ପୃଷ୍ଠା:ShreeJagannath.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଦିନ ସକାଳେ ସୂର୍ଯ୍ୟପୂଜା ହୁଏ । ଦ୍ୱାରଫିଟା, ମଙ୍ଗଳ ଆରତି, ମଇଲମ, ଅବକାଶ, ପୁଣି ମଇଲମ, ସାହାଣମେଲା, ବେଶଲାଗି, ରୋଷହୋମ ପରେ ସୂର୍ଯ୍ୟପୂଜା ହୁଏ । ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଭୋଗ ଇତ୍ୟାଦି ଅନ୍ୟାନ୍ୟ ନୀତି ହୁଏ । ମୁକ୍ତିମଣ୍ଡପର ପୂର୍ବ ପାର୍ଶ୍ୱରେ ଏକ ଛୋଟିଆ ମନ୍ଦିରରେ ବିରାଜିତ ସୂର୍ଯ୍ୟଙ୍କୁ ପୂଜା କରାଯାଏ । ସୂର୍ଯ୍ୟଙ୍କର ପ୍ରତିମା ଏଠାରେ ନାହିଁ । ତାଙ୍କର ଯନ୍ତ୍ର (ପ୍ରତୀକ)କୁ ହିଁ ପୂଜା କରାଯାଏ । ଚତୁର୍ଦ୍ଧାମୂର୍ତ୍ତି ମଧ୍ୟ ପ୍ରତୀକ ବିଗ୍ରହ ।

ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ଚକାଡ଼ୋଳା’କୁ ଆଲୋଚନା କରି ଡକ୍ଟର ଶ୍ରୀଶ ପଟେଲ ଲେଖିଛନ୍ତି- "ପରନ୍ତୁ ଆଧୁନିକ ଯୁଗରେ ପରସ୍ପର କଳହ ଓ ଅସାମାଜିକ ବୃତ୍ତିର ବୃଦ୍ଧିଲାଭଜନିତ ଘଟଣାରୁ ସମାଜରେ ନିୟନ୍ତ୍ରଣକାରୀ ଶକ୍ତିର ରୂପରେଖ ନିମିତ୍ତ ଜଗନ୍ନାଥଙ୍କ ଚକାଆଖି ଏକ ଉଦ୍‌ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ...ଆମର କିୟାକଳାପକୁ ଅନ୍ୟ କେହି ନଦେଖୁଥିଲେ ମଧ୍ୟ ସେହି ସର୍ବଶକ୍ତିମାନ ଲକ୍ଷ୍ୟ ରଖିଛନ୍ତି ଅପଲକ ନେତ୍ରରେ (୫୭)

ଚକାଡ଼ୋଳା ହେଉଛନ୍ତି A pair of eyes that tells of the supreme 'I'.

ସାଂଖ୍ୟ ଦର୍ଶନରେ ‘ପୁରୁଷ' ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ସ୍ୱରୂପ । ଜଗନ୍ନାଥ ସଚ୍ଚିଦାନନ୍ଦ ବିଗ୍ରହ । ସାଂଖ୍ୟରେ ପୁରୁଷଙ୍କୁ ପଙ୍ଗୁ ସହିତ ତୁଳନା କରାଯାଇଛି । ଜଗନ୍ନାଥ ମଧ୍ୟ ହସ୍ତପଦହୀନ ପଙ୍ଗୁ । ଏଥିରୁ ସେ ନିଜେ କିଛି ନକରି ଅନ୍ୟଦ୍ୱାରା କରାଉଥିବାର ପ୍ରମାଣ ସିଦ୍ଧ ହେଉଛି । ତାଙ୍କର ଚକା ଚକା ବଡ଼ ବଡ଼ ଆଖିରୁ ବୁଝାଯାଏ, ସତେ ଅବା ସେ ସଂସାରର ସବୁକିଛି ଦେଖୁଛନ୍ତି ଓ ନିଜେ ବାସ୍ତବରେ କିଛି ନକଲେ ମଧ୍ୟ ‘ସାକ୍ଷୀ' ହୋଇ ବସିଛନ୍ତି । ସାଂଖ୍ୟରେ ପୁରୁଷଙ୍କୁ ସାକ୍ଷୀ, ନିର୍ବିକାର, ଉଦାସୀନ ଭାବରେ ଚିତ୍ରଣ କରାଯାଇଛି । ଏସବୁ ଦେଖିଲେ ମନେହୁଏ, ଯେପରି ଜଗନ୍ନାଥ ଦର୍ଶନରେ ବହୁ ଭାବରେ ସାଂଖ୍ୟ ଦର୍ଶନ ଜଡ଼ିତ । ପ୍ରାଚୀନ ଭାରତର ଧର୍ମଧାରା, ପୁରାଣ ସାହିତ୍ୟର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଓ ପର୍ଯ୍ୟାଲୋଚନା ଆମକୁ ଯଥାର୍ଥରେ ସୂଚାଇ ଦିଏ ଯେ, ଜଗନ୍ନାଥ ପୂଜା ହେଉଛି ବିଷ୍ଣୁ ଉପାସନାର ଏକ ଚରମ ପରିଣତି (୫୮)

ସ୍ୱର୍ଗରେ ବିଷ୍ଣୁଙ୍କ ବସତିସ୍ଥଳ ପରମଧାମ ବୈକୁଣ୍ଠପୁରକୁ ଗୋଲୋକ କୁହାଯାଏ । "ଶରୀରରୁ ବାହାରି ଜୀବକୁ ଲୋକ ଲୋକାନ୍ତର ଯିବାକୁ ହୁଏ । ଗୋଟିଏ ଗୋଟିଏ ଲୋକ ଗୋଟିଏ ଗୋଟିଏ ଆକାରବିଶିଷ୍ଟ । ଇନ୍ଦ୍ରପୁରୀ ଶଙ୍ଖାକୃତି । ଏହାର ମୁଖ ଦେଇ ପ୍ରବେଶ ପଥ ଓ ପୁଚ୍ଛ ଦେଇ ପ୍ରସ୍ଥାନ ପଥ । ବିଭିନ୍ନ ଲୋକ ରହିଛି- ଚନ୍ଦ୍ରଲୋକ, ଦେବଲୋକ, ସୂର୍ଯ୍ୟଲୋକ, ଇନ୍ଦ୍ରଲୋକ, ଧ୍ରୁବଲୋକ, ଭୀଷ୍ମଲୋକ, ଯମଲୋକ, ପ୍ରେତଲୋକ, ପିତୃଲୋକ ଇତ୍ୟାଦି । ସର୍ବଲୋକ ଉପରେ ଇନ୍ଦ୍ରପୁରୀ । ପ୍ରତ୍ୟେକ ଲୋକର ଜଣେ ଜଣେ ଅଧିଷ୍ଠାତା ଅଛନ୍ତି । ଇନ୍ଦ୍ରପୁରୀର ଅଧିଷ୍ଠାତା ଲକ୍ଷ୍ମୀ-ନାରାୟଣ । ଇନ୍ଦ୍ରପୁରୀର ଅନ୍ୟ ନାମ ଗୋଲୋକ (୫୯)


୫୭. ପତିତପାବନ (ସ୍ମରଣିକା), ୧୯୮୫, ଛତ୍ରପୁର
୫୮. ଶ୍ରୀଜଗନ୍ନାଥ ତତ୍ତ୍ବ – ଡକ୍ଟର ଗୋପୀନାଥ ମହାପାତ୍ର

୫୯. ଶ୍ରୀଗୁରୁଚରଣ ସରୋଜ ରଜ- ଶ୍ରୀନବକିଶୋର ରାଜ

ଶ୍ରୀଜଗନ୍ନାଥ ୫୧