ପୃଷ୍ଠା:ShreeJagannath.pdf/୨୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧିକାର ପାଇଁ ଷଡଯନ୍ତ୍ର ଫଳରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସମ୍ଭବ ପର । ତା୨୬.୪.୧୭୨୭ରେ ଗୋପୀନାଥ ଦେବଙ୍କୁ ହତ୍ୟା କରାଯାଇଥିଲା ।

ଗୋପୀନାଥ ଦେବଙ୍କ ହତ୍ୟା ଦିବସରେ ହିଁ ତାଙ୍କ ସାନ ଭାଇ କେଶବ ରାଏ ରାଜା ଭାବରେ ଅଭିଷିକ୍ତ ହେଲେ ଓ ତାଙ୍କର ନାମ ହେଲା ରାମଚନ୍ଦ୍ର ଦେବ (୨ୟ) । ତାଙ୍କ ଅଭିଷେକର ଦୁଇମାସ ପରେ ମୁର୍ଷିଦ କୁଲି ଜାଫର ଖାଁଙ୍କ ମୃତ୍ୟୁ ହେଲା । ତାଙ୍କ ଜାମାତା ସୁଜାଉଦ୍ଦିନ ପୂର୍ବରୁ ଓଡ଼ିଶାର ନାଏବ ନାଜିମ ଭାବରେ କିଛି ବର୍ଷ କାମ କରିଥିଲେ । ସେ ଜଣେ ନୈଷ୍ଠିକ ମୁସଲମାନ ଓ ହିନ୍ଦୁଧର୍ମର ବିରୋଧୀ ଥିଲେ । ସୁଜାଉଦ୍ଦିନ୍‍ ବଙ୍ଗ ଓ ଓଡ଼ିଶାର ସୁବାଦାର ହେବା ପରେ ନିଜର ରକ୍ଷିତା ସ୍ତ୍ରୀର ପୁତ୍ର ମହମ୍ମଦ ତକି ଖାଁଙ୍କୁ କଟକର ନାଏବ ନାଜିମ୍‍ ରୂପେ ନିଯୁକ୍ତ କରିଥିଲେ । ତକି ଖାଁ ପିତାଙ୍କ ଅପେକ୍ଷା ଅଧିକ ହିନ୍ଦୁବିଦ୍ୱେଷୀ ଥିଲେ ।

ସେହି ସମୟରେ ଜଳେଶ୍ୱରର କେତୋଟି ପ୍ରଗଣାକୁ ବଙ୍ଗ ସହିତ ସାମିଲ କରାଗଲା । ସୁବର୍ଣ୍ଣରେଖା ନଦୀକୁ ଓଡ଼ିଶାର ଉତ୍ତର ସୀମାରେଖା କରାଗଲା । ତେଣେ ଦକ୍ଷିଣରେ ହାଇଦ୍ରାବାଦର ନିଜାମ ଓଡ଼ିଶା ଆକ୍ରମଣ କରି ସମଗ୍ର ଗଞ୍ଜାମକୁ ଖୋର୍ଦ୍ଧା ରାଜ୍ୟରୁ ଜୟ କରି ନେଇଗଲେ । ତକି ଖାଁ ହାଇଦ୍ରାବାଦ ନିଜାମଙ୍କ ଆକ୍ରମଣ ବେଳେ ରାଜା ରାମଚନ୍ଦ୍ର ଦେବ(୨ୟ)ଙ୍କୁ ସାହାଯ୍ୟ କଲେ ନାହିଁ । ଏହି ଘଟଣା ପରେ କ୍ଷୁବଧ୍‍ ରାମଚନ୍ଦ୍ର ଦେବ ନିଜର ରାଜ୍ୟ ବାହାରେ ମୋଗଲବନ୍ଦୀ ଅଞ୍ଚଳରୁ କିଛି ଅଂଶ ଦଖଲପାଇଁ ସୈନ୍ୟଚାଳନା କରିଥିଲେ । ପ୍ରଥମେ ପ୍ରଥମେ ସେ ସଫଳ ହୋଇଥିଲେ ହେଁ ତାଙ୍କର ସୈନ୍ୟମାନଙ୍କ ଭିତରେ ବିଦ୍ରୋହ ଦେଖାଯାଇଥିଲା । ଏହାର ସୁଯୋଗ ନେଇ ତକି ଖାଁ କୌଶଳ କରି ରାମଚନ୍ଦ୍ର ଦେବଙ୍କୁ କଟକରେ ଅଟକ ବନ୍ଦୀ କରି ରଖିଥିଲା । ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ, ଏହି ରାଜାଙ୍କ ୮ ଅଙ୍କରେ ତକି ଖାଁ 'ନସକର ଘେନିି ଶିଶୁପାଳଗଡ଼ ଖୋଳାଇ ଦେଲା । ଧଉଳିଗଡ଼ ବୋନି ରଥିପୁର ଘେନିଲା' । ଗବେଷକ ଶ୍ରୀ ହରିଚନ୍ଦନ ଲେଖିଛନ୍ତି ଯେ ଗଞ୍ଜାମର ଆଠଗୋଟି ବଡ଼ ବଡ଼ ଜମିଦାରୀ ମାହାଲକୁ ୧୭୩୦ ଖ୍ରୀଷ୍ଟାବ୍ଦରେ ମୋଗଲମାନେ ଖୋର୍ଦ୍ଧା ରାଜାଙ୍କ ଅଧିକାରରୁ କାଢ଼଼ି ନେଇ ହାଇଦରାବାଦର ନିଜାମଙ୍କ ଅଧିକାରଭୁକ୍ତ କରିଦେଲେ । ତା'ପରେ ମୋଗଲ ଓ ମରହଟ୍ଟାମାନଙ୍କ ମଧ୍ୟରେ ଦୀର୍ଘ ଦଶ ବର୍ଷ କାଳ ଓଡ଼ିଶା ଅଧିକାରକୁ ନେଇ ଲାଗି ରହିଥିବା ଯୁଦ୍ଧ ବିଭୀଷିକା ଫଳରେ ଖୋର୍ଦ୍ଧାରାଜ୍ୟରେ ଗୁରୁତର ଅଶାନ୍ତି ଉପୁଜିଥିଲା ।

ରାମଚନ୍ଦ୍ର ଦେବ କଟକର ବାରବାଟୀ ଦୁର୍ଗରେ ବନ୍ଦୀ ହେବା ପରେ ଉତ୍‍କ୍ଷିପ୍ତ ହୋଇ ତାଙ୍କର ପୁତ୍ର, ନାତି ଓ ଅନୁଗତମାନେ ତକି ଖାଁଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ତକି ଖାଁ ବିଦ୍ରୋହୀମାନଙ୍କ ଖୋର୍ଦ୍ଧାଗଡ଼ ଅଧିକାର କରିନେଲା । ରାଜକୁମାରମାନେ କୋଦଳା ଆଠଗଡ଼ ରାଜ୍ୟକୁ ପଳାଇଯାଇ ସେଠାର ରାଜାଙ୍କ ଆଶ୍ରୟ ଗ୍ରହଣ କଲେ ।

ରାମଚନ୍ଦ୍ର ଦେବଙ୍କ ପୁତ୍ର ଭାଗୀରଥି କୁମାର ଆଠଗଡ଼ ରାଜାଙ୍କଠାରୁ ସୈନ୍ୟ ସାହାଯ୍ୟ ପାଇ ପୁରୀ ଓ ଖୋର୍ଦ୍ଧାରୁ ମୋଗଲ ଫୌଜକୁ ତଡ଼ି ଦେଇଥିଲେ । ସେ ନିଜକୁ ଖୋର୍ଦ୍ଧାର ରାଜା ଘୋଷଣା

ଶ୍ରୀଜଗନ୍ନାଥ ୨୧୭