ପୃଷ୍ଠା:ShreeJagannath.pdf/୨୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅଛି ସମଗ୍ର ବିଶ୍ୱର ଅନୁଭବକୁ ନିଜର ଅନୁଭବ ସହିତ ସମୀକୃତ କରିବାର ଉଦାର ଚେତନା । ପୁରୁଷକୁ ଜଗତ ଓ ଜଗତକୁ ପୁରୁଷ ସହ ଅଭେଦ କଳ୍ପନା କରିବା ହେଉଛି ଜୈନଧର୍ମର ନିଜସ୍ୱ । ଏଇଠି ଜଗନ୍ନାଥ ଧର୍ମ ଓ ଜୈନ ଧର୍ମ ମଧ୍ୟରେ ରହିଛି ଅନନ୍ୟ ସାଧାରଣ ସାମ୍ୟ (୧୫)

ଜଗନ୍ନାଥ ଧର୍ମରେ ଅନ୍ୟାନ୍ୟ ଧର୍ମର ପ୍ରଭାବ ପରି ଜୈନଧର୍ମର ମଧ୍ୟ ପ୍ରଭାବ ରହିଛି; କିନ୍ତୁ ତାହା ଯେ ମୁଖ୍ୟତଃ ଜିନଦେବ, ଏହାର ପ୍ରମାଣ ମୂର୍ତ୍ତିିତତ୍ତ୍ୱ ଓ ଇତିହାସ ଦୃଷ୍ଟିରୁ ବିଶେଷ କିଛି ନାହିଁ ବୋଲି ମନେକରାଯାଏ (୧୬) । ପଣ୍ଡିତ ନୀଳକଣ୍ଠ ଦାସ ଜଗନ୍ନାଥ ତତ୍ତ୍ୱକୁ ଅବୈଦିକ ମାନିଥିଲେ ମଧ୍ୟ ଏଥିରେ ଜୈନଙ୍କ ଆତ୍ମବାଦ, ବୈଷ୍ଣବୀୟ ଯୌଗିକ ଶୂନ୍ୟବାଦ, ଶାକ୍ତ, ତାନ୍ତ୍ରିକ, ଶାବର, ଦ୍ରାବିଡ଼ ତତ୍ତ୍ୱ ସହ ଗୀତାର କ୍ଷର, ଅକ୍ଷର ଓ ପୁରୁଷୋତ୍ତମ ତତ୍ତ୍ୱ ଯୋଡ଼ି ଦେଇଛନ୍ତି (୧୭)

ଡକ୍ଟର ବେଣୀମାଧବ ପାଢ଼ୀଙ୍କର ବିଚାରକୁ ବିରୋଧ କରି ପ୍ରଫେସର ଗୋପୀନାଥ ମହାପାତ୍ର କହନ୍ତି ଯେ, ଶାବର ଭାଷାରେ ଜଗନ୍ତର ଅର୍ଥ କ'ଣ ଜଗନ୍ନାଥ ? ଆର୍ଯ୍ୟମାନେ ଏହି ଜଗନ୍ତଦେବଙ୍କୁ ଆଣି ଜଗନ୍ନାଥ ବୋଲି ଡାକିଲେ- ଏପରି ପ୍ରମାଣ କେଉଁ ଆର୍ଯ୍ୟଗ୍ରନ୍ଥରେ ନାହିଁ । ଜୈନମାନେ ଏହି ଜଗନ୍ତଦେବଙ୍କୁ ଜଗନ୍ତନାଥ ବୋଲି ଡାକୁଡାକୁ ଜଗନ୍ନାଥ ବୋଲି ଡାକିଲେ ଏ କଥା ମଧ୍ୟ କୌଣସି ଜୈନଗ୍ରନ୍ଥରେ ନାହିଁ । ତା'ଛଡ଼ା ଜୈନମାନଙ୍କର ପାଲି ଭାଷାରେ ଯେଉଁ ଗ୍ରନ୍ଥ ଓ ଶିଳାଲେଖ ଇତ୍ୟାଦି ଥିଲା, ସେହି ଭାଷାରେ କ'ଣ ଜଗନ୍ତନାଥର ଅର୍ଥ ଜଗତର ନାଥ ହୁଏ ? ପୁ'ଣି ସେ ଭାଷାରେ କ'ଣ ଜଗନ୍ନାଥ ଶବ୍ଦ ଗଠିତ ହୋଇପାରେ ? କେବେ ନୁହେଁ । ଏ ସବୁ ଭାଷାତତ୍ତ୍ୱ ଏଥିରେ କିଛି ଆଲୋଚନା ହୋଇନାହିଁ (୧୮)

(ଏଠାରେ ଏକ ସୂଚନା ପ୍ରଦାନ କରାଯାଉଛି । ଶ୍ରୀମନ୍ଦିର (ବଡ଼ ଦେଉଳ)ର ବେହରଣ ଦ୍ୱାର ବା ଦକ୍ଷିଣ ଦ୍ୱାର ପାର୍ଶ୍ୱରେ କାନ୍ଥରେ ଏକ ପ୍ରସ୍ତର ନିର୍ମିତ ମହାବୀର ଜୈନ ମୂର୍ତ୍ତିି ଶୋଭାପାଉଛନ୍ତି । ଏହି ମୂର୍ତ୍ତିି ପ୍ରଥମେ କୁଆଡେ଼ ରତ୍ନବେଦୀ ପାର୍ଶ୍ୱରେ ଖଞ୍ଜା ଯାଇଥିଲେ ଏବଂ ପରେ ଶ୍ରୀମନ୍ଦିରର ମ୍ୟାନେଜର ସଖୀଚାନ୍ଦଙ୍କ ସମୟ (ଖ୍ରୀ: ୧୯୨୧-୧୯୨୫)ରେ ସେଠାରୁ ଅପସାରଣ କରାଯାଇ ଏହି ଦ୍ୱାର ପାର୍ଶ୍ୱରେ ସ୍ଥାପିତ ହୋଇଥିଲେ ।)

ବୌଦ୍ଧଧର୍ମ ଓ ଜଗନ୍ନାଥ ଜଗନ୍ନାଥ ଉପାସନା ବୌଦ୍ଧଧର୍ମରୁ ଉଦ୍ଭବ ଓ ଜଗନ୍ନାଥ ମୂଳତଃ ବୌଦ୍ଧ ବୋଲି କେତେକ ବିଦ୍ୱାନ ଗବେଷକ ଲେଖିଛନ୍ତି । ସେମାନଙ୍କ ମଧ୍ୟରୁ ଡକ୍ଟରର ହରେକୃଷ୍ଣ ମହତାବ ଅନ୍ୟତମ । ସେମାନଙ୍କର ମୁଖ୍ୟ ଯୁକ୍ତିଗୁଡ଼ିକ ନିମ୍ନରେ ସଂକ୍ଷେପରେ ପ୍ରଦତ୍ତ ହେଲା:


୧୫. ଓଡ଼ିଆ ସାହିତ୍ୟର କ୍ରମ ପରିଣାମ (୨ୟ ଭାଗ)- ପଣ୍ଡିତ ନୀଳକଣ୍ଠ ଦାସ

୧୬. ଓଡ଼ିଆ ସାହିତ୍ୟର ଇତିହାସ (୧ମ ଭାଗ)- ଡକ୍ଟର ବଂଶୀଧର ମହାନ୍ତି

୧୭. ଜଗନ୍ନାଥଙ୍କ ବୈଦିକତା ଅଭ୍ରାନ୍ତ କି ? (ପ୍ରବନ୍ଧ)- ଉମେଶ ପତ୍ରୀ, ଝଙ୍କାର, ଜୁଲାଇ, ୨୦୦୩

୧୮. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

ଶ୍ରୀଜଗନ୍ନାଥ ୩୧