ପୃଷ୍ଠା:ShreeJagannath.pdf/୨୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କପିଳ ଭ୍ରମରବରଙ୍କୁ ବନ୍ଦୀ କରିଥିଲେ । ସେ ଯେ ପ୍ରବଳ ଯୁଦ୍ଧ କରି ଖୋର୍ଦ୍ଧାରାଜ୍ୟ ପୁନଃ ଅଧିକାର କରିଥିଲେ ଏଥିରେ ସନ୍ଦେହ ନାହିଁ । ମୁକୁନ୍ଦ ଦେବଙ୍କ ସମୟରେ ସୁବାଦାର ସାୟସ୍ତ ଖାଁଙ୍କ ପୁଅ ନସର ଖାଁ ମୋଗଲ ସମ୍ରାଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ହିନ୍ଦୁ ମନ୍ଦିର ଭାଙ୍ଗିଥିଲେ ଓ କେତେକ ଭଗ୍ନ ମନ୍ଦିର ସ୍ଥାନରେ ମସଜିଦ୍‍ ତୋଳାଇଥିବା ଖୁରୁଧା ଇତିହାସରୁ ଜଣାଯାଏ । ସେ ମଧ୍ୟ ମୁକୁନ୍ଦଦେବଙ୍କ ୩୮ ଅଙ୍କରେ ପୁରୀ ମନ୍ଦିରର କ୍ଷତି କରିବା ଅଭିପ୍ରାୟରେ ପିପିଲି ଯାଏଁ ଆସିଥିଲା । କିନ୍ତୁ ପିପିଲି ଠାରେ ଚଡକ ପଡ଼ିବାରୁ କଟକ ବାହୁଡ଼ି ଗଲା ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ଅଛି । ପିପିଲି ଠାରେ ଚଡ଼କ ପଡ଼ିବାରୁ ସେ ଏହାକୁ ଦୈବୀଚଡ଼କ ଓ ଜଗନ୍ନାଥଙ୍କ ମହିମା ମନେ କରି ଭୀତତ୍ରସ୍ତ ହୋଇ ଫେରିଯାଇଥିବା ବିଶ୍ୱାସ କରାଯାଏ ।

ମୁକୁନ୍ଦ ଦେବ (୧ମ)ଙ୍କ ପରେ ତାଙ୍କ ପୁତ୍ରଦିବ୍ୟସିଂହ ଦେବ(୧ମ) ତା୨୨.୧୧.୧୬୮୮ରେ ଖୁରୁଧା ସିଂହାସନ ଆରୋହଣ କରିଥିଲେ । କୌଣସି କାରଣରୁ ତାଙ୍କର ଅଭିଷେକ ଖୋର୍ଦ୍ଧାରେ ନହୋଇ ରଥୀପୁର ଗଡ଼ରେ ହୋଇଥିଲା ।

ସୁବାଦାର ନବାବ ଏକରାମ ଖାଁ ସମ୍ରାଟ ଆଉରଙ୍ଗଜେବଙ୍କ ଆଦେଶରେ ୧୬୯୨ରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଜନା କଲେ । ରାଜା ଦିବ୍ୟସିଂହ ଦେବ କୌଶଳ କ୍ରମେ ନବାବଙ୍କ ସହିତ ସମ୍ପର୍କ ରକ୍ଷାକରି ନବାବଙ୍କ ଇଚ୍ଛା ମୁତାବକ ଜଗନ୍ନାଥ ବିଗହ୍ର ଙ୍କୁ ତାଙ୍କୁ ହସ୍ତାନ୍ତର କରିଦେବେ ବୋଲି ପ୍ରତିଶ୍ରୁତି ଦେଲେ । ମୋଗଲ ବିବରଣ ଅନୁସାରେ ରାଜା ଦେଉଳ ଭାଙ୍ଗିବା ଜବାବ ଦେଇ ସିଂହଦ୍ୱାରରେ ବା ଏକ ରାକ୍ଷସ ମୂର୍ତ୍ତିି ଓ ଗୁମୁଟ ଭାଙ୍ଗିଦେଲେ ଏବଂ ଚନ୍ଦନକାଠରେ ତିଆରି ରତ୍ନଖଚିତ ନେତ୍ରଥିବା ଏକ ଜଗନ୍ନା ମୂର୍ତ୍ତିିକୁ ମୋଗଲ ସେନାପତିକୁ ଦେଲେ । ସେନାପତି ଏହାକୁ ବାଦଶାହଙ୍କ ବିଜାପୁର ମୁକାମକୁ ପଠାଇଦେଲେ । ବିଗ୍ରହଟି କୁଆଡେ଼ ଏକ ମସଜିଦ୍‍ର ପାହାଚ ତଳେ ପକାଯାଇଥିଲା ।

ମାଦଳାପାଞ୍ଜି ଓ ଚକଡ଼ା ପୋଥିରେ ଏକରାମ ଖାଁଙ୍କ ଆଦେଶରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଘଟଣା ମୋଗଲ ବିବରଣ ଦ୍ୱାରା ସମର୍ଥିତ ହେଉଅଛି । ମାଦଳାପାଞ୍ଜିରେ ଲେଖାଅଛି, ସିଂହଦ୍ୱାର ଗୁମୁଟି ଭଙ୍ଗାଗଲା, ଭୋଗମଣ୍ଡପରୁ ଚକ୍ର ନେଲେ, ଜଗନ୍ନାଥ ମୂର୍ତ୍ତିିକୁ ମୋଗଲ ସେନାପତିଙ୍କୁ ହସ୍ତାନ୍ତର କରାଗଲା । ପ୍ରକୃତ ବିଗ୍ରହଙ୍କୁ ପ୍ରମେ ବିମଳା ପଛପଟ ବେଢ଼ାରେ ଲୁଚାଇ ରଖାଯାଇଥିଲା, ଯାହାଙ୍କୁ ପରେ ସ୍ଥାନାନ୍ତରିତ କରାଗଲା । ଦେଉଳ ସିଂହଦ୍ୱାର ଓ ଦକ୍ଷିଣଦ୍ୱାର ମୁଦାଗଲା । ଦକ୍ଷିଣ ଘରୁ ବିଜେ ପ୍ରତିମାମାନ କୋକଳଗଡ଼କୁ ପଠାଗଲା । ନବାବଙ୍କ ଭାଇ ରତ୍ନସିଂହାସନ ଉପରେ ଚଢ଼ିଥିଲା (ପ୍ରକୃତରେ ନବାବଙ୍କ ଜଣେ କର୍ମଚାରୀ ମୀର ସୟଦ ମହମ୍ମଦ ଚଢ଼ିଥିଲା ବୋଲି କେଦାରନା ଲେଖିଛନ୍ତି) । "ପ୍ରବଳ ପରାକ୍ରାନ୍ତ ଅତି ନିର୍ମମ ଆକ୍ରମଣକାରୀ ସମଗ୍ର ଭାରତର ଏକଛତ୍ର ଶାସକ ବାଦଶାହ ଔରଙ୍ଗଜେବଙ୍କ ବିରୁଦ୍ଧରେ ଅସ୍ତ୍ରଧାରଣ କରିବାକୁ ଅସମର୍ଥ ଥିବାରୁ ଦିବ୍ୟସିଂହଦେବ ହିନ୍ଦୁ ସମାଜର ପ୍ରଧାନ ଆରାଧ୍ୟ ଦେବତାଙ୍କ ପ୍ରତି ଏପରି ତୀବ୍ର ଅପମାନ ଅମ୍ଳାନ ବଦନରେ ସହ୍ୟ କରିବା ପାଇଁ ବାଧ୍ୟ ହୋଇଥିଲେ । ତାଙ୍କର ଏହି ସହିଷ୍ଣୁତା ଫଳରେ ଜଗନ୍ନାଥ ମନ୍ଦିର ନିଶ୍ଚିତ ଧ୍ୱଂସ ମୁଖରୁ ରକ୍ଷାପାଇଗଲା ।" (ଖୁରୁଧା ଇତିହାସ) ।

୨୧୪ ଶ୍ରୀଜଗନ୍ନାଥ