍କରି ଉଆସରେ ଲୁଚି ରହିଲେ (ଖୋର୍ଦ୍ଧା ଇତିହାସର ଅନ୍ତରାଳେ) ।

ଏହି ଆକ୍ରମଣ ପରେ ଚତୁର୍ଦ୍ଧାମୂର୍ତ୍ତିି ଓ ବିଜେ ପ୍ରତିମାମାନଙ୍କୁ ମନ୍ଦିରରୁ ଅପସାରଣ କରାଯାଇଥିଲା ଓ ମନ୍ଦିର ମୁହଁ ମୁଦ କରାଯାଇଥିବା ଜଣାଯାଏ । ଦେଉଳର ସମସ୍ତ ନୀତି ବନ୍ଦ ହୋଇ ଯାଇଥିଲା । ଦିଅଁମାନେ କେଉଁସ୍ଥାନରେ ସଂରକ୍ଷିତ ହୋଇ ରହିଲେ ଓ କେତେବର୍ଷ ରହିଲେ ତା'ର ଉଲ୍ଲେଖ ମାଦଳାପାଞ୍ଜିରେ କିମ୍ବା ଚକଡ଼ା ପୋଥିରେ ନାହିଁ । କିନ୍ତୁ ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କ ପୁତ୍ର ଲୋକନାଥ ମହାପାତ୍ରଙ୍କ ରଚିତ 'ସର୍ବାଙ୍ଗ ସୁନ୍ଦରୀ' କାବ୍ୟରୁ ଜଣାଯାଏ ଯେ ଚତୁର୍ଦ୍ଧା ମୂର୍ତ୍ତିିଙ୍କୁ ବାଣପୁର ରାଜ୍ୟରେ ଦୁର୍ଭେଦ୍ୟ ବଙ୍କାଡ଼ ଗଡ଼ ନିକଟବର୍ତ୍ତୀ ଏକ ସ୍ଥାନରେ ରଖାଯାଇ ପୂଜା କରାଯାଉଥିଲା । ପରେ ଏହି ସ୍ଥାନର ନାମ ହେଲା 'ନୀଳାଦ୍ରି ପ୍ରସାଦ' ।

ପନ୍ଦର ବର୍ଷ ପରେ ଖ୍ରୀ:୧୭୦୭ରେ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଶ୍ରୀମନ୍ଦିରରେ ପୁନଃ ସଂସ୍ଥାପନ କରାଯାଇ ସମସ୍ତ ଦେବନୀତି ଓ ଯାତ୍ରା ପୁନଃ ପ୍ରଚଳନ କରାଯାଇଥିଲା । ମାଦଳାପାଞ୍ଜିରେ ଉଲ୍ଲେଖ ଅଛି- "୨୫ ଅଙ୍କ କନ୍ୟା ୧୦ ଦିନ କୃଷ୍ଣ ଏକାଦଶୀ ଗୁରୁବାର ଏ ମହାରାଜାଙ୍କ ଆଗ୍ୟାଂ ପ୍ରମାଣେ ୧୮ଗଡ଼ ଖଣ୍ଡାଏତଙ୍କୁ ଘେନାଇ ଅରାରାମ ପିତାମହ ଆସି ବଡ଼ ଦେଉଳ ସିଂହଦ୍ୱାର ଫିଟାଇ ଦେଲା ।" ଏହି ଅରାରାମ ପିତାମହ କିଏ ମାଦଳାପାଞ୍ଜିରୁ ଜଣାଯାଏ ନାହିଁ । ଗବେଷକ ଫକୀର ହରିଚନ୍ଦନଙ୍କ ମତରେ ଏ ହେଉଛନ୍ତି ଅରୀରାୟ ପିତାମ ବା ଅଭିରାୟ ପିତାମ । ସେ ଅନ୍ଧାରୀ ବା କୋକଲଗଡ଼ର ଖଣ୍ଡାଏତ । ସେ ୧୮ ଗଡ଼ର ଖଣ୍ଡାଏତଙ୍କୁ ନେଇ ବଡ଼ ଦେଉଳ ସିଂହଦ୍ୱାର ଫିଟାଇଥିବା ସମ୍ଭବପର । ମାଦଳାପାଞ୍ଜିରେ ପ୍ରଦତ୍ତ ଉକ୍ତ ଦିନ, ବାର ଓ ତିଥି ୧୭୦୭ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସ ୧୧ ତାରିଖ ସହିତ ମିଳିଯାଉଛି ବୋଲି ଐତିହାସିକ କେଦାରନାଥ ଲେଖିଛନ୍ତି । ଖ୍ରୀ:୧୭୦୩ରୁ ୧୭୧୦ ଯାଏଁ ମୁର୍ଶିଦ କୁଲିଜାଫର ଖାଁ ଓଡ଼ିଶାର ସୁବାଦାର ଥିଲେ । ତାଙ୍କର ନିରପେକ୍ଷ ଉଦାର ନୀତିଯୋଗୁଁ ଏହି କାର୍ଯ୍ୟ ସମ୍ଭବପର ହୋଇଥିଲା । ପରବର୍ତ୍ତୀ ଦୁଇ ସୁବାଦାର ଥିଲେ ଖାନ୍‍-ଇ-ଆଲାନ୍‍ ଓ ମୁର୍ଶିଦା କୁଲି ଖାଁ (୧୭୨୭ ଖ୍ରୀଷ୍ଟାବ୍ଦ ଯାଏଁ) । ଏହି ସମୟରେ ଲୋକମାନେ ଶାନ୍ତିରେ ରହିଥିଲେ ।

ଶ୍ରୀଜଗନ୍ନାଥ . ୨୧୫