ପୃଷ୍ଠା:ShreeJagannath.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୀ ଅଧିକାର ଓ ଖୋର୍ଦାରାଜା ରାଜ୍ୟ ଓ ଶ୍ରୀମନ୍ଦିର ହରାଇବା ପରଠାରୁ ଏମାନଙ୍କ କାର୍ଯ୍ୟ ସୀମିତ ହୋଇଗଲା । ଏମାନେ କେବଳ ନିମ୍ନଲିଖିତ କାର୍ଯ୍ୟ କରୁଥିଲେ ।

ସକାଳ ଧୂପ ଟେରା ପଡ଼ିଥିବା ବେଳେ ଗରଖମ ପାଖରେ ମାହାରୀ (ଦେବଦାସୀ) ନାଚୁଥିବାବେଳେ ରାଜଗୁରୁ ସୁନାବେତ ଧରି ପଟୁଆର କରୁଥିଲେ (*ପଟୁଆର ଅର୍ଥ ସମାବେଶ, ଶୋଭାଯାତ୍ରା) । ମାଦେଳି ମାଦଳ ବଜାଉଥିଲା । ଚନ୍ଦନ ଯାତ୍ରା (୪୨ ଦିନ) କାଳରେ ଚନ୍ଦନଲାଗି ବେଳେ ଜଗମୋହନରେ, ଦିନ ଓ ରାତି ଚାପରେ, ଚାପରୁ ବାହୁଡ଼ା ବିଜେ ବେଳେ ରାସ୍ତାରେ, ଗୁଣ୍ଡିଚା ଘରେ ସକାଳ ଧୂପରେ, ବିମଳାଙ୍କ ମନ୍ଦିରରେ ଷୋଳଦିନ ପୂଜାବେଳେ ସକାଳ ଧୂପରେ ଏବଂ କାର୍ତ୍ତିକ ମାସର ବାଳଧୂପରେ ଅନୁରୁପ ପଟୁଆର ହେଉଥିଲା ।

ବର୍ତ୍ତମାନ ଶ୍ରୀମନ୍ଦିରରେ ମାହାରୀ ନୃତ୍ୟସେବା ଅନେକ ବର୍ଷ ହେଲା ବନ୍ଦ ହୋଇଯିବା ଫଳରେ ‘ପଟୁଆର' ଆଉ ହେଉ ନାହିଁ । ସୁତରାଂ ରାଜଗୁରୁଙ୍କ ଉପରୋକ୍ତ କାର୍ଯ୍ୟ ହେଉ ନାହିଁ ।

ପରିଚ୍ଛା ବା 'ପରୀକ୍ଷା’ର ଅର୍ଥ ନିରୀକ୍ଷକ । ମରାଠା ଶାସନ କାଳରେ (ଖ୍ରୀଷ୍ଟାବ୍ଦ ୧୭୫୧-୧୮୦୩) ଶ୍ରୀମନ୍ଦିରରେ ଚାରିଜଣ ପରିଚ୍ଛା ନିଯୁକ୍ତ ହୋଇଥିବା ଜଣାଯାଏ । ଇଂରେଜ ଆଗମନ ବେଳକୁ (୧୮୦୩) ଚାରିଜଣ ପରିଚ୍ଛା ମଧ୍ୟରୁ ଦୁଇଜଣ ମରାଠୀଙ୍କ ସମେତ ତିନିଜଣ ପରିଛା (ମୁରାରିପଣ୍ଡିତ, ଜଗନ୍ନାଥ ରାଜଗୁରୁ ଓ ଶିବାଜୀ ଅଙ୍ଗତେସ୍) ମନ୍ଦିର ପରିଚାଳନା କରୁଥିଲେ । ଚତୁର୍ଥ ପରିଚ୍ଛା ଜଣକ ନାଗପୁର ଚାଲିଯାଇଥିଲେ ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ବଡ଼, ମଧ୍ୟମ, ସାନ ଓ ଚତୁର୍ଥ- ଏହିପରି ଚାରିଜଣ ପରିଚ୍ଛାଙ୍କ ନାମ ଉଲ୍ଲେଖ ଅଛି । ଏମାନେ ଧଡ଼ିଥିବା ଲୁଗା ଓ ରୁଦ୍ରାକ୍ଷ ପିନ୍ଧିପାରିବେ । ଭଣ୍ଡାରି, ମଶାଲ ସହ ମନ୍ଦିରକୁ ଯାଇପାରିବେ ଓ ସୁନାବେଣ୍ଟ ଚାମର ସେବା କରିପାରିବେ । ବଡ଼ ପରିଚ୍ଛା ନବକଳେବରରେ 'ଆଚାର୍ଯ୍ୟବରଣ’ ହେବେ । ୩. ପାଟଯୋଷୀ ମହାପାତ୍ର (ଛତିଶା ନିଯୋଗ ନାୟକ)

ଏହି ସେବକ ଛତିଶା ନିଯୋଗର ନାଏକ (ନାୟକ) ଭାବରେ ପ୍ରତ୍ୟହ ମଙ୍ଗଳ ଆଳତି ପୂର୍ବରୁ ଶ୍ରୀଜୀଉମାନଙ୍କର ନୀତି ଓ ସେବା ସୁଚାରୁ ରୂପେ ପରିଚାଳନା କରିବେ । ଶ୍ରୀମନ୍ଦିର ନୀତି ଓ ପର୍ବ ପର୍ବାଣି ବିଷୟରେ ମତ ଦେବେ । ନୂତନ ସେବକ ନିଯୁକ୍ତି, କୌଣସି ସେବକ ବା ସେବାରେ ତ୍ରୁଟି ବିଷୟରେ ଦେଉଳକରଣ ସହିତ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ । ଶାଢିବନ୍ଧା ସେବାକୁ ଯୋଗ୍ୟ କି ନାହିଁ ତଦନ୍ତ କରି କର୍ତ୍ତୃପକ୍ଷଙ୍କୁ ଅଭିମତ ଦେବେ ।

ସେ ଭୋଗ ପରିଚ୍ଛା ହିସାବରେ ଗୋଦାମରୁ କୋଠଭୋଗ ଦ୍ରବ୍ୟ ରୋଷକୁଯିବା ତନଖି କରିବେ । ସେ ମଧ୍ୟ ଭଣ୍ଡାର ନାୟକ । ଭିତର ଓ ବାହାର ରତ୍ନ ଭଣ୍ଡାର ମଣତି ନେବେ । ଲାଗି ଦ୍ରବ୍ୟର ତାଲିକା ରଖିବେ । ତଡ଼ାଉ ଓ ଦେଉଳକରଣଙ୍କ ସହିତ ଉପସ୍ଥିତ ରହି ସର୍ବାଙ୍ଗ ନୀତି ପାଇଁ କର୍ପୂର, କେଶର, ୟୁରୀବଟାଇବେ । ଏ ସାବାଳକ ହୋଇ ବ୍ରତ ପରେ ସେବା କରିପାରିବେ । ଏହି ସେବା ବଂଶାନୁକ୍ରମିକ । ଏ ମହାନାୟକ ଶାଢ଼ିବନ୍ଧା ସେବକ । ଏ ପୁଷ୍ପାଳକ ଗୋଷ୍ଠୀ (ତଳୁଛ) ବଂଶର ସେବକ ।

୬୦ । ଶ୍ରୀଜଗନ୍ନାଥ